ଥାଇ ଗୁମ୍ଫା ମଧ୍ୟରୁ ଉଦ୍ଧାର ପାଇଥିବା ୧୧ ନାବାଳକ ଫୁଟବଲ ଖେଳାଳି ସାଜିବେ ବୌଦ୍ଧ ଶିକ୍ଷାନବୀଶ

ବ୍ୟାଙ୍କକ୍‌ (ଥାଇଲାଣ୍ଡ): ଉତ୍ତର ଥାଇଲାଣ୍ଡର ଏକ ବନ୍ୟା ପ୍ଲାବିତ ଗୁମ୍ଫା ମଧ୍ୟରେ ଦୀର୍ଘ ୧୯ ଦିନ କାଳ ଫସି ରହିବା ପରେ ସଂପୂର୍ଣ୍ଣ ସୁରକ୍ଷିତ ଭାବେ ଉଦ୍ଧାର ପାଇଥିବା ଓ୍ଵାଇଲ୍ଡ ବୋର୍ସ ଫୁଟବଲ ଟିମ୍‌ର ୧୨ ଜଣଙ୍କ ମଧ୍ୟରୁ ୧୧ ଜଣ ନାବାଳକ ଖେଳାଳି ଏବେ ବୌଦ୍ଧ ଶିକ୍ଷାନବୀଶ ସାଜିବେ। ବନ୍ୟା ପ୍ଲାବିତ ଗୁମ୍ଫା ମଧ୍ୟରେ ଫସି ରହି ସଂପୂର୍ଣ୍ଣ ଆଶା ଆଶଙ୍କା ମଧ୍ୟରେ ନିଜ ଜୀବନ ଓ ମୁତ୍ୟୁ ସଂଗ୍ରାମ କରୁଥିବା ବେଳେ ଏହି ୧୧ ନାବାଳକ ଫୁଟବଲ ଖେଳାଳିଙ୍କ ପରିବାର ବର୍ଗ ମାନସିକ କରିଥିଲେ ଯେ ଏମାନେ ଯଦି ଗୁମ୍ଫା ମଧ୍ୟରୁ ନିରାପଦରେ ଉଦ୍ଧାର ପାଆନ୍ତି ତେବେ ସେମାନେ ସମସ୍ତେ ବୌଦ୍ଧ ଶିକ୍ଷାନବୀଶ ସାଜିବେ।

ଏବେ ଗୁମ୍ଫା ମଧ୍ୟରୁ ନିରାପଦ ଓ ସୁରକ୍ଷିତ ଭାବେ ଉଦ୍ଧାର ପାଇବା ପରେ ୧୧ରୁ ୧୬ ବର୍ଷ ବୟସ ମଧ୍ୟରେ ଥିବା ଏହି ୧୧ ନାବାଳକ ଫୁଟବଲ ଖେଳାଳି ଏବେ ସେମାନଙ୍କ ପରିବାର ବର୍ଗଙ୍କ ମାନସିକ ପୂରଣ ପାଇଁ ବୌଦ୍ଧ ଶିକ୍ଷାନବୀଶ ସାଜିବାକୁ ବୌଦ୍ଧ ମନ୍ଦରକୁ ଯାଉଥିବା ଜାଣିବାକୁ ମିଳିଛି। ଏମାନେ ବୌଦ୍ଧ ଶିକ୍ଷାନବୀଶ ଭାବେ ଦୀର୍ଘ ୯ ଦିନ କାଳ ବୌଦ୍ଧ ମନ୍ଦରରେ ଅବସ୍ଥାନ କରିବା ସହ ବୌଦ୍ଧ ଧର୍ମର ପ୍ରାଥମିକ ଓ ପ୍ରଥମ ଦୀକ୍ଷା କରିବା ସହ ଏହି ୯ ଦିନ କାଳ ବୌଦ୍ଧ ମନ୍ଦିରରେ ରହି ସନ୍ନ୍ୟାସ ଜୀବନ ବିତାଇବେ।

ଏମାନଙ୍କୁ ସଫଳତା ପୂର୍ବକ ଗୁୁମ୍ଫା ମଧ୍ୟରୁ ଉଦ୍ଧାର କରାଯାଇ ଥିବାରୁ ଏମାନେ ଏବେ ଈଶ୍ୱରଙ୍କୁ ନିଜର କୃତଜ୍ଞତା ଜଣାଇବା ସହ ଏମାନଙ୍କୁ ଉଦ୍ଧାର କରିବା କାଳରେ ପ୍ରାଣ ହରାଇଥିବା ନାଭାଲ୍‌ ସିଲ୍‌ ଡାଇଭରଙ୍କ ମୋକ୍ଷ କାମନା କରି ଏମାନେ ବୌଦ୍ଧ ଶିକ୍ଷାନବୀଶ ସାଜୁଥିବା ଏମାନଙ୍କ ପରିବାର ବର୍ଗ କହିଛନ୍ତି। ତେବେ, ଏମାନଙ୍କର ଅନ୍ୟତମ ସାଥୀ ଖେଳାଳି ୧୪ ବର୍ଷ ବୟସ୍କ ଅଦୁଲ ସାମ୍‌ ଖ୍ରୀଷ୍ଟ ଧର୍ମାବଲମ୍ବୀ ହୋଇଥିବା କାରଣରୁ ବୌଦ୍ଧ ଶିକ୍ଷାନବୀଶ ସାଜୁ ନଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର