ବୋଇଂ, ହାଲ୍‌ ଓ ମହିନ୍ଦ୍ରା ଡିଫେନ୍ସ ମିଳିତ ଭାବେ ନିର୍ମାଣ କରିବେ ଏଫ୍‌/ଏ-୧୮ ସୁପର ହର୍‌ନେଟ୍‌ ଲଢ଼ୁଆ ବିମାନ

ଚେନ୍ନାଇ: ଏଣିକି ଦେଶରେ ନିଜସ୍ୱ ଜ୍ଞାନକୌଶଳ ବ୍ୟବହାର କରି ‘ମେକ୍‌ ଇନ୍‌ ଇଣ୍ଡିଆ’ ଯୋଜନାରେ ଏଫ୍‌/ଏ-୧୮ ସୁପର ହର୍‌ନେଟ୍‌ ଲଢ଼ୁଆ ବିମାନ ନିର୍ମାଣ ପାଇଁ ଆଜି ବୋଇଂ ଇଣ୍ଡିଆ, ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌ (ଏଚ୍‌ଏଏଲ୍‌/ହାଲ୍‌) ଓ ମହିନ୍ଦ୍ରା ଡିଫେନ୍ସ ସିଷ୍ଟମସ୍‌ (ଏମ୍‌ଡିଏସ୍‌) ପରସ୍ପର ସହ ହାତ ମିଶାଇବା ସହ ଏସଂକ୍ରାନ୍ତୀୟ ଏକ ବୁଝାମଣା ଭିତ୍ତିକ ଚୁକ୍ତିପତ୍ରରେ ମିଳିତ ଭାବେ ସ୍ୱାକ୍ଷର କରିଛନ୍ତି। ଚେନ୍ନାଇ ଠାରେ ଆଜିଠାରୁ ଆରମ୍ଭ ହୋଇଥିବା ଡିଫେନ୍ସ ଏକ୍ସପୋ ଅବସରରେ ଉପରୋକ୍ତ ତିନି ପ୍ରମୁଖ କମ୍ପାନିଙ୍କ ମଧ୍ୟରେ ଏହି ବୁଝାମଣା ଭିତ୍ତିକ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଥିବା ଜାଣିବାକୁ ମିଳିଛି। ଏହି ଏଫ୍‌/ଏ-୧୮ ସୁପର ହର୍‌ନେଟ୍‌ ଲଢ଼ୁଆ ବିମାନ ନିର୍ମାଣ ପାଇଁ ଆରମ୍ଭ ହୋଇଥିବା ଏହି ଯୋଜନାରେ କେନ୍ଦ୍ର ସରକାର ଓ ପ୍ରତିରକ୍ଷା ମନ୍ତ୍ରାଳୟ ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ଭାବେ ସଂପୃକ୍ତ ରହିବେ। ପୂର୍ବରୁ କେବଳ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌ (ଏଚ୍‌ଏଏଲ୍‌) ଲଢ଼ୁଆ ବିମାନର ନିର୍ମାଣ କରୁଥିବା ବେଳେ ମହିନ୍ଦ୍ରା ଡିଫେନ୍ସ ସିଷ୍ଟମସ୍‌ (ଏମ୍‌ଡିଏସ୍‌) ଛୋଟ ଛୋଟ ବ୍ୟବସାୟିକ ବିମାନର ନିର୍ମାଣ କରୁଥିଲା।

ଆଜି ସ୍ୱାକ୍ଷରିତ ହୋଇଥିବା ଏହି ଯୋଜନାକୁ ବାସ୍ତବ ରୂପ ଦେବା ପାଇଁ ଗତ ୧୮ମାସ ତଳୁ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଥିଲା ବୋଲି କହିଛନ୍ତି ବୋଇଂ ଇଣ୍ଡିଆର ସଭାପତି ପ୍ରତ୍ୟୁଷ କୁମାର। ‘ମେକ୍‌ ଇନ୍‌ ଇଣ୍ଡିଆ’ ଯୋଜନାରେ ଏଫ୍‌/ଏ-୧୮ ସୁପର ହର୍‌ନେଟ୍‌ ଲଢ଼ୁଆ ବିମାନ ନିର୍ମାଣ ପାଇଁ ଦେଶ ମଧ୍ୟରେ ଥିବା ପ୍ରାୟ ୪୦୦ କମ୍ପାନି ଠାରୁ ବିଭିନ୍ନ ପ୍ରକାରର ଉପକରଣ ଓ ସାମଗ୍ରୀ କିଣାଯିବ ଏବଂ ଏଥିପାଇଁ ବ୍ୟାପକ ଅର୍ଥ ବ୍ୟୟ ହେବ। ତେବେ, ଏଥିପାଇଁ କେତେ ଅର୍ଥ ବ୍ୟୟ କରାଯିବ ସେ ସଂପର୍କରେ କୌଣସି ସୂଚନା ଦେଇ ନାହାନ୍ତି କୁମାର।

ସମ୍ବନ୍ଧିତ ଖବର