କୋଲକାତାରେ ବିଜେପି-ତୃଣମୂଳ କଂଗ୍ରେସ ପୋଷ୍ଟର ଓ୍ଵାର; ଅମିତ ଶାହଙ୍କ ଗସ୍ତକୁ ବିରୋଧ କରୁଛି ତୃଣମୂଳ

କୋଲକାତା: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅମିତ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତକୁ ନେଇ ରାଜନୀତି ଜୋର ଧରିଛି। କ୍ଷମତାସୀନ ତୃଣମୂଳ କଂଗ୍ରେସ ପକ୍ଷରୁ ଅମିତ ଶାହଙ୍କ ଗସ୍ତକୁ ଦୃଢ଼ ବିରୋଧ କରାଯାଇଛି। ତୃଣମୂଳ କଂଗ୍ରେସ ପକ୍ଷରୁ ରାଜ୍ୟବ୍ୟାପି ପ୍ରଦର୍ଶନ କରାଯିବ ବୋଲି ଘୋଷଣା ହେବା ସହ ‘ବିଜେପି ବଙ୍ଗଳା ଛାଡ’ ଓ ‘ବେଙ୍ଗଲ ବିରୋଧୀ ବିଜେପି ଗୋ ବ୍ୟାକ୍‌’ ଲେଖାଥିବା ପୋଷ୍ଟର ବହୁ ସ୍ଥାନରେ ଲଗାଯାଇଛି।

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କୋଲକାତାରେ ଆୟୋଜିତ ହେଉଥିବା ରାଲି ଓ ଜନସଭାରେ ଶାହା ଯୋଗ ଦେଉଛନ୍ତି। ଏଥିରେ ବିଜେପିର ଦୁଇ ଲକ୍ଷ କର୍ମୀ ଯୋଗଦେବେ ବୋଲି ଜଣାପଡ଼ିଛି। ୨୦୧୪ ନିର୍ବାଚନରେ ବିଜେପି ପଶ୍ଚିମବଙ୍ଗରୁ କେବଳ ଦୁଇଟି ଲୋକସଭା ଆସନ ଜିତିବାରେ ସକ୍ଷମ ହୋଇଥିଲା, ଅନ୍ୟ ପକ୍ଷରେ ତୃଣମୂଳ କଂଗ୍ରେସର ୪୨ ଜଣ ସାଂସଦ ରହିଛନ୍ତି। ଏଣୁ ୨୦୧୯ ନିର୍ବାଚନରେ ବିଜେପି ପଶ୍ଚିମବଙ୍ଗରେ ଅଧିକ ଆସନ ଜିତିବା ଲାଗି ଉଦ୍ୟମ ଆରମ୍ଭ କରିଛି।

www.hindustantimes.com

ପ୍ରାୟ ଏକ ମାସ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ମିଦିନାପୁର୍‌ରେ ଏକ ବିରାଟ ଜନସଭାରେ ଯୋଗଦାନ କରିଥିଲେ। ସେଠାରେ ମଧ୍ୟ ବଡ଼ ବଡ଼ ପୋଷ୍ଟର ଲଗାଯାଇ ବିଜେପିକୁ ତୃଣମୂଳ ପକ୍ଷରୁ ବିରୋଧ କରାଯାଇଥିଲା।

କୋଲକାତାରେ ମାୟୋ ରୋଡରେ ହେବାକୁ ଥିବା ଏହି ଜନସଭା ସ୍ଥଳ ନିକଟରେ ତୃଣମୂଳ ଓ ବିଜେପି ଭିତରେ ପୋଷ୍ଟର ଯୁଦ୍ଧ ଦେଖିବାକୁ ମିଳିଛି। ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ ଶାହଙ୍କ ବଡ଼ ବଡ଼ ପୋଷ୍ଟର ଲାଗିଥିବା ବେଳେ ତୃଣମୂଳ କଂଗ୍ରେସ ପକ୍ଷରୁ ବିଜେପି ବିରୋଧୀ ପୋଷ୍ଟର ବହୁ ସଂଖ୍ୟାରେ ଲଗାଯାଉଛି।

ସମ୍ବନ୍ଧିତ ଖବର