ଗୁଣିଆ ସନ୍ଦେହରେ ନିର୍ଯାତନା ଘଟଣା : କ୍ଷତିପୂରଣ ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏନ୍‌ଏଚଆରସିର ନିର୍ଦ୍ଦେଶ

ନୂଆଦିଲ୍ଲୀ : ଗୁଣିଆ ସନ୍ଦେହରେ ନିର୍ଯାତନା ମାମଲାରେ ଗଂଜାମ ଜିଲ୍ଲା କେ.ନୁଆଗାଁ ଚିକିଟି ଫାଣ୍ଡି ଓଲପୁର ଗ୍ରାମର ୮ ଜଣଙ୍କୁ କ୍ଷତିପୂରଣ ଦେବାପାଇଁ ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚଆରସି) ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କ୍ଷତିପୂରଣ ବାବଦରେ ସର୍ବମୋଟ୍‌ ୭ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରିବା ସହ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ତଥା ଅର୍ଥ ପୈଠ କରିବାର ପ୍ରମାଣ ସମ୍ପର୍କରେ ମଧ୍ୟ ଅବଗତ କରିବାପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। ୬ ସପ୍ତାହ ଭିତରେ ଏନେଇ ରିପୋର୍ଟ ଦାଖଲ କରିବାପାଇଁ କୁହାଯାଇଛି। ଏହା ବ୍ୟତୀତ ଓଡ଼ିଶା ପ୍ରିଭେନସନ୍‌ ଅଫ୍‌ ଓ୍ଵିଚ ହଣ୍ଟିଂ ଆକ୍ଟ-୨୦୧୩ ଅନ୍ତର୍ଗତ ଗୁଣିଆ ସନ୍ଦେହରେ ନିର୍ଯାତିତ ହୋଇଥିବା ବ୍ୟକ୍ତିମାନଙ୍କୁ ରାଜ୍ୟ ସରକାର କ୍ଷତିପୂରଣ ଦେଇଛନ୍ତି କି ନାହିଁ ସେନେଇ ଅବଗତ କରିବାପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏନ୍‌ଏଚଆରସି ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ତଥା ଜଣାଶୁଣା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀଙ୍କ ଦ୍ୱାରା ଗୁଣିଆ ସନ୍ଦେହରେ ନିର୍ଯାତନା ମାମଲାର ପିଟିସନ୍‌ର ଶୁଣାଣି କରି ଏହି ନିର୍ଦ୍ଦେଶ ଜାରି ହୋଇଛି।

୨୦୧୫ ମସିହା ଜାନୁଆରି ୧ ତାରିଖରେ ଗଂଜାମ ଜିଲ୍ଲା କେ. ନୁଆଗାଁ ଚିକିଟି ଫାଣ୍ଡି ଓଲପୁର ଗ୍ରାମରେ ଦୁଇଜଣ ଝିଅଙ୍କ ସମେତ ୮ଜଣ ଗ୍ରାମବାସୀଙ୍କୁ ଗୁଣିଆ ସନ୍ଦେହରେ ନିର୍ଯାତନା ଦେବା ସହ ଅଖାଦ୍ୟ ଖୁଆଇଥିଲେ ବୋଲି ତ୍ରିପାଠୀ ତାଙ୍କ ପିଟିସନ୍‌ରେ ଉଲ୍ଲେଖ କରିଥିଲେ। ଏଥିମଧ୍ୟରୁ ୪ ଜଣ ନିର୍ଯାତିତ ବ୍ୟକ୍ତି ଆନ୍ଧ୍ରପ୍ରଦେଶର କାକିନାଡ଼ାକୁ ଚାଲିଯାଇଥିବାବେଳେ ଆଜି ପର୍ଯ୍ୟନ୍ତ ଦୁଇଜଣ ପୀଡ଼ିତା ସୁଷମା ଓ ଝୁନୁର କୌଣସି ପତ୍ତା ମିଳିନଥିବା ଅଭିଯୋଗକାରୀ ତାଙ୍କ ପିଟିସନ୍‌ରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର