ମୃତ ଆତଙ୍କବାଦୀଙ୍କ ମୃତଦେହ ଆଉ ପରିବାରକୁ ନ ଦେଇ ଅଜ୍ଞାତ ସ୍ଥାନରେ କବର ଦେବ ସେନା, ଯୁବଗୋଷ୍ଠୀଙ୍କ ବ୍ରେନ ଓ୍ଵାସ ପାଇଁ ଆତଙ୍କବାଦୀ ସଙ୍ଗଠନକୁ ମିଳିବନି ସୁଯୋଗ
ଶ୍ରୀନଗର, : ସେନା, ବିଏସଏଫ, ସିଆରପିଏଫ, ଏନଏସଜି ଓ ଜମ୍ମୁ ଓ କଶ୍ମୀର ପୁଲିସ ଦ୍ୱାରା ନିହତ ହଉଥିବା ଆତଙ୍କବାଦୀ ସଙ୍ଗଠନର ବଡ଼ମୁଣ୍ଡଗୁଡ଼ିକୁ ଆଉ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯିବ ନାହିଁ। ବରଂ ସୁରକ୍ଷା କର୍ମୀଙ୍କ ସହିତ ଏନକାଉଣ୍ଟରରେ ମୃତ୍ୟୁବରଣ କରୁଥିବା ଆତଙ୍କବାଦୀଙ୍କୁ କୌଣସି ନିଛାଟିଆ ଓ ଅଜଣା ସ୍ଥାନରେ କବର ଦେବା ପାଇଁ ସେନା ଯୋଜନା କରୁଛି। ବିଶେଷ କରି ସୁରକ୍ଷା କର୍ମୀଙ୍କ ଦ୍ୱାରା ନିହତ ଆତଙ୍କବାଦୀଙ୍କ ମୃତଦେହ ସେମାନଙ୍କ ନିକଟ ସମ୍ପର୍କୀୟମାନଙ୍କୁ ହସ୍ତାନ୍ତର ପରେ ତାଙ୍କର ଯେଉଁ ଶବ ଶୋଭାଯାତ୍ରା(ଜନାଜା) ଆୟୋଜନ କରାଯାଉଛି, ସେଥିରେ ବିଭିନ୍ନ ଆତଙ୍କବାଦୀ ସଙ୍ଗଠନର ସାମିଲ ହୋଇ ଜମ୍ମୁ ଓ କଶ୍ମୀରର ଯୁବଗୋଷ୍ଠୀଙ୍କୁ ଆତଙ୍କବାଦୀ ସଙ୍ଗଠନରେ ଭର୍ତ୍ତି କରିବା ପାଇଁ ବିଶେଷ ସୁଯୋଗ ପାଉଛନ୍ତି ବୋଲି ସେନା ଆଶଙ୍କା କରୁଛି।ତେଣୁ ଏପରି ପଦକ୍ଷେପ ନେବାକୁ ସେନା ଯୋଜନା କରୁଛି।
ସୂଚନାଯୋଗ୍ୟ ଯେ ଜମ୍ମୂ ଓ କଶ୍ମୀରରେ ରାଜ୍ୟପାଳ ଶାସନ ଲାଗୁ ହେବା ପରେ ସେନା ଆତଙ୍କବାଦୀଙ୍କ ନିପାତ ପାଇଁ ଅଲ ଆଉଟ୍ କାର୍ଯ୍ୟକୁ ଜୋରଦାର କରିଛି। ଗତକାଲି ଜମ୍ମୁ କଶ୍ମୀରର ଅନନ୍ତନାଗରେ ସୁରକ୍ଷା ବାହିନୀର ଏକ ବଡ଼ କାର୍ଯ୍ୟାନୁଷ୍ଠାନରେ ୪ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ନିହତ ଆତଙ୍କବାଦୀଙ୍କ ମଧ୍ୟରେ ଇସ୍୍ଲାମିକ୍ ଷ୍ଟେଟ୍ ଜମ୍ମୁ କଶ୍ମୀର ଶାଖା ମୁଖ୍ୟ ଦାଉଦ୍ ସୋଫି ଏଙ୍କ ସହିତ ଅନ୍ୟ ୩ ଜଣ ମହମ୍ମଦ ଅସରଫ୍ ଇଟୋ (୨୮), ମାଜିଦ ଅହମ୍ମଦ ଦାର (୨୨) ଏବଂ ଆଦିଲ ରହମାନ ଭଟ୍ଟ (୨୬) ଅଛନ୍ତି। ଅମରନାଥ ଯାତ୍ରା ପାଇଁ ରହିଥିବା ମାର୍ଗ ନିକଟରେ ଏହି ଏନ୍କାଉଣ୍ଟର ହୋଇଥିବା ବେଳେ ଆଖପାଖ ଅଂଚଳରେ ଅଧିକ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ସର୍ଚ୍ଚ ଅପରେସନ ଜାରି ରହିଛି। ଆତଙ୍କବାଦୀଙ୍କୁ ଖସାଇବାକୁ ଯୋଜନା କରି ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଥିବା ପ୍ରାୟ ୨୦ ଜଣ ସ୍ଥାନୀୟ ଯୁବକ ମଧ୍ୟ କାର୍ଯ୍ୟାନୁଷ୍ଠାନରେ ଆହତ ହୋଇଥିବା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଶ୍ରୀଗୁଫ୍ଓ୍ଵାରାର ଖୈରାମ ଗ୍ରାମର ଏକ ଘରେ ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ମିଳିବା ପରେ ସୁରକ୍ଷା ବାହିନୀ ସମଗ୍ର ଗ୍ରାମକୁ ଘେରି ଯାଇଥିଲେ। ପ୍ରାୟ ୩ ଘଣ୍ଟାର ଗୁଳି ବିନିମୟ ପରେ ସମସ୍ତ ଆତଙ୍କବାଦୀ ନିପାତ ହୋଇଥିଲେ। ତେବେ ନିହତ ଆତଙ୍କବାଦୀମାନଙ୍କ ମୃତଦେହ ତାଙ୍କ ପରିବାରକୁ ନ ଦେବା ପାଇଁ ସରକାର ଯୋଜନା କରୁଛନ୍ତି। ବିଶେଷ କରି ବେଆଇନ ଘୋଷିତ ଯେ କୌଣସି ଆତଙ୍କବାଦୀ ସଙ୍ଗଠନର ବଡ଼ ନେତାଙ୍କ ମୃତ୍ୟୁ ଘଟିଲେ , ତାଙ୍କ ଶବକୁ ଆଉ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ନାହିଁ। ମିଳିଥିବା ସୂଚନା ଅନୁଯାୟୀ, ଆତଙ୍କବାଦୀ ସଙ୍ଗଠନଗୁଡ଼ିକ ଏହି ମୃତ ଆତଙ୍କବାଦୀଙ୍କ ଶବ ଶୋଭାଯାତ୍ରାର ବେଶ୍ ଫାଇଦା ନେଉଛନ୍ତି। ହ୍ଵାଟ୍ସଆପ ଓ ଅନ୍ୟାନ୍ୟ ଯୋଗାଯୋଗ ମାଧ୍ୟମରେ ଆଙ୍କବାଦୀଙ୍କ ଶବ ଶୋଭାଯାତ୍ରାରେ ଯୁବଗୋଷ୍ଠୀଙ୍କୁ ସାମିଲ ପାଇ ଡକାଯାଉଛି ଓ ପରେ ସେମାନଙ୍କ ବ୍ରେନ ଓ୍ଵାସ କରାଯାଇ ଆତଙ୍କବାଦୀ ସଙ୍ଗଠନରେ ସାମିଲ କରାଯାଉଛି। ତେଣୁ ଯୁବଗୋଷ୍ଠୀଙ୍କ ବ୍ରେନ ଓ୍ଵାସ ପାଇଁ ଆଉ ସୁଯୋଗ ନ ଦେବାକୁ ସେନା ମୃତ ଆତଙ୍କବାଦୀଙ୍କ ମୃତଦେହକୁ ଅଜ୍ଞାତ ସ୍ଥାନରେ କବର ଦେବାକୁ ଯୋଜନା କରୁଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।