ସାବରିମାଲା ପ୍ରସଂଗ: ମୁଖ୍ୟମନ୍ତ୍ରୀ ବିଜୟନଙ୍କ ବାସଭବନ ଆଡ଼େ ପ୍ରତିବାଦ ପଦଯାତ୍ରାରେ ଗଲେ ବିଜେପି କର୍ମୀ

କୋଚି: କେରଳର ସାବରିମାଲା ମନ୍ଦିର ପ୍ରସଂଗରେ ବିଜେପି କର୍ମୀମାନେ ରବିବାର କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନଙ୍କ ବାସଭବନ ଆଡ଼େ ମିଳିତ ଭାବେ ପ୍ରତିବାଦ ପଦଯାତ୍ରା(ମାର୍ଚ) କରିଛନ୍ତି। ଏଏନ୍‌ଆଇ ପକ୍ଷରୁ ହୋଇଥିବା ଟୁଇଟ୍‌ ମୁତାବକ, ବିକ୍ଷୋଭକାରୀମାନଙ୍କୁ ଆୟତ୍ତ କରିବା ପାଇଁ କେରଳ ପୁଲିସ୍‌ ପାଣି ଗୁଳି, ଟିୟର୍‌ ଗ୍ୟାସ୍‌ ଆଦି ପ୍ରୟୋଗ କରି ପରିସ୍ଥିତିକୁ ସମ୍ଭାଳିବା ପାଇଁ ଉଦ୍ୟମ କରିଛି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ସାବରିମାଲା ମନ୍ଦିର ପାଇଁ ଲଗା ଯାଇଥିବା ଧାରା ୧୪୪କୁ ଡିସେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରଖାଯାଇଛି।

 

ଉଲ୍ଲେଖଯୋଗ୍ୟ, ସାବରିମାଳା ମନ୍ଦିର ଭିତରେ ସବୁ ମହିଳାମାନେ ପ୍ରବେଶ କରିପାରିବେ ବୋଲି ସୁପ୍ରିମ୍‌କୋର୍ଟ ରାୟ ଦେବା ପରେ ଏହି ପ୍ରଂସଗକୁ ନେଇ ବିବାଦ ଥମିବାରେ ନାଁ ଧରୁନାହିଁ। ଏପରିକି ବିକ୍ଷୋଭକାରୀମାନେ ସୁପ୍ରିମ୍‌କୋର୍ଟଙ୍କ ରାୟ ବିରୋଧରେ ଯାଇ ମନ୍ଦିର ଭିତରକୁ ମହିଳାମାନଙ୍କ ଯିବାକୁ ନେଇ କଟକଣା ଲଗାଇବା ଜାରି ରଖିଥିଲେ। ପରିସ୍ଥିତିକୁ ସମ୍ଭାଳିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମନ୍ଦିର ପରିସରରେ ୧୪୪ ଧାରା ଲଗାଯାଇଥିଲା। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, ୧୪୪ ଧାରା ଲାଗିଥିବା ସ୍ଥାନରେ ୪ ଜଣରୁ ଅଧିକ ଲୋକ ରହିପାରିବେ ନାହିଁ। ଲୋକ ରୁଣ୍ଡ ହୋଇ ଗଣ୍ଡଗୋଳ ଉପୁଜାଉଥିବା ହେତୁ ଏହି ନିଷ୍ପତ୍ତି ନିଆଯାଇଥିଲା।

ସମ୍ବନ୍ଧିତ ଖବର