‘କାର୍ଯ୍ୟଚାପରେ ଆତ୍ମହତ୍ୟା କଲେ ଉପର ଅଧିକାରୀ ଦାୟୀ ନୁହନ୍ତି’

ନୂଆଦିଲ୍ଲୀ: କାର୍ଯ୍ୟଚାପ ଓ କର୍ମଚାରୀଙ୍କ ଆତ୍ମହତ୍ୟାକୁ ନେଇ ଆଜି ସୁପ୍ରିମ୍‌ କୋର୍ଟ କହିଛନ୍ତି ଯେ ଯଦି କୌଣସି କର୍ମଚାରୀ କାର୍ଯ୍ୟାଳୟରେ କାର୍ଯ୍ୟ ଚାପ ଯୋଗୁଁ ଅତିଷ୍ଠ ହୋଇପଡ଼ନ୍ତି ଏବଂ ଏହି କାରଣରୁ ଆତ୍ମହତ୍ୟା କରନ୍ତି ତା’ହେଲେ ଏଥିପାଇଁ ଉପର ଅଧିକାରୀ ଦାୟୀ ରହିବେ ନାହିଁ। କର୍ମଚାରୀଙ୍କୁ ମାତ୍ରାଧିକ କାମ ଦିଆଯିବା କାରଣରୁ ଉପର ଅଧିକାରୀଙ୍କୁ ଅପରାଧୀ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ ଏବଂ ସଂପୃକ୍ତ କର୍ମଚାରୀଙ୍କୁ ସେ ଆତ୍ମହତ୍ୟା ପାଇଁ ଉସୁକାଇଥିଲେ ବୋଲି କୁହାଯାଇ ପାରିବନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ମହାରାଷ୍ଟ୍ର ସରକାରରେ ଔରଙ୍ଗାବାଦର ଶିକ୍ଷା ବିଭାଗ ଉପନିର୍ଦ୍ଦେଶକ କିଶୋର ପରାଶର ଅଗଷ୍ଟ ୨୦୧୭ରେ ଆତ୍ମହତ୍ୟା କରିଥିଲେ। ତାଙ୍କ ପତ୍ନୀ ଏଥିପାଇଁ ଜଣେ ବରିଷ୍ଠ ଅଧିକାରୀଙ୍କୁ ଦାୟୀ କରି ସେ ହିଁ ତାଙ୍କ ସ୍ୱାମୀଙ୍କୁ ଆତ୍ମହତ୍ୟା କରିବା ଭଳି ପରିସ୍ଥିତି ସୃଷ୍ଟି କରିଥିଲେ ବୋଲି ଏତଲା ଦାଏର କରିଥିଲେ। ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ବେଞ୍ଚ ସଂପୃକ୍ତ ଉଚ୍ଚ ଅଧିକାରୀଙ୍କୁ ତାଙ୍କ ଭୂମିକା ପାଇଁ ଦାୟୀ କରି ଅପରାଧୀ ଭାବେ ଗ୍ରହଣ କରିଥିଲେ। କିନ୍ତୁ ଆଜି ସୁପ୍ରିମ୍‌ କୋର୍ଟ ହାଇକୋର୍ଟର ଏହି ରାୟକୁ ଖାରଜ କରିଦେଇଛନ୍ତି।

ସମ୍ବନ୍ଧିତ ଖବର