ନୀଳତିମି ଖେଳ ବନ୍ଦ ନେଇ ସରକାରଙ୍କ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଅନେକ ନିରୀହ ଜୀବନ ନେଇଥିବା ଭୟଙ୍କର ଖେଳ ‘ନୀଳତିମି’ ବା ବ୍ଲୁ ହେ୍ଵଲ୍‌ ଗେମ୍‌କୁ ବନ୍ଦ କରିବାନେଇ ଆଜି ସୁପ୍ରିମକୋର୍ଟ ସରକାରଙ୍କଠାରୁ ଜବାବ୍‌ ମାଗିଛନ୍ତି। ପ୍ରଧାନ ବିଚାରପତିି ଦୀପକ ମିଶ୍ରଙ୍କ ଦ୍ୱାରା ବିଚାରପତି ଏ.ଏମ ଖାନଓ୍ଵିଲକାର ଏବଂ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୁଡଙ୍କୁ ନେଇ ଗଠିତ ଖଣ୍ଡପୀଠ ସରକାରଙ୍କୁ ଏହି ଖେଳ ବନ୍ଦ ନେଇ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ କହିଛନ୍ତି। ନୀଳତିମି ଖେଳକୁ ନିଷିଦ୍ଧ କରିବା ନେଇ ତାମିଲନାଡ଼ୁର ଜଣେ ୭୩ ବର୍ଷୀୟ ବ୍ୟକ୍ତି ପ୍ରଥମେ ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ ଏବଂ କୋର୍ଟ ମଧ୍ୟ ଏହି ଆବେଦନର ଶୁଣାଣି କରିଥିଲେ। ରୁଷ୍‌ରୁ ଉତ୍ପନ୍ନ ହୋଇଥିବା ଏହି ଭୟଙ୍କର ନୀଳତିମି ଖେଳରେ ଜଣେ ଖେଳାଳିଙ୍କୁ ୫୦ଟି ଦୁଃସାହସିକ ପଦକ୍ଷେପ ନେବାକୁ ପଡ଼ିଥାଏ ଏବଂ ଶେଷ ପର୍ଯ୍ୟାୟରେ ତାଙ୍କୁ ଆତ୍ମହତ୍ୟା କରିବାକୁ ପଡ଼ିଥାଏ। ଏହି ଖେଳ ହେତୁ ସାରା ବିଶ୍ୱ ସ୍ତରରେ ଅନେକ ପିଲାଙ୍କର ମୃତ୍ୟୁ ହୋଇଛି। ଦିଲ୍ଲୀ ହାଇକୋର୍ଟ ପ୍ରଥମେ ଅଗଷ୍ଟ ୨୨ ତାରିଖରେ ଫେସବୁକ୍‌, ଗୁଗଲ ଏବଂ ୟାହୁର ବ୍ଲୁ ହେ୍ଵଲ୍‌ ଚ୍ୟାଲେଞ୍ଜ ଲିଙ୍କ୍‌କୁ ହଟାଇବା ନେଇ ଏକ ଆବେଦନର ଶୁଣାଣି କରି ସେମାନଙ୍କଠୁ ଏଥିନେଇ ଜବାବ ମାଗିଥିଲେ। ମାଡ୍ରାସ ହାଇକୋର୍ଟ ମଧ୍ୟ ସେପ୍ଟେମ୍ବର ୪ ତାରିଖରେ କେନ୍ଦ୍ର ଏବଂ ତାମିଲନାଡ଼ୁ ସରକାରଙ୍କୁ ଖେଳ ବନ୍ଦ କରିବାନେଇ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର