ବେଙ୍ଗାଲୁରୁର ବେଲ୍ଲାନ୍ଦୁର ହ୍ରଦରେ ନିଅାଁ ଲିଭାଇବାକୁ ଲାଗିଛନ୍ତି ୫୦୦୦ ଯବାନ

ବେଙ୍ଗାଲୁରୁ: ଅତିମାତ୍ରାରେ ପ୍ରଦୂଷିତ ହୋଇ ଯାଇଥିବା ବେଙ୍ଗାଲୁରୁ ସହରର ସବୁଠୁ ବଡ଼ ଜଳାଶୟ ବେଲ୍ଲାନ୍ଦୁର ହ୍ରଦରେ ଶୁକ୍ରବାର ଠାରୁ ନିଅାଁ ଲାଗିଯାଇ ଥିବାରୁ ଏହାର ଆଖପାଖରେ ବସବାସ କରୁଥିବା ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି।

କଂକ୍ରିଟ୍‌ର ଭଙ୍ଗାରୁଜା, ରାସାୟନିକ ବର୍ଜ୍ୟବସ୍ତୁ ଏବଂ ନର୍ଦ୍ଦମା ପାଣିରେ ଭରା ଏହି ହ୍ରଦରୁ କଳା ଧଅାଁ ଉଠୁଥିବାର ଦୃଶ୍ୟ ସ୍ଥାନୀୟ ଲୋକେ ଦେଖିଛନ୍ତି। ନିଅାଁ ଓ ଧୂଅାଁର ଭିଡିଓ ସାମାଜିକ ଗଣମାଧ୍ୟମରେ ବି ଭାଇରାଲ୍‌ ହୋଇଛି।

ହ୍ରଦର ମଝାମଝି ନିଅାଁ ଲାଗିଛି ବୋଲି ଅଗ୍ନିଶମ ବିଭାଗ ଅଧିକାରୀମାନେ କହୁଛନ୍ତି।

ପ୍ରତିରକ୍ଷା ଅଧିକାରୀମାନେ କହନ୍ତି: ମେଜର ଜେନେରାଲ୍‌ ଏନ୍‌ ଏସ୍‌ ରାଜପୁରୋହିତଙ୍କ ନେତୃତ୍ୱରେ ଏଏସ୍‌ସି ସେଣ୍ଟର୍‌ର ୫୦୦୦ ଯବାନ ହ୍ରଦରେ ଲାଗିଥିବା ନିଅାଁକୁ ଲିଭାଇଛନ୍ତି।

ଇମ୍ଫୋହବ୍‌ ନିକଟରେ ୧୦୦୦ ଏକର ପରିବ୍ୟାପ୍ତ ହ୍ରଦରେ ବେଙ୍ଗାଲୁରୁ ସହରରୁ ନିର୍ଗତ ୬୦% ନର୍ଦ୍ଦମା ପଶି ସଂକ୍ରମିତ ହୋଇ ଯାଇଛି। ହ୍ରଦକୁ ପ୍ରଦୂଷଣ ମୁକ୍ତ କରି ତା’ର ପୂର୍ବ ଗୌରବ ଫେରାଇ ଆଣିବାକୁ ନେସ୍‌ନାଲ୍‌ ଗ୍ରିନ୍‌ ଟ୍ରାଇବୁନାଲ୍‌ ମଧ୍ୟ ସରକାର ଏବଂ ବିଭିନ୍ନ ଏଜେନ୍‌ସିଙ୍କୁ କହିଛନ୍ତି।

ବେଙ୍ଗାଲୁରୁ ମେୟର ଆର୍‌ ସମ୍ପତ ରାଜ କହନ୍ତି: ରାସାୟନିକ ପଦାର୍ଥ ଜମିବା କାରଣରୁ ନିଅାଁ ଲାଗିଛି ବୋଲି ମନେହୁଏ। ପ୍ରକୃତ କାରଣ ଜାଣିବାକୁ ଜଳ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯିବ।

ମେ ୨୦୧୫ ଏବଂ ଅଗଷ୍ଟ ୨୦୧୬ରେ ମଧ୍ୟ ବେଲ୍ଲାନ୍ଦୁର ହ୍ରଦରେ ନିଅାଁ ଲାଗିଥିଲା।

ସମ୍ବନ୍ଧିତ ଖବର