ବିସ୍ଫୋରଣରେ ମେଜର, ଯବାନ ସହିଦ

ଶ୍ରୀନଗର : ଜମ୍ମୁ କଶ୍ମୀର ରାଜୌରି ଜିଲ୍ଲା ସ୍ଥିତ ‌ନୌ‌ସେରା ସେକ୍ଟରରେ ଆଜି ଆତଙ୍କବାଦୀଙ୍କ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ଯୋଗୁଁ ସେନାର ଜଣେ ମେଜର ଏବଂ ଜଣେ ଯବାନ ସହିଦ ‌ହୋଇଯାଇଛନ୍ତି। ନିୟନ୍ତ୍ରଣ ରେଖା ଅଂଚଳର ଏକ ପାଦଚଲା ରାସ୍ତାରେ ପାକିସ୍ତାନୀ ଆତଙ୍କବାଦୀମାନେ ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ। ଯବାନମାନେ ଏହି ରାସ୍ତା ଅତିକ୍ରମ କରିବା ସମୟରେ ବିସ୍ଫୋରଣ ଘଟିଥିଲା। ଆଉ ଏକ ଘଟଣାରେ ରାଜୌରି ଜିଲ୍ଲା ସ୍ଥିତ ଏଲ୍‌ଓସି ନିକଟରେ ମଧ୍ୟ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ଯୋଗୁଁ ଜଣେ ଜେସିଓଙ୍କ ଏବଂ ଜଣେ ଯବାନ ଆହତ ହୋଇଛନ୍ତି। ଅନ୍ୟ ଏକ ଘଟଣାରେ ଶ୍ରୀନଗରର ଲାଲ୍‌ ଚୌକ ନିକଟସ୍ଥ ଏକ ସିଆରପିଏଫ୍‌ ପ୍ଲାଟୁନ୍‌ ଉପରକୁ ଆତଙ୍କବାଦୀମାନେ ଗ୍ରେନେଡ୍‌ ଆକ୍ରମଣ କରିଥି‌ଲେ। ରାଜୌରିରେ ପାକ୍‌ ସେନାର ସ୍ନାଇପର ଆକ୍ରମଣରେ ସେନାର ଜଣେ ପୋର୍ଟର ମଧ୍ୟ ପ୍ରାଣ ହରାଇଥିବା ଜଣାପଡ଼ିଛି। ରାଜୌରି ଏବଂ ପୁଞ୍ଚ୍‌ ଜିଲ୍ଲା ସ୍ଥିତ ଏଲ୍‌ଓସିରେ ଆଜି ପାକ୍‌ ସେନା ଲଗାତାର ଚତୁର୍ଥ ଦିନରେ ବି ଅସ୍ତ୍ରବିରତି ଉଲ୍ଲଂଘନ କରିଥିବାରୁ ତୀବ୍ର ଉତ୍ତେଜନା ଦେଖାଦେଇଛି। ଭାରତୀୟ ସେନା ମଧ୍ୟ ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ ଦେଉଛି। ସୀମାବର୍ତ୍ତୀ ୬ଟି ଗ୍ରାମକୁ ପାକ୍‌ ସେନା ଟାର୍ଗେଟ କରିବା ପରେ ସ୍ଥାନୀୟ ବାସିନ୍ଦା ସେନା ଆଶ୍ରୟସ୍ଥଳରେ ରହିଛନ୍ତି।

ସମ୍ବନ୍ଧିତ ଖବର