କୃଷ୍ଣସାର ଶିକାର: ଜାମିନ୍‌ ଶୁଣାଣି ଆସନ୍ତାକାଲିକୁ ସ୍ଥଗିତ; ଜେଲ୍‌ରେ ଆଉ ଗୋଟିଏ ରାତି କାଟିବେ ସଲ୍‌ମାନ୍‌ ଖାଁ

ନୂଆଦିଲ୍ଲୀ: ଯୋଧପୁର ସେଣ୍ଟ୍ରାଲ୍‌ ଜେଲ୍‌ରେ ଆଉ ଗୋଟିଏ ଦିନ କାଟିବେ ଅଭିନେତା ସଲମାନ୍‌ ଖାଁ। କାରଣ ତାଙ୍କ ଜାମିନ ଆବେଦନର ଶୁଣାଣିକୁ କାଲି ଅର୍ଥାତ୍‌ ଶନିବାର ଯାଏଁ ସ୍ଥଗିତ ରଖିଛନ୍ତି ଯୋଧପୁର ସେସନ୍‌ କୋର୍ଟ।

୧୯୯୮ ମସିହାରେ ଦୁଇଟି କୃଷ୍ଣସାର ମୃଗ ଶିକାର କରିଥିବା ଅଭିଯୋଗରେ ଗତକାଲି ଅଭିନେତା ସଲମାନ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ୫ ବର୍ଷ ପାଇଁ କାରାଦଣ୍ଡାଦେଶ ଦିଆଯାଇଥିଲା।

ଗତକାଲି ସେ ଯୋଧପୁରସ୍ଥିତ କେନ୍ଦ୍ରୀୟ କାରାଗାରରେ ରାତି କାଟିଥିଲେ। ଦଣ୍ଡବିଧାନ ହେବା ପରେ ପରେ ଗତକାଲି ତାଙ୍କ ଓକିଲ ଏଚ୍‌ଏମ୍‌ ସାରସ୍ୱତ ଯୋଧପୁର ସେସନ୍‌ କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ। ଆଜି ତାଙ୍କୁ ଜାମିନ ମିଳିଯିବ ବୋଲି ତାଙ୍କୁ ଆଇନଗତ ସହାୟତା ଦେଉଥିବା ଟିମ୍‌ ଆଶାବାଦୀ ଥିଲେ। ଶନିବାର ଯାଏଁ ରାୟ ସଂରକ୍ଷିତ ରଖିବାରେ କୌଣସି ଅର୍ଥ ନାହିଁ ବୋଲି ସେମାନେ କହିଛନ୍ତି। ସଲମାନ୍‌ଙ୍କ ଓକିଲ କହିଛନ୍ତି ଯେ ଅଦାଲତରେ ଜବାବସବାଲ ସରିଥିବାରୁ ଆଉ ଅଧିକ ବିଳମ୍ବ ଆଶା କରାଯାଉ ନ ଥିଲା। ଆଇନ ବିଶାରଦଙ୍କ ମତରେ, ବିସ୍ତତ ଜାମିନ୍‌ ଆଦେଶ ଦେବାକୁ ପଡ଼ିଲେ ସାଧାରଣତଃ ବିଚାରପତିମାନେ ରାୟ ସଂରକ୍ଷଣ ରଖି ଥାଆନ୍ତି।

ସମ୍ବନ୍ଧିତ ଖବର