ଇତିହାସ ରଚିଲେ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକପ୍ରିୟତା ଏବଂ ରାଷ୍ଟ୍ରବାଦକୁ ଆଧାର କରି ବିଜେପି ୨୦୧୯ ଲୋକସଭା ନିର୍ବାଚନରେ ଐତିହାସିକ ସଫଳତା ହାସଲ କରିଛି। ୨୦୧୪ ଜନାଦେଶ ଠାରୁ ମଧ୍ୟ ଏଥର ଅଧିକ ସଫଳତା ମିଳିଛି। ବିଜେପି ଏକାକୀ ଆବଶ୍ୟକ ସଂଖ୍ୟା ୨୭୨କୁ ଅତିକ୍ରମ କରି ୩୦୦କୁ ଛୁଇଁଥିବା ବେଳେ ଏହାର ନେତୃତ୍ବାଧୀନ ଏନଡିଏର ସଂଖ୍ୟା ୩୫୦ରେ ଯାଇ ପହଂଚିଛି। ଏହି ନିର୍ବାଚନ ଫଳାଫଳ ‌ଅନେକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ହୋଇଛି। ୫ ବର୍ଷ କାର୍ଯ୍ୟକାଳ ପରେ ପୁଣି ପ୍ରଧାନମନ୍ତ୍ରୀ ହେବାରେ ମୋଦୀ ହେବେ ଦେଶର ପ୍ରଥମ ଅଣକଂଗ୍ରେସ ନେତା। ସେହିଭଳି ଇନ୍ଦିରା ଗାନ୍ଧୀଙ୍କ ପରେ ବିଜେପି ହେବ ପ୍ରଥମ ପାର୍ଟି ଯିଏକି ନିଜ ଶକ୍ତିରେ ସ୍ପଷ୍ଟ ବହୁମତ ପାଇ କ୍ଷମତା ବଜାୟ ରଖିଛି।

ଅନ୍ୟପକ୍ଷରେ ୨୦୧୪ ଭଳି ଏଥର ମଧ୍ୟ କଂଗ୍ରେସ ଫେଲ୍ ମାରିଛି। ୬ ମାସ ତଳେ ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ ବିଜୟୀ ହୋଇ ସେଠାରେ ସରକାର ଗଢ଼ିଥିବା କଂଗ୍ରେସ ଏହି ସଫଳତାକୁ ଲୋକସଭା ନିର୍ବାଚନରେ ଦୋହରାଇ ପାରିନାହିଁ। ଏହି ତିନି ରାଜ୍ୟରେ ବିଜେପି ହାତରେ ଶୋଚନୀୟ ପରାଜୟ ବରଣ କରିଛି। ତେବେ ୨୦୧୪ ତୁଳନାରେ ୭ଟି ଅଧିକ ଆସନ ପାଇଛି। ଗତଥର ୪୪ ଆସନ ପାଇଥିବା କଂଗ୍ରେସ ଏଥର ୫୧ଟି ଆସନ ପାଇଛି। ତେବେ କଂଗ୍ରେସ ପାଇଁ ଆଜି ସବୁଠାରୁ ବଡ଼ ଝଟକା ଲାଗି ଆମେଥିରେ। ଏଠାରୁ ପାର୍ଟିର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପରାଜିତ ହୋଇଛନ୍ତି।

ସମ୍ବନ୍ଧିତ ଖବର