ନମାଜ ପରେ ହିଂସା: ଆଇଏସ୍‌ ପତାକା ଧରି ବିରୋଧ ପ୍ରଦର୍ଶନ, ଜଣେ ମୃତ, ୪୦ରୁ ଊର୍ଦ୍ଧ୍ୱ ଆହତ

ଶ୍ରୀନଗର: ଇଦ୍‌ ନମାଜ ପରେ ଆଜି କଶ୍ମୀର ଘାଟିରେ ପ୍ରବଳ ହିଂସା ଦେଖିବାକୁ ମିଳିଛି। ଶ୍ରୀନଗର, ଦକ୍ଷିଣ କଶ୍ମୀରର ପୁଲଓ୍ଵାମା ଓ ଅନନ୍ତନାଗରେ ସୁରକ୍ଷାକର୍ମୀଙ୍କ ଉପରକୁ ସ୍ଥାନୀୟ ଲୋକେ ଭୟଙ୍କର ପଥର ମାଡ଼ କରିଛନ୍ତି। ପୁଲିସ୍‌ ଓ ସୁରକ୍ଷାକର୍ମୀ ମଧ୍ୟ ଏହି ଆକ୍ରମଣକୁ ପ୍ରତିହତ କରିବା ପାଇଁ ଆକ୍ରମଣକାରୀଙ୍କ ଉପରକୁ ପେଲେଟ ଗୁଳି ମାଡ କରିବା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିଛନ୍ତି। ଉଭୟ ପକ୍ଷର ଏହି ସଂଘର୍ଷରେ ଜଣେ ଯୁବକର ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ୨୦ରୁ ଅଧିକ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ପରିସ୍ଥିତି ନିୟନ୍ତ୍ରଣ କରିବାକୁ ସେନା ପହରା କଡ଼ାକଡ଼ି କରାଯାଇଛି ଏବଂ ବିଭିନ୍ନ ସ୍ଥାନରେ ଇଣ୍ଟରନେଟ ସେବା ବନ୍ଦ ରଖାଯାଇଛି। ଅପରପକ୍ଷେ, କଶ୍ମୀର ଘାଟିରେ ଆଜି ଇଦ୍‌ ବାହାନାରେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ୍‌ର ପତିଆରା ମଧ୍ୟ ଦେଖିବାକୁ ମିଳିଛି। ବିଚ୍ଛିନ୍ନତାବାଦୀମାନେ ହାତରେ ଆଇଏସ୍‌ ଓ ପାକିସ୍ତାନୀ ପତକା ଧରି ସେନା ଉପରକୁ ଆକ୍ରମଣ କରିଛନ୍ତି। ପୁଲିସ୍‌ର ସୂଚନା ମୁତାବକ, ଶ୍ରୀନଗରର ନୌହଟା, ସଫାକଦଲ, ଖାନ୍ୟାର ଆଦି ଅଞ୍ଚଳରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହୋଇଛି। ରାଜଧାନୀ ଶ୍ରୀନଗରରେ ଇଦ୍‌ ନମାଜ ପରେ ସେନାବାହିନୀଙ୍କ ଉପରେ ବିଚ୍ଛିନ୍ନତାବାଦୀ ଆକ୍ରମଣ କରିଛନ୍ତି। ଦକ୍ଷିଣ କଶ୍ମୀରର ଅନନ୍ତନାଗରେ ସିଆରପିଏଫ ଯବାନଙ୍କ ଉପରକୁ ପଥରମାଡ଼ କରାଯିବା ଫଳରେ ୨ ଯବାନ ଗୁରୁତର ଆହତ ହୋଇଛନ୍ତି। ଲାସଜନ ଅଞ୍ଚଳରେ ସିଆରପିଏଫ ଓ ପୁଲିସ୍‌ର ପାଟ୍ରୋଲିଂ ଗାଡି ଉପରକୁ ଆକ୍ରମଣକାରୀମାନେ ଗୁଳିମାଡ଼ କରିବା ଫଳରେ ଏହି ଘଟଣାରେ ସିଆରପିଏଫ୍‌ ଯବାନ ଦିନେଶ ପାସଓ୍ଵାନ ଗୁରୁତର ଭାବେ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ଶ୍ରୀନଗର ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର