ନୂଆଦିଲ୍ଲୀ : ଟିକସ ଫାଙ୍କିବା ଉଦ୍ଦେଶ୍ୟରେ ବିଦେଶରେ ଧନ ଲୁଚାଇଥିବା ହଜାର ହଜାର ବ୍ୟବସାୟୀ, ନେତା, ଅଭିନେତା ଓ କଂପାନୀଙ୍କ କାରନାମାର ଆଜି ବଡ଼ ଧରଣର ପର୍ଦାଫାସ ହୋଇଛି। ବ୍ୟବସାୟ ପାଇଁ ଆଇନ ପରାମର୍ଶ ଦେଉଥିବା ଦୁଇଟି ସଂସ୍ଥାରୁ ହାସଲ ତଥ୍ୟ ଅନୁସାରେ ଏହି କଳା କାରବାରରେ ୧୮୦ଟି ଦେଶର ଲୋକ ଓ କଂପାନୀ ସଂପୃକ୍ତ ଅଛନ୍ତି। ପାରାଡାଇଜ ପେପର୍ସ ବୋଲି କୁହାଯାଉଥିବା ଏହି ତଥ୍ୟ ଅନୁସାର ତାଲିକାରେ ଭାରତର ସ୍ଥାନ ୧୯ ରହିଛି। ଏଥିରେ ଭାରତର ୭୧୪ ଜଣ ସଂପୃକ୍ତ ଥିବା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ତଥ୍ୟ ପ୍ରକାଶିତ ହେବାପରେ ଭାରତ ସରକାର ସଂପୃକ୍ତ ବ୍ୟକ୍ତି ଓ କଂପାନୀଙ୍କ କାରବାର ସଂପର୍କରେ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି। ପାନାମା ପେପର୍ସର ଦତନ୍ତ କରୁଥିବା ମଲଟି ଏଜେନ୍ସି ଗ୍ରୁପ୍ ବା ‘ଏମ୍ଏଜି’ ଏହାର ଯାଞ୍ଚ କରିବ। ଏହି ଟିମ୍ରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ବା ସିଡିବିଟି, ଆୟକର ବିଭାଗ, ଏନଫୋର୍ସମେଣ୍ଟ ନିର୍ଦେଶାଳୟ, ରିଜର୍ଭ ବ୍ୟାଙ୍କ ଏବଂ ଅର୍ଥ ଗୁଇନ୍ଦା ବିଭାଗର ବରିଷ୍ଠ ଅଧିକାରୀମାନେ ଅଛନ୍ତି। କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡର ଅଧ୍ୟକ୍ଷ ସୁଶୀଲ ଚନ୍ଦ୍ରା ଏହି ତଦନ୍ତର ନେତୃତ୍ୱ ନେବେ।
ଏହି ଟିମ୍ ପ୍ରଥମେ ସଂପୃକ୍ତ ୭୧୪ଟି କଂପାନୀ ଓ ବ୍ୟକ୍ତିଙ୍କ ଆୟକର ରିଟର୍ଣ୍ଣର ଯାଞ୍ଚ କରିବ। ଏହାପରେ ଦୋଷୀଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହେବ। ତେବେ ତାଲିକାରେ ନାମ ଥିବା ସମସ୍ତ ବ୍ୟକ୍ତି ଓ କଂପାନୀ କଳା କାରବାରରେ ସଂପୃକ୍ତ କି ନୁହନ୍ତି ତାହା ଯାଞ୍ଚ ପରେ ହିଁ ଜଣାପଡ଼ିବ ବୋଲି ଜଣେ ବରିଷ୍ଠ ସରକାରୀ ଅଧିକରୀ କହିଛନ୍ତି।
ପାନାମା ପେପର୍ସରେ ସ୍ଥାନ ପାଇଥିବା ଧନୀ ବ୍ୟକ୍ତି ଓ କଂପାନୀଙ୍କୁ ନେଇ ତନାଘନା ଚାଲିଥିବା ବେଳେ ପାରାଡାଇଜ ପେପର୍ସ ଭାରତ ସରକାରଙ୍କର ହୋସ୍ ଉଡ଼ାଇ ଦେଇଛି।
ବରମୁଡାର ‘ଆପଲବାଏ’ ନାମକ ଏକ ଆଇନ ଫାର୍ମ ଏବଂ ସିଙ୍ଗାପୁରର ବ୍ୟବସାୟ ପରାମର୍ଶଦାତା ଫାର୍ମ ‘ଏସିଆସିଟି’ରୁ ଲିକ୍ ହୋଇଥିବା ତଥ୍ୟକୁ ପ୍ରଥମେ ପ୍ରକାଶ କରିଥିଲା ଜର୍ମାନୀର ଏକ ସମ୍ବାଦପତ୍ର। ଏହାଉପରେ ଖୋଳତାଡ଼ କରିଥିଲା ସାମ୍ବାଦିକମାନଙ୍କୁ ନେଇ ଗଠିତ ଇଣ୍ଟରନେସନାଲ କଂସୋର୍ଟିୟମ ଅଫ୍ ଇନଭେଷ୍ଟିଗେଟିଭ୍ ଜର୍ନାଲିଷ୍ଟ୍ (ଆଇସିଆଇଜେ)। ଏଥିରେ ସାମିଲ ହୋଇଥିଲା ଦୈନିକ ଇଂରାଜୀ ସମ୍ବାଦପତ୍ର ଦି ଇଣ୍ଡିଆନ ଏକ୍ସପ୍ରେସ୍। ଟିକସ ଦୃଷ୍ଟିରୁ ନିରାପଦ କୁହାଯାଉଥିବା ୧୯ଟି ସ୍ଥାନ(ପାରାଡାଇଜ)ରେ ଧନ ରଖିବା ଲାଗି ଏହି ଦୁଇ ସଂସ୍ଥା ସଂପୃକ୍ତ ବ୍ୟକ୍ତି ଓ କଂପାନୀଙ୍କୁ ସହାୟତା କରିଥିଲେ।
ରିପୋର୍ଟ ଅନୁଯାୟୀ ୧୮୦ଟି ଦେଶର ୧ ଲକ୍ଷ ୨୦ ହଜାରରୁ ଅଧିକ ବ୍ୟକ୍ତି ଓ କଂପାନୀ ଏହି କାରବାରେ ସଂପୃକ୍ତ ଅଛନ୍ତି। ସେଥିରେ ୧୦ ଲକ୍ଷ କୋଟି ଡଲାରର କାରବାର ହୋଇଛି। ଏହି ତାଲିକାରେ ସ୍ଥାନ ପାଇଥିବା ବିଶ୍ୱର ପ୍ରମୁଖ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ରାଣୀ ଏଲିଜାବେଥ-୨ଙ୍କ ସମେତ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ କ୍ୟାବିନେଟ୍ର କିଛି ବରିଷ୍ଠ ସଦସ୍ୟ ଏବଂ ଋଷିଆ ରାଷ୍ଟ୍ରପତି ପୁଟିନ୍ଙ୍କ ପୁଅଙ୍କ ନାମ ରହିଛି। ଏହାସହିତ କଲମ୍ବିଆର ରାଷ୍ଟ୍ରପତି, ଲାଇବେରିଆର ରାଷ୍ଟ୍ରପତି, ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଏସ୍. ଅଜିଜଙ୍କ ସମେତ ଜାପାନ, କାନାଡ଼ା, ଅଷ୍ଟ୍ରିଆର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ଜର୍ମାନୀର ପୂର୍ବତନ ଚାନସେଲରଙ୍କ ନାମ ମଧ୍ୟ ରହିଛି। ଏହାସହିତ ଫେସବୁକ, ଆପଲ, ମାଇକ୍ରୋସେଫ୍ଟ, ଇ-ବେ, ଗ୍ଲେନସର, ନିକେ, ଓ୍ଵାଲମାର୍ଟ, ସିମେନସ, ମାକ୍ଡଲାଡ ଏବଂ ୟାହୁ ଭଳି କଂପାନୀର ନାମ ମଧ୍ୟ ଏହି ତାଳିକାରେ ରହିଛି।
ତାଲିକାରେ ଭାରତର ଯେଉଁ ୭୧୪ଟି କଂପାନୀ ଓ ବ୍ୟକ୍ତିଙ୍କ ନାମ ରହିଛି ସେମାନଙ୍କ ମଧ୍ୟରେ ଅଛନ୍ତି ବିଜୟ ମାଲ୍ୟା, ନୀରା ରାଡିୟା, ସଚ୍ଚିନ ପାଇଲଟ, କେନ୍ଦ୍ର ମନ୍ତ୍ରୀ ଜୟନ୍ତ ସିହ୍ନା, କାର୍ତି ଚିଦମ୍ବରମ୍, ସଂଜୟ ଦତ୍ତଙ୍କ ପତ୍ନୀ ଦିଲନସିନ୍ (ମାନ୍ୟତା) ଦତ୍ତ, ସାଂସଦ ଆରକେ ସିହ୍ନା ପ୍ରମୁଖ। ପ୍ରାଥମିକ ଭାବେ ଆସିଥିବା ୭୧୪ ଜଣ ଭାରତୀୟଙ୍କ ମଧ୍ୟରେ ଶିଳ୍ପପତି ବିଜୟ ମାଲ୍ୟାଙ୍କ ସମେତ ଅଧିକାଂଶଙ୍କ ବିରୋଧରେ ପୂର୍ବରୁ ଆର୍ଥିକ ଅନିୟମିତତା ଅଭିଯୋଗ ରହିଛି ଏବଂ ସେମାନେ ମଧ୍ୟ ସିବିଆଇ ଓ ଇଡିର ତଦନ୍ତକୁ ସାମନା କରୁଥିବା ଜଣାଯାଇଛି।
ତାଲିକାରେ ସ୍ଥାନ ପାଇଥିବା ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ତଥା ରାଜ୍ୟସଭାର ବିଜେପି ସାଂସଦ ଜୟନ୍ତ ସିହ୍ନା ଏବଂ ସିନେତାରକା ଅମିତାଭ ବଚନଙ୍କ ନାଁ ହିଁ ଚର୍ଚ୍ଚାର ବିଷୟ ହୋଇଛି। ତେବେ ଏଭଳି ଆର୍ଥିକ କାରବାର ସେ ଗୋପନ ଭାବେ କରିନାହାନ୍ତି ଏବଂ ସବୁଗୁଡ଼ିକର ଆନୁଷ୍ଠାନିକ ପ୍ରମାଣପତ୍ର ପାଖରେ ରହିଛି ବୋଲି ଶ୍ରୀ ସିହ୍ନା ସଫେଇ ଦେଇଛନ୍ତି। ଅପରପକ୍ଷେ, ଏ ସମ୍ପର୍କରେ ଅମିତାଭଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ତେବେ ପାରାଡାଇଜ୍ ପେପର୍ସ ପ୍ରକାଶ ପାଇବା ପୂର୍ବରୁ ଅମିତାଭ ରଖିଥିବା ବକ୍ତବ୍ୟ ହିଁ କିଛି ସଂକେତ ଦେଇଛି। ଏହା ପୂର୍ବରୁ ଅମିତାଭ ତାଙ୍କ ଟ୍ଵିଟରରେ ତାଙ୍କୁ ଚର୍ଚ୍ଚିତ ଚେହେରାରୁ ମୁକ୍ତି ଦେଇ ଶାନ୍ତିରେ ଜୀବନ କାଟିବାକୁ କହିଛନ୍ତି। ଏପରିକି ଏହାର କାରଣ ଦର୍ଶାଇବାକୁ ଯାଇ ପୂର୍ବରୁ ତାଙ୍କ ନାଁ ଅଯଥାରେ ପାନାମା ପେପର୍ସ ଏବଂ ବୋଫର୍ସର୍ ଦୁର୍ନୀତିରେ ଯୋଡ଼ାଯାଇଥିବା ସେ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ ଯେ, ପ୍ରଭାବଶାଳୀ ଓ ଧନୀ ବ୍ୟକ୍ତିମାନେ ଟିକସ ଆଦାୟ ହେଉ ନଥିବା ଦେଶ ଗୁଡ଼ିକରେ କମ୍ପାନି ସ୍ଥାପନ କରି ସେମାନଙ୍କ କଳାଟଙ୍କାକୁ ଧଳା କରୁଥିଲେ ତାହାର ଖୁଲାସା ପାନାମା ପେପର୍ସରେ କରାଯାଇଥିଲା। ଗତବର୍ଷ ପ୍ରକାଶ ପାଇଥିବା ଏହି ତାଲିକାରେ ୫୦୦ରୁ ଅଧିିକ ଭାରତୀୟଙ୍କ ନାମ ସ୍ଥାନ ପାଇଥିଲା। ବଲିଉଡ ଅଭିନେତା ଅମିତାଭ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଇଣ୍ଡିଆବୁଲ୍ସ ଅଧ୍ୟକ୍ଷ ସମୀର ଗେହଲଟ ଆଦିଙ୍କ ନାମ ସେଥିରେ ରହିଛି।