ଜଳିଗଲା ବ୍ରାଜିଲ୍‌ର ଜାତୀୟ ସଂଗ୍ରହାଳୟ:୨୦୦ ବର୍ଷର ସଂଗ୍ରହ ପାଉଁଶ

ରିଓ ଡି ଜେନେରୋ: ବ୍ରାଜିଲ୍‌ର ସର୍ବପୁରାତନ ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ଓ ବୈଜ୍ଞାନିକ ସଂଗ୍ରହାଳୟରେ ଗତକାଲି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ହେତୁ ସଂଗ୍ରହାଳୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ସଂଗ୍ରହ ପୋଡ଼ି ପାଉଁଶ ହୋଇଯାଇଛି। ରିଓ ଡି ଜେନେରୋରେ ଥିବା ୨୦୦ ବର୍ଷର ପୁରୁଣା ଜାତୀୟ ସଂଗ୍ରହାଳୟ ଗତକାଲି ଜନସାଧାରଣଙ୍କ ପାଇଁ ବନ୍ଦ ହେବାପରେ ସନ୍ଧ୍ୟା ୭.୩୦ ସମୟରେ ଅଗ୍ନିକାଣ୍ଡ ହୋଇଥିଲା। ନିମିଷକେ ନିଅାଁ ଚାରି ଆଡ଼କୁ ବ୍ୟାପି ଯାଇଥିଲା। ୭ଟି ଭିନ୍ନ ଷ୍ଟେସନ୍‌ର ପ୍ରାୟ ୮୦ ଅଗ୍ନି ନିର୍ବାପକ ଦଳ ନିଅାଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ ମଧ୍ୟ ନିଅାଁ ଲିଭାଇବା ଖୁବ୍‌ କଷ୍ଟଦାୟକ ହୋଇ ପଡ଼ିଥିଲା। ଅଗ୍ନିକାଣ୍ଡ ହେତୁ କୌଣସି ମୃତାହତ ହୋଇନଥିଲେ ମଧ୍ୟ ବ୍ରାଜିଲ୍‌ର ବିଜ୍ଞାନ, ଇତିହାସ ଏବଂ ସଂସ୍କୃତିର ଯେଉଁ କ୍ଷତି ହୋଇଛି ତାହା ଅକଳନୀୟ କ୍ଷତି ବୋଲି ସଂଗ୍ରହାଳୟର ଦୁଇଜଣ ଉପନିର୍ଦ୍ଦେଶକ କହିଛନ୍ତି। ଲାଟିନ୍‌ ଆମେରିକାରେ ଏହା ସବୁଠୁ ବୃହତ୍ତମ ଐତିହାସିକ ସଂଗ୍ରହାଳୟ। ଅଗ୍ନିକାଣ୍ଡ ହେତୁ ୧୦୦ ବର୍ଷରୁ ଊର୍ଦ୍ଧ୍ୱ ପୁରୁଣା ସଂଗ୍ରହମାନ ନଷ୍ଟ ହୋଇଯାଇଛି ବୋଲି ସଂଗ୍ରହାଳୟର ଜଣେ ଉପ ନିର୍ଦ୍ଦେଶକ କ୍ରିଷ୍ଟିଆନା ସେରେଜୋ କହିଛନ୍ତି। ଦେଶର ୨୦୦ ବର୍ଷର ଐତିହ୍ୟ, ୨୦୦ ବର୍ଷର ବିଜ୍ଞାନ, ୨୦୦ ବର୍ଷର ସଂସ୍କୃତି ଏବଂ ଶିକ୍ଷା ନଷ୍ଟ ହୋଇଯାଇଛି। ଏହା ଅତି ଅସହନୀୟ ଯନ୍ତ୍ରଣା ବୋଲି ଲୁଇଜ୍‌ ଡୁଆର୍ଟ କହିଛନ୍ତି। ବ୍ରାଜିଲ୍‌ ରାଷ୍ଟ୍ରପତି ମାଇକେଲ୍‌ ଟେମର କହିଛନ୍ତି ଯେ ଆଜି ଦିନଟି ଆମ ଦେଶର ସଂଗ୍ରହାଳୟ ପାଇଁ ଖୁବ୍‌ ଦୁଃଖର ଦିନ। ୨୦୦ ବର୍ଷର କାର୍ଯ୍ୟ, ଗବେଷଣା ଏବଂ ଜ୍ଞାନ ନଷ୍ଟ ହୋଇଯାଇଛି। ଏଭଳି ଏକ କ୍ଷତି ଅକଳନୀୟ।
ଅଗ୍ନିକାଣ୍ଡର କାରଣ କ’ଣ ଏଯାବତ୍‌ ସ୍ପଷ୍ଟ ଜଣାପଡ଼ିନାହିଁ। ରିଓର ଫେଡେରାଲ ବିଶ୍ୱବିଦ୍ୟାଳୟର ଏହି ସଂଗ୍ରହାଳୟ ଏକ ଅଂଶବିଶେଷ ଥିଲା। ଉକ୍ତ ସଂଗ୍ରହାୟଳର କିଛି ସଂଗ୍ରହକୁ ଅନ୍ୟ ଏକ କୋଠାରେ ରଖାଯାଇଥିଲେ ମଧ୍ୟ ଅଗ୍ନିକାଣ୍ଡ ହେତୁ ଅଧିକାଂଶ ସଂଗ୍ରହ ସାମଗ୍ରୀ ନଷ୍ଟ ହୋଇ ଯାଇଥିବା ଜଣାପଡ଼ିଛି। ୨୦୦ ବର୍ଷର ଏହି ଜାତୀୟ ସଂଗ୍ରହାଳୟଟି ୧୮୧୮ ଜୁନ୍‌ ୬ ତାରିଖରେ ପ୍ରତିଷ୍ଠା ହୋଇଥିଲା। ତେବେ ଏହି କୋଠାଟି ପ୍ରଥମେ ଏକ ପର୍ତ୍ତୁଗିଜ୍‌ ରାଜକୀୟ ପରିବାରର ଏକ ଅଂଶବିଶେଷ ଥିଲା। କିନ୍ତୁ ଆଜି ଏହା ବ୍ରାଜିଲର ସର୍ବପୁରାତନ ଐତିହାସିକ ଅନୁଷ୍ଠାନ ଏବଂ ଏକ ପ୍ରସିଦ୍ଧ ଗବେଷଣା ଅନୁଷ୍ଠାନ ପାଲଟିଛି।

ସମ୍ବନ୍ଧିତ ଖବର