ସୁପ୍ରିମକୋର୍ଟ ସନ୍ତୁଷ୍ଟ, ମାମଲା ଫଏସଲା କଲେ

ବ୍ଲକ୍‌ ଗ୍ରାଣ୍ଟ୍‌ ଶିକ୍ଷକ ଓ ଅଧ୍ୟାପକଙ୍କ ଦରମା ମାମଲା

ନୂଆଦିଲ୍ଲୀ: ବ୍ଲକ୍‌ ଗ୍ରାଣ୍ଟ୍‌ ଶିକ୍ଷକ ଓ ଅଧ୍ୟାପକ ଏବଂ ଅଣଶିକ୍ଷକଙ୍କ ଦରମା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଦ୍ୱାରା ଗ୍ରାଣ୍ଟ୍‌ ଇନ୍‌ ଏଡ୍‌ ଆଦେଶ ୨୦୧୭ ଅନୁସାରେ ଧାର୍ଯ୍ୟ କରାଯାଇଥିବା ସମସ୍ତ ବ୍ୟବସ୍ଥା ଉପରେ ସୁପ୍ରିମକୋର୍ଟ ସନ୍ତୋଷବ୍ୟକ୍ତ କରିଛନ୍ତି। ଏନେଇ ଗତକାଲି ରାଜ୍ୟସରକାରଙ୍କ ଦ୍ୱାରା ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରାଯାଇ ସମସ୍ତ ତଥ୍ୟଗୁଡ଼ିକୁ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଥିଲା।

ଆଜି ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟର ବିଚାରପତି ଅରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଦୁଇ ଜଣିଆ ଖଣ୍ଡପୀଠରେ ହୋଇଥିଲା। ରାଜ୍ୟ ସରକାରଙ୍କ ଓକିଲ ଶିବ ଶଙ୍କର ମିଶ୍ର ରାଜ୍ୟର ବ୍ଲକ୍‌ ଗ୍ରାଣ୍ଟ୍‌ ଶିକ୍ଷକ, ଅଧ୍ୟାପକ ଓ ଅଣଶିକ୍ଷକଙ୍କ ପାଇଁ ଗ୍ରାଣ୍ଟ୍‌ ଇନ୍‌ ଏଡ୍‌ ଆଦେଶ ୨୦୧୭ ଅନୁସାରେ ଯେଉଁସବୁ ଫାଇଦା ମିଳିବ ସେ ସମ୍ପର୍କରେ ଉଲ୍ଲେଖ କରିବା ସହିତ ସତ୍ୟପାଠରେ ସମସ୍ତ ବିଷୟଗୁଡ଼ିକୁ ଅବଗତ କରାଯାଇଥିବା କହିଥିଲେ। ବ୍ଲକ୍‌ ଗ୍ରାଣ୍ଟ୍‌ ଶିକ୍ଷକ ଓ ଅଧ୍ୟାପକମାନଙ୍କ ତରଫରୁ ଆଇନଜୀବୀ ସଲମାନ ଖୁର୍ସିଦ ସର୍ଭିସ ବେନିଫିଟ୍‌ ତଥା ଅନ୍ୟାନ୍ୟ ପ୍ରସଙ୍ଗରେ ରାଜ୍ୟ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରିବା ଦରକାର ବୋଲି ଯୁକ୍ତି ବାଢ଼ିଥିଲେ। ବକେୟା ପ୍ରଦାନ ପାଇଁ ମଧ୍ୟ ଆବେଦନକାରୀଙ୍କ ଓକିଲ ଶୁଣାଣି ସମୟରେ ଖଣ୍ଡପୀଠଙ୍କ ନିକଟରେ ଯୁକ୍ତିି ଉପସ୍ଥାପନ କରିଥିଲେ।

ଦୁଇପକ୍ଷର ଯୁକ୍ତି ଶୁଣିବାପରେ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ଗ୍ରାଣ୍ଟ ଇନ୍‌ ଏଡ୍‌ ଆଦେଶ ୨୦୧୭କୁ ଗ୍ରହଣ କରାଯାଉଛି ବୋଲି କହିଥିଲେ। ଯେଉଁ ଶିକ୍ଷକ, ଅଧ୍ୟାପକ ଓ ଅଣଶିକ୍ଷକ ଚାହିଁବେ ସେମାନେ ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ନୀତିକୁ ଗ୍ରହଣ କରିପାରିବେ ଏବଂ ଯେଉଁମାନେ ଏହାକୁ ଗ୍ରହଣ କରିବାପାଇଁ ଚାହୁଁନାହାନ୍ତି ସେମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ରହିଛି। ସେମାନେ ଉପଯୁକ୍ତ ଫୋରମ୍‌ରେ ଚ୍ୟାଲେଞ୍ଜ କରିପାରିବେ। ଅନ୍ୟପକ୍ଷରେ ସୁପ୍ରିମକୋର୍ଟ ଆଜି ବ୍ଲକ୍‌ ଗ୍ରାଣ୍ଟ୍‌ ଶିକ୍ଷକ ଓ ଅଧ୍ୟାପକମାନଙ୍କ ଦ୍ୱାରା ଦାଏର ହୋଇଥିବା ଶତାଧିକ ମଧ୍ୟବର୍ତ୍ତୀକାଳିନ ଆବେଦନ ଗୁଡ଼ିକୁ ଫଏସଲା କରିଦେଇଥିଲେ। ତେବେ ରାଜ୍ୟ ସରକାରଙ୍କ ଓକିଲ ଶିବ ଶଙ୍କର ମିଶ୍ର ଉଚିତ୍‌ ସମୟରେ ସମସ୍ତ ତଥ୍ୟ ଏକତ୍ରିତ କରି ମାମଲାର ପରିଚାଳନା ଭୂମିକାକୁ ସୁପ୍ରିମକୋର୍ଟ ଭୂୟସୀ ପ୍ରଶଂସା କରିଥିଲେ।

ସମ୍ବନ୍ଧିତ ଖବର