ବିଜେପି ୧୨୫-୧୩୦ ଆସନ ପାଇବ: ୟେଦୁରପ୍ପା

ଜେଡିଏସ୍‌କୁ ମନାଉଛି କଂଗ୍ରେସ, ଦଳିତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପ୍ରସ୍ତୁତ: ସିଦ୍ଦରାମେୟା

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପରିଣାମ ୧୫ ତାରିଖ (ମଂଗଳବାର) ଆସିବାକୁ ଥିବା ବେଳେ ଝୁଲା ବିଧାନସଭା ସ୍ଥିତିରେ ଜେଡିଏସ୍‌ ସହ ମେଣ୍ଟ କରିବାକୁ କଂଗ୍ରେସ ତୟାର ହେଉଛି। ଜେଡିୟୁର ସମର୍ଥନ ହାସଲ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ସିଦ୍ଦରାମେୟା ଆଜି କହିଛନ୍ତି ଯେ ଯଦି ହାଇକମାଣ୍ଡ କୌଣସି ଦଳିତ ନେତାଙ୍କୁ ଏହି ପଦରେ ବସାଇବାକୁ ଚାହିବେ ତେବେ ସେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପ୍ରସ୍ତୁତ ଅଛନ୍ତି। ଝୁଲା ବିଧାନସଭା ସ୍ଥିତିରେ ଜେଡିଏସ୍‌ ସିଦ୍ଦରାମେୟାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଗ୍ରହଣ କରିବ ନାହିଁ ଏବଂ ଏଭଳି ସ୍ଥିତିରେ ଜଣେ ଦଳିତ ମୁଖ୍ୟମନ୍ତ୍ରୀଙ୍କୁ ହିଁ ସମର୍ଥନ ମିଳିବ ବୋଲି ଆଶା ରହିଛି। ଜେଡିଏସ୍‌ରୁ ୨୦୦୫ରେ ବହିଷ୍କୃତ ହୋଇଥିବା ସିଦ୍ଦରାମେୟା କଂଗ୍ରେସରେ ଯୋଗ ଦେଇଥିଲେ। ଏଭଳି ସ୍ଥିତିରେ ସିଦ୍ଦରାମେୟାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଗ୍ରହଣ କରିବାକୁ ପୂର୍ବ ପ୍ରଧାନମନ୍ତ୍ରୀ ତଥା ଜେଡିଏସ୍‌ ସୁପ୍ରିମୋ ଏଚ୍‌୍‌ଡି ଦେବ ଗୌଡ଼ା ଚାହିବେ ନାହିଁ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଜେଡିଏସ୍‌ ଗତକାଲି ବିଜେପି ସହ ମେଣ୍ଟ କରିବ ନାହିଁ ବୋଲି ଘୋଷଣା କରିଥିବାରୁ ଏବେ ଏହା କଂଗ୍ରେସର ନିକଟର ହେଉଛି ବୋଲି ଚର୍ଚ୍ଚା ହେଉଛି। ଆଜି ସିଦ୍ଦରାମେୟାଙ୍କ ଦଳିତ ମୁଖ୍ୟମନ୍ତ୍ରୀ ବୟାନକୁ ନେଇ ମଧ୍ୟ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ନିର୍ବାଚନରେ ଦଳର ଖରାପ ପ୍ରଦର୍ଶନ ଆଶଙ୍କା କରି ସିଦ୍ଦରାମେୟା ଏଭଳି ବୟାନ ନେଇଛନ୍ତି ବୋଲି ବିଭିନ୍ନ ମହଲ ମତ ଦେଇଛନ୍ତି। ଅନ୍ୟପକ୍ଷରେ ବିଜେପି ରାଜ୍ୟରେ ୧୨୫ରୁ ୧୩୦ ଆସନ ପର୍ଯ୍ୟନ୍ତ ଦଖଲ କରି ନିଜ ଦମ୍‌ରେ ସରକାର ଗଠନ କରିବ ବୋଲି ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବି.ଏସ୍‌. ୟେଦୁରପ୍ପା କହିଛନ୍ତି। ବିଜେପି କର୍ମୀମାନେ କୌଣସି ଚିନ୍ତା ନକରି ଫଳାଫଳକୁ ଅପେକ୍ଷା କରିବାକୁ ସେ କହିଛନ୍ତି। ରାଜ୍ୟରେ କଂଗ୍ରେସ ବିରୋଧରେ ଜନମତ ରହିଥିଲା ଏବଂ ଏହାର ଫାଇଦା ବିଜେପି ପାଇବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର