ପୁଣି ଖୋଲିବ କି ବୋଫର୍ସ ଫାଇଲ୍‌ ? ଜାଣନ୍ତୁ କାହିଁକି ବିଦେଶୀ ଗୁଇନ୍ଦା ସଂସ୍ଥା ‘ଫାୟାରଫ୍ୟାକ୍ସ’ ଉପରେ ଖପ୍ପା ହୋଇଥିଲେ ରାଜୀବ ଗାନ୍ଧୀ !

ନୂଆଦିଲ୍ଲୀ: ଏକଦା ଦେଶର ବହୁଚର୍ଚ୍ଚିତ ବୋଫର୍ସ ଦୁର୍ନୀତି ମାମଲା ଦୀର୍ଘଦିନର ବ୍ୟବଧାନ ପରେ ଆଜି ପୁଣି ଥରେ କଡ଼ ଲେଉଟାଇଛି। ବୋଫର୍ସ ଦୁର୍ନୀତିର ତଦନ୍ତରେ ସଂପୃକ୍ତ ଥିବା ଆମେରିକାର ଏକ ଘରୋଇ ଗୁଇନ୍ଦା ସଂସ୍ଥାର ଅଧ୍ୟକ୍ଷ ମାଇକେଲ୍‌ ହର୍ସମମ୍‌ ଆଜି ସିଧାସଳଖ ଅଭିଯୋଗ କରି କହିଛନ୍ତି ଯେ ସେ ସମୟରେ ରାଜୀବ ଗାନ୍ଧୀଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ତାଙ୍କ ତଦନ୍ତରେ ବାଧା ସୃଷ୍ଟି କରିବା ସହିତ ଏ ମାମଲାରେ ତାଙ୍କ ସହ ବିଶ୍ୱାସଘାତ ମଧ୍ୟ କରିଥିଲେ।

Rediff.com

ମାଇକେଲ୍‌ ହର୍ସମମ୍‌ଙ୍କ ଏହି ବୟାନ ଓ ତାଙ୍କର ସାକ୍ଷାତକାର ବୁଧବାର ବିଭିନ୍ନ ବୈଦ୍ୟୁତିକ ଗଣମଧ୍ୟମରେ ପ୍ରସାରିତ ହେବା ପରେ ବୋଫର୍ସ ଦୁର୍ନୀତିକୁ ନେଇ ଭାରତୀୟ ରାଜନୀତି ପୁଣି ଥରେ ସରଗରମ ହୋଇଉଠିଛି। ଅନ୍ୟ ପକ୍ଷରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମଧ୍ୟ କହିଛି ଯେ ବୋଫର୍ସ ଦୁର୍ନୀତିକୁ ନେଇ ମାଇକେଲ୍‌ ହର୍ସମମ୍‌ ଯେଉଁ ‘ତଥ୍ୟ ଓ ପରିସ୍ଥିତି’ ସଂପର୍କରେ ଉଲ୍ଲେଖ କରିଛନ୍ତି, ତାହାକୁ ବିଧିବଦ୍ଧ ଭାବେ ଅନୁଧ୍ୟାନ କରି ଦେଖାଯିବ।

ସଂପ୍ରତି ଭାରତ ଗସ୍ତରେ ଥିବା ଆମେରିକାର ଏକ ଘରୋଇ ଗୁଇନ୍ଦା ସଂସ୍ଥା ଫାୟାରଫ୍ୟାକ୍ସର ଅଧ୍ୟକ୍ଷ ହର୍ସମମ୍‌, ଏକ ଟେଲିଭିଜନ ସାକ୍ଷାତକାରରେ କହିଛନ୍ତି ଯେ ବୋଫର୍ସ ଦୁର୍ନୀତିର ତଦନ୍ତ କରୁଥିବା କାଳରେ ସେ ଏକ ସୁଇସ୍‌ ବ୍ୟାଙ୍କ୍‌ ଆକାଉଣ୍ଟର ସନ୍ଧାନ ପାଇଥିଲେ। ତେବେ, ଏ ଘଟଣା ଜାଣିବା ପରେ ରାଜୀବ ଗାନ୍ଧୀ ଅତ୍ୟନ୍ତ ‘ହିଂସ୍ର’ ହୋଇ ଉଠିଥିଲେ।

IBN

ଘରୋଇ ଡିଟେକ୍ଟଟିଭ୍‌ମାନଙ୍କର ଏକ ସମ୍ମିଳନୀରେ ଯୋଗ ଦେବାକୁ ଭାରତ ଆସିଥିବା ବେଳେ ମାଇକେଲ୍‌ ହର୍ସମମ୍‌ ଆହୁରି ମଧ୍ୟ ଅଭିଯୋଗ କରି କରି କହିଛନ୍ତି ଯେ ବୋଫର୍ସ କମାଣ କିଣା ମାମଲାରେ ଯେଉଁ ସବୁ ଲାଞ୍ଚ କାରବାର ହୋଇଥିଲା ଏବଂ ଲାଞ୍ଚ ଆକାରରେ ଯେଉଁ ବିପୁଳ ଅର୍ଥର କାରବାର ହୋଇଥିଲା ସେ ସମସ୍ତ ଅର୍ଥ ସୁଇସ୍‌ ବ୍ୟାଙ୍କ୍‌ ଆକାଉଣ୍ଟରେ ଜମା କରା ଯାଇଥିଲା। ଖାଲି ଏତିକି ନୁହେଁ, ଆମେ ତଦନ୍ତରେ ସଫଳ ହୋଇ ବୋଫର୍ସ ଦୁର୍ନୀତିର ପର୍ଦ୍ଦାଫାସ୍‌ କରିବାକୁ ବସିଥିବା ଜାଣିଯିବା ବେଳେ ରାଜୀବ ଗାନ୍ଧୀ ଅତ୍ୟନ୍ତ ବିବ୍ରତ ହୋଇ ଉଠିଥିଲେ। ସେତେବେଳେ ରାଜୀବ ଗାନ୍ଧୀ, ବୋଫର୍ସ ଦୁର୍ନୀତିର ତଦନ୍ତ ପାଇଁ କେଉଁ ପରିସ୍ଥିତିରେ ଓ କାହିଁକି ତତ୍କାଳୀନ ଅର୍ଥମନ୍ତ୍ରୀ ଭିପି ସିଂହ ଆମେରିକାର ଏକ ଘରୋଇ ଗୁଇନ୍ଦା ସଂସ୍ଥା ଫାୟାରଫ୍ୟାକ୍ସକୁ ନିଯୁକ୍ତ କଲେ ତାହାର ଅନୁଧ୍ୟାନ କରିବା ପାଇଁ ସୁପ୍ରିମ୍‌କୋର୍ଟ ଦ୍ୱାରା ଏକ କମିସନ ଗଠନ କରି ଆମ ତଦନ୍ତକୁ ଗୋଳମାଳିଆ କରି ଦେଇଥିଲେ।

ବହୁଚର୍ଚ୍ଚିତ ବୋଫର୍ସ ଦୁର୍ନୀତି ସଂପର୍କରେ ମାଇକେଲ୍‌ ହର୍ସମମ୍‌ଙ୍କ ଏ ବୟାନବାଜି ପରେ ସିବିଆଇର ସୂଚନା ଅଧିକାରୀ ଓ ପ୍ରବକ୍ତା ଅଭିଷେକ ଦୟାଲ କହିଛନ୍ତି ଯେ ବୋଫର୍ସ ଦୁର୍ନୀତି ସଂପର୍କରେ ହର୍ସମମ୍‌ ଯେଉଁ ଖୁଲାସା କରିଛନ୍ତି ତାହାକୁ ସିବିଆଇ ପକ୍ଷରୁ ଅନୁଧ୍ୟାନ କରାଯିବ।

ଅନ୍ୟପକ୍ଷରେ ମାଇକେଲ୍‌ ହର୍ସମମ୍‌ ଏକଥା ମଧ୍ୟ କହିଛନ୍ତି ଯେ ତାଙ୍କର ଏହି ଖୁଲାସା ପରେ ୬୪ କୋଟିର ବୋଫର୍ସ ଦୁର୍ନୀତିର ପୁନଃ ତଦନ୍ତ କୌଣସି ଏକ ନିର୍ଭରଯୋଗ୍ୟ ଭାରତୀୟ ତଦନ୍ତ ସଂସ୍ଥା ପକ୍ଷରୁ କରାଯାଏ, ତେବେ ସମସ୍ତ ପ୍ରକାରର ସାହାଯ୍ୟ, ସହଯୋଗ କରିବେ।

ସମ୍ବନ୍ଧିତ ଖବର