ବୋଲେରୋ ଚାପାରେ ୯ ଛାତ୍ରଛାତ୍ରୀ ମୃତ ଘଟଣା:ବିଜେପି ନେତା ଚଳାଉଥିଲେ ଗାଡ଼ି

ମାମଲା ରୁଜୁ, ଗିରଫ ଦାବିରେ ଧାରଣା
ପାଟନା: ଦୁଇଦିନ ତଳେ ବିହାରରେ ଏକ ବୋଲେରୋ ଚଢ଼ିଯିବାରୁ ୯ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ବିଜେପି ନେତା ମନୋଜ ବୈଠାଙ୍କ ନାମରେ ମାମଲା ରୁଜୁ ହୋଇଛି। ଦୁର୍ଘଟଣା ବେଳେ ସେ ହିଁ ନିଜେ ଗାଡ଼ି ଚଳାଉଥିଲେ ବୋଲି ଅନୁମାନ କରାଯାଉଛି। ଅପରପକ୍ଷେ, ମନୋଜଙ୍କୁ ଗିରଫ ଦାବିରେ ଆଜି ବିଧାନସଭା ଆଗରେ ବିରୋଧୀ ଦଳ ଆର୍‌ଜେଡିି ଧାରଣା ଦେଇଛି।
ଆଜି ପୁଲିସ୍‌ ତଦନ୍ତ ବେଳେ ଉକ୍ତ ବୋଲେରୋରୁ ମିଳିଥିବା ଏକ ମୋବାଇଲ୍‌ ମନୋଜଙ୍କର ବୋଲି ଜଣାପଡ଼ିଛି। ଏତଦ୍‌ବ୍ୟତୀତ ଏହି ବୋଲେରୋ ମନୋଜଙ୍କ ନାମରେ ପଞ୍ଜୀକୃତ ହୋଇଥିବାରୁ ଘଟଣା ଦିନ ସେ ନିଜେ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବା ସ୍ପଷ୍ଟ ହୋଇଛି। ଏଥି ସହିତ ସିସିଟିଭି ଫୁଟେଜ୍‌ର ମଧ୍ୟ ଯାଞ୍ଚ ହୋଇଛି। ଦଳୀୟ ନେତା ହୋଇଥିବା ସତ୍ତ୍ୱେ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିହାର ଉପମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ସୁଶୀଲ ମୋଦି କହିଛନ୍ତି। ସେପଟେ ଏହି ମର୍ମନ୍ତୁଦ ଘଟଣା ପାଇଁ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ବିହାର ପିଏନ୍‌ଟି କମ୍ମ୍ୟୁନିଟି ହଲ୍‌ରେ ଆୟୋଜିତ ହେବାକୁ ଥିବା ହୋଲି ପାଳନକୁ ସ୍ଥଗିତ ରଖିଛନ୍ତି। ସ୍ମରଣଯୋଗ୍ୟ, ଗତ ଶନିବାର ବିହାର ଧର୍ମପୁରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆଗରେ ଘରକୁ ଫେରିବାକୁ ଅପେକ୍ଷା କରିଥିବା ଛାତ୍ରଛାତ୍ରୀଙ୍କ ଉପରେ ଦ୍ରୁତ ଗତିରେ ଆସୁଥିବା ଏକ ଅନିୟନ୍ତ୍ରିତ ବୋଲେରୋ ଚଢ଼ିଯିବାରୁ ୯ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ ଜଣ ଶିଶୁ ଗୁରୁତର ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର