ବୋଡ଼ୋ ଝିଅଙ୍କୁ ଜିନ୍‌ସ୍‌ ପିନ୍ଧିବା ମନା

ଗୌହାଟି: ଆସାମ ଅନ୍ତର୍ଗତ ବୋଡ଼ୋଲାଣ୍ଡ୍‌ ଟେରିଟୋରିଆଲ୍‌ କାଉନ୍‌ସିଲ୍‌ (ବିଟିସି)ରେ ଥିବା ଲୋକମାନଙ୍କର ଭ୍ରୂକୁଞ୍ଚନ କରାଇଛି ବୋଡ଼ୋ ଝିଅମାନଙ୍କୁ ଜିନ୍‌ସ୍‌ ପିନ୍ଧିବାକୁ ମନା କରୁଥିବା ଏକ ପୋଷ୍ଟର୍‌ ଅଭିଯାନ।

ପ୍ରଭାବଶାଳୀ ଅଲ୍‌ ଇଣ୍ଡିଆ ବୋଡ଼ୋ ଷ୍ଟୁଡେଣ୍ଟ୍‌ସ୍‌ ୟୁନିୟନ୍‌ (ଅବ୍‌ସୁ) ଜାରି କରିଛି ବୋଲି କୁହାଯାଉଥିବା ପୋଷ୍ଟର୍‌ରେ ଜିନ୍‌ସ୍‌ ପରିବର୍ତ୍ତେ ସେମାନଙ୍କର ପାରମ୍ପରିକ ପରିଧାନ ଦୋଖୋନା ପିନ୍ଧିବାକୁ ବୋଡ଼ୋ ଝିଅମାନଙ୍କୁ କୁହାଯାଇଛି।

ସେ ଯାହାହେଉ, ଅବ୍‌ସୁର କେନ୍ଦ୍ରୀୟ ନେତୃତ୍ୱ କହିଛି କି ଏ ଅଭିଯାନ ତା’ର ଅନୁମୋଦନ ପାଇ ନାହିଁ।

ଅବ୍‌ସୁର ଅଧ୍ୟକ୍ଷ ପ୍ରମୋଦ ବୋରୋ କହିଛନ୍ତି ଯେ ଏକ ଆନୁଷ୍ଠାନିକ ତଦନ୍ତ ଆରମ୍ଭ କରାଯାଇଛି। ବୋଡ଼ୋ ଝିଅମାନଙ୍କ ନିମନ୍ତେ ଜିନ୍‌ସ୍‌ ନିଷିଦ୍ଧ ବିଚାରକୁ ମୁଁ ଖରିଦ କରୁନାହିଁ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଅବ୍‌ସୁର ସୁବନକଣ୍ଟା ୟୁନିଟ୍‌ କେତେକ ସଦସ୍ୟ କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ପୋଷ୍ଟର୍‌ ଝୁଲାଇଛନ୍ତି। କିନ୍ତୁ, କେନ୍ଦ୍ରୀୟ କମିଟିର ଏହା ଆନୁଷ୍ଠାନିକ ଘୋଷଣା ନୁହେଁ ବୋଲି ବୋରୋ କହିଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ଏହି ଘଟନା ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇ କେତେକ ସ୍ଥାନୀୟ ଅଧିବାସୀଙ୍କ ମନରେ ଉଦ୍‌ବେଗ ଜଗାଇଛି।

ସେମାନଙ୍କର ପାରମ୍ପରିକ ପରିଧାନ ପ୍ରତି ବୋଡ଼ୋ ମହିଳାମାନଙ୍କର ଉଚ୍ଚ ସମ୍ମାନ ଅଛି। ସାଧାରଣତଃ, ସେମାନେ ଦୋଖୋନା ପିନ୍ଧି ସାମାଜିକ ଏବଂ ସାଂସ୍କୃତିକ ଅନୁଷ୍ଠାନରେ ଯୋଗ ଦେଇଥାଆନ୍ତି। କେତେକ ଶିକ୍ଷାନୁଷ୍ଠାନରେ ମଧ୍ୟ ବୋଡ଼ୋ ଝିଅମାନେ ପାରମ୍ପରିକ ପରିଧାନ ପିନ୍ଧି ଶ୍ରେଣୀକୁ ଯାଆନ୍ତି ବୋଲି ଏକ ବୋଡ଼ୋ ସଙ୍ଗଠନର ନେତା କହିଛନ୍ତି।

ସମ୍ବନ୍ଧିତ ଖବର