ନିଷ୍ପ୍ରଭ ବିଜୟ

ବିଜେପି ଦଖଲରେ ଗୁଜରାଟ, ହିମାଚଳ

ଗୁଜରାଟରେ କ୍ରମାଗତ ଷଷ୍ଠ ଥର ଜିତିଲା

ହିମାଚଳରେ କଂଗ୍ରେସ କ୍ଷମତାଚ୍ୟୁତ

ନୂଆଦିଲ୍ଲୀ : ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ବିଜୟୀ ହୋଇଛି। ଉତ୍କଣ୍ଠାପୂର୍ଣ୍ଣ ଗୁଜରାଟ ନିର୍ବାଚନରେ ବିଜେପି ବିଜୟୀ ହୋଇଥିଲେ ମଧ୍ୟ ପାର୍ଟି ଶିବିରରେ ସେଭଳି ଉଲ୍ଲାସ ଦେଖିବାକୁ ମିଳିନାହିଁ। କାରଣ ଗତ ୨୨ ବର୍ଷ ଧରି ଶାସନ କରୁଥିବା ଗୁଜରାଟରେ ଶହେ ଅଙ୍କ ଛୁଇଁବା ଲାଗି ଆଜି ବିଜେପିକୁ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି। ଶେଷରେ ପାର୍ଟିକୁ ୯୯ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଯାହାକି ଗତ ନିର୍ବାଚନ ତୁଳନାରେ ୧୬ଟି ଆସନ କମ୍‌। ଅନ୍ୟପକ୍ଷରେ ବିଜେପିକୁ କଡ଼ା ଟକ୍କର ଦେଇଥିବା କଂଗ୍ରେସକୁ ୮୦ଟି ଆସନ ମିଳିଛି। ଗୁଜରାଟ ଦଖଲ ପାଇଁ କଂଗ୍ରେସର ସ୍ୱପ୍ନ ସାକାର ହୋଇ ନଥିଲେ ମଧ୍ୟ ଗତ ନିର୍ବାଚନ ତୁଳନାରେ ଏହାକୁ ୧୯ଟି ଅଧିକ ଆସନ ମିଳିଛି।

ତେବେ ହିମାଚଳ ପ୍ରଦେଶରେ ବିଜେପିକୁ ବିପୁଳ ସଫଳତା ମିଳିଛି। ରାଜ୍ୟରେ କଂଗ୍ରେସ ଶାସନର ଅବସାନ ଘଟାଇ ପୁଣି ଥରେ ବିଜେପି ସରକାର ଗଠନ କରିବାକୁ ଯାଉଛି। ଏଠାରେ ମୋଟ ୬୮ ଆସନରୁ ବିଜେପି ୪୪ ଆସନ ଦଖଲ କରିଥିବା ବେଳେ କଂଗ୍ରେସକୁ ୨୧ ଓ ଅନ୍ୟଙ୍କୁ ୩ଟି ଆସନ ମିଳିଛି। ୨୦୧୨ ନିର୍ବାଚନରେ ହିମାଚଳରେ କଂଗ୍ରେସ ୩୬ ଆସନରେ ବିଜୟ ହାସଲ କରିଥିବା ବେଳେ ବିଜେପିକୁ ୨୬ଟି ଆସନ ମିଳିଥିଲା ଏବଂ ଅନ୍ୟମାନେ ୬ଟି ଆସନ ଅକ୍ତିଆର କରିଥିଲେ। ତେବେ ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପ୍ରେମକୁମାର ଧୁମଲ ସୁଜନପୁର ଆସନରୁ କଂଗ୍ରେସର ରାଜିନ୍ଦର ରାଣାଙ୍କ ଠାରୁ ୩,୦୦୦ରୁ ଅଧିକ ଭୋଟରେ ହାରିଯିବା ଦଳ ପାଇଁ ଝଟ୍‌କା ହୋଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ସମ୍ମାନର ପ୍ରଶ୍ନ ଥିବା ଗୁଜରାଟ ନିର୍ବାଚନରେ ଏଥର ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ଗତଥର ୧୧୫ଟି ଆସନ ପାଇଥିବା ବିଜେପିକୁ ଏଥର ସଂଘର୍ଷ କରିବାକୁ ପଡ଼ିଛି। ତେବେ ସହରାଞ୍ଚଳ ଭୋଟର ପାର୍ଟିକୁ ବିଜୟୀ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ସହରାଞ୍ଚଳର ମୋଟ ୬୧ଟି ଆସନ ମଧ୍ୟରୁ ବିଜେପି ଭାଗରେ ପଡ଼ିଛି ୪୩ଟି ଆସନ। ଗତ ନିର୍ବାଚନରେ ଏଥର ଏହି ଅଞ୍ଚଳରେ ପାର୍ଟିକୁ ୬ଟି ଅଧିକ ଆସନ ମିଳିଛି। ସହରାଞ୍ଚଳରେ ରହିଛି ଅହମ୍ମଦାବାଦ, ଭଦୋଦ୍ରା, ଭାବନଗର, ସୁରଟ, ରାଜକୋଟ ଏବଂ ଜାମନଗର। ଏଠାରେ କଂଗ୍ରେସ ଅପେକ୍ଷା ବିଜେପିର ଭୋଟ ହାର ମଧ୍ୟ ଅଧିକ ରହିଛି। ତେବେ ରାଜ୍ୟର ୧୦୯ଟି ନିର୍ବାଚନମଣ୍ଡଳୀ ଗ୍ରାମୀଣ ଅଂଚଳରେ ଆସୁଥିବା ବେଳେ କଂଗ୍ରେସ ଏଥିରୁ ୬୨ଟି ଆସନ ଦଖଲ କରିବାକୁ ସକ୍ଷମ ହୋଇଛି ଏବଂ ବିଜେପିକୁ ୪୩ ଆସନରେ ସନ୍ତୁଷ୍ଟ ରହିବାକୁ ପଡ଼ିଛି।

ଗୁଜରାଟରେ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମ୍ୟାଜିକ୍‌ କାମ କରିଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ସମସ୍ତ ସମ୍ଭାବ୍ୟ ରଣନୀତିରେ କାମ କରି କିଛି ମାତ୍ରାରେ ସଫଳତା ପାଇଛନ୍ତି। ଗୁଜରାଟରେ ସରକାର ଗଠନ କରିବା ପାଇଁ ୯୨ଟି ଆସନ ଆବଶ୍ୟକ ହେଉଥିବା ବେଳେ ବିଜେପି ଏକ ସଂଘର୍ଷପୂର୍ଣ୍ଣ ଲଢ଼େଇରେ ଏହି ସଂଖ୍ୟା ଅତିକ୍ରମ କରିଛି। ଗୁଜରାଟରେ ବିଜେପି ଏଥର ୪୯.୧ ପ୍ରତିଶତ ଭୋଟ୍‌ ପାଇଥିବା ବେଳେ କଂଗ୍ରେସର ଭୋଟ୍‌ ପ୍ରତିଶତ ୪୧.୪ ରହିଛି। ୨୦୧୨ ନିର୍ବାଚନରେ ଏଠାରେ ବିଜେପିର ଭୋଟ୍‌ ପ୍ରତିଶତ ୪୮ ଥିବା ବେଳେ କଂଗ୍ରେସ ୩୯ ପ୍ରତିଶତ ଭୋଟ୍‌ ହାସଲ କରିଥିଲା। ୨୦୧୪ ସାଧାରଣ ନିର୍ବାଚନରେ ବିଜେପି ଗୁଜରାଟରେ ପ୍ରାୟ ୬୦ ପ୍ରତିଶତ ଭୋଟ୍‌ ପାଇଥିଲା ଏବଂ କଂଗ୍ରେସର ଭୋଟ୍‌ ପ୍ରତିଶତ ୩୩ ପ୍ରତିଶତ ଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଗୁଜରାଟ ନିର୍ବାଚନ ସମ୍ମାନର ପ୍ରଶ୍ନ ଥିବା ବେଳେ ନବ ନିର୍ବାଚିତ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭବିଷ୍ୟତ ପାଇଁ ଏହା ଏକ ଅଗ୍ନି ପରୀକ୍ଷା ଥିଲା। ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଭିତରେ ବିଜେପି ୯୯ ଆସନ ଅକ୍ତିଆର କରିବାକୁ ସକ୍ଷମ ହୋଇଥିବା ବେଳେ ରାହୁଲ ମଧ୍ୟ ତାଙ୍କ ନେତୃତ୍ୱର ପରାକାଷ୍ଠା ପ୍ରଦର୍ଶନ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଆଜିର ଗୁଜରାଟ ଏବଂ ହିମାଚଳପ୍ରଦେଶ ନିର୍ବାଚନ ଫଳାଫଳରୁ ସୁଶାସନ ଏବଂ ବିକାଶ ପ୍ରତି ଦୃଢ଼ ସମର୍ଥନ ଥିବା ସୂଚନା ମିଳିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ତାଙ୍କ ସରକାର ଏହି ଦୁଇଟି ଦିଗ ଉପରେ ଗୁରୁତ୍ୱାରୋପ କରିଥିବାରୁ ଉଭୟ ରାଜ୍ୟବାସୀ ବିଜେପିକୁ ହିଁ ପସନ୍ଦ କରିଛନ୍ତି ବୋଲି ମୋଦି ପ୍ରକାଶ କରିିଛନ୍ତି। ଗୁଜରାଟରେ ବିକାଶର ହିଁ ବିଜୟ ହୋଇଛି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ରାହୁଲ ପରାଜୟକୁ ସ୍ୱୀକାର କରି ଆଗକୁ ନିର୍ଣ୍ଣାୟକ ଲଢ଼େଇରେ ଅବତୀର୍ଣ୍ଣ ହେବାକୁ ସଙ୍କେତ ଦେଇଛନ୍ତି। ଉଭୟ ରାଜ୍ୟରେ ଗଠନ ହେବାକୁ ଥିବା ନୂଆ ସରକାରଙ୍କୁ ସେ ଅଭିନନ୍ଦନ ଜଣାଇଛନ୍ତି।

ଖସୁଛି ଲୋକପ୍ରିୟତା

ନୂଆଦିଲ୍ଳୀ : ଗୁଜରାଟରେ ବିଜେପି ବିଜୟୀ ହୋଇଥିଲେ ମଧ୍ୟ ୨୦୧୪ ସାଧାରଣ ନିର୍ବାଚନ ତୁଳନାରେ ଏହାର ଲୋକପ୍ରିୟତା ଭୟଙ୍କର ଭାବେ ହ୍ରାସ ପାଇଛି। ଗତ ସାଧାରଣ ନିର୍ବାଚନରେ ବିଜେପି ରାଜ୍ୟରେ ସମସ୍ତ ୨୬ଟି ଲୋକସଭା ଆସନରେ ବିଜୟୀ ହୋଇଥିଲା। ସେତେବେଳେ ବିଜେପି ୬୦ ଭାଗ ଭୋଟ୍‌ ପାଇଥିବା ବେଳେ କଂଗ୍ରେସର ଭୋଟ ଭାଗ ଥିଲା ୩୩ ଭାଗ। ୧୬୦ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେପି ଆଗୁଆ ରହିଥିଲା। ତେବେ ୨୦୧୭ ନିର୍ବାଚନରେ ବିଜେପିର ସଫଳତା ସେତେ ଉତ୍ସାହଜନକ ନୁହେଁ। କାରଣ ପାର୍ଟିର ଭୋଟ ପ୍ରତିଶତ ୪୯.୧କୁ ହ୍ରାସ ପାଇଛି ଯାହାକି ୨୦୧୪ ତୁଳନାରେ ୧୧ ଭାଗ କମ୍‌। ସେହିଭଳି ୨୦୧୪ ଲୋକସଭା ନିର୍ବାଚନରେ ୧୬୦ଟି ବିଧାନସଭା ଆସନରେ ଆଗୁଆ ଥିବା ବିଜେପିକୁ ୨୦୧୭ ବିଧାନସଭା ନିର୍ବାଚନମଣ୍ଡଳୀରେ ମିଳିଛି ୯୯ଟି। ଅର୍ଥାତ ୨୦୧୪ ତୁଳନାରେ ଏହାର ବିଧାନସଭା ଆସନ ସଂଖ୍ୟା କମିଛି ଏବଂ ଏହାକୁ ୬୧ଟି ଆସନର କ୍ଷତି ହୋଇଛି।

ଅନ୍ୟପକ୍ଷରେ ୨୦୧୪ ଲୋକସଭା ନିର୍ବାଚନରେ କଂଗ୍ରେସ ଗୋଟିଏ ହେଲେ ଆସନ ଜିତି ପାରି ନଥିଲା। ଏହା ୩୩ ଭାଗ ଭୋଟ ପାଇବା ସହିତ ୨୨ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଆଗୁଆ ଥିଲା। ତେବେ ୨୦୧୭େରେ ଏହାର ଭୋଟ ପ୍ରତିଶତ ୪୩.୪କୁ ବୃଦ୍ଧି ପାଇଥିବା ବେଳେ ବିଧାନସଭା ଆସନ ସଂଖ୍ୟା ୮୦କୁ ବୃଦ୍ଧି ପାଇଛି।

ରାଜନୈତିକ ପର୍ଯ୍ୟବେକ୍ଷଙ୍କ ମତରେ ମୋଦିଙ୍କ ଲୋକପ୍ରିୟତାକୁ ଆଧାର କରି ଗୁଜରାଟରେ ବିଜେପି ବିଜୟୀ ହେବାରେ ସଫଳ ହୋଇଛି। କିନ୍ତୁ ୨୦୧୪ ତୁଳନାରେ ନିଜ ରାଜ୍ୟରେ ମୋଦିଙ୍କ ଲୋକପ୍ରିୟତା ଏଭଳି ହ୍ରାସ ପାଇବା ଆଦୌ ଶୁଭଙ୍କର ନୁହେଁ। ଏହା ଆଗାମୀ ୨୦୧୯ ସାଧାରଣ ନିର୍ବାଚନରେ ତାଙ୍କ ପାଇଁ ଜଟିଳ ପରିସ୍ଥିତି ସୃଷ୍ଟି କରିପାରେ।

ସୂଚନାଯୋଗ୍ୟ ଯେ ୨୦୧୨ ବିଧାନସଭା ନିର୍ବାଚନ ତୁଳନାରେ ବିଜେପିର ଭୋଟ ପ୍ରତିଶତ ଏକ ଭାଗ ଭୋଟ ପାଇ ୪୯.୧କୁ ବୃଦ୍ଧି ପାଇଥିବା ବେଳେ କଂଗ୍ରେସର ଭୋଟ ପ୍ରତିଶତ ୩୯ ଭାଗରୁ ଉଠି ୪୩.୪ରେ ପହଞ୍ଚିଛି। ୨୦୧୨ରେ ବିଜେପି ଭୋଟ ପ୍ରତିଶତ ଥିଲା ୪୮ ଭାଗ।

ସମ୍ବନ୍ଧିତ ଖବର