୪୭ ବର୍ଷର ସଦସ୍ୟତା ପରେ ଆନୁଷ୍ଠାନିକ ଭାବେ ଇଉରୋପୀୟ ସଂଘରୁ ବିଦାୟ ନେଲା ବ୍ରିଟେନ୍‌

ଲଣ୍ଡନ୍‌: ୪୭ ବର୍ଷ ସଦସ୍ୟ ରହିବା ପରେ ଶୁକ୍ରବାର ରାତି ୧୧ଟା ବେଳେ ବ୍ରିଟେନ୍‌ ଆନୁଷ୍ଠାନିକ ଭାବେ ଇଉରୋପୀୟ ସଂଘରୁ ବିଦାୟ ନେଇଛି। ଏହାକୁ ବ୍ରେକ୍ସିଟ୍‌ ବିଜୟ କୁହାଯାଇ ପାର୍ଲାମେଣ୍ଟ୍‌ ସ୍କ୍ଵୟାର୍‌ ଏବଂ ମଲ୍‌, ବକିଙ୍ଗ୍‌ହାମ୍‌ ପ୍ରାସାଦକୁ ପଡ଼ିଥିବା ଉତ୍ସବସ୍ଥଳୀ ରାସ୍ତା ଓ ସରକାରୀ ସୌଧଗୁଡ଼ିକୁ ‘ୟୁନିୟନ୍‌ ଜ୍ୟାକ୍‌’ର ଲାଲ୍‌, ଧଳା ଏବଂ ନୀଳ ରଙ୍ଗର ଆଲୋକମାଳାରେ ଉଦ୍‌ଭାସିତ କରାଯାଇଥିଲା।

୧୦ ଡାଉନିଙ୍ଗ୍‌ ଷ୍ଟ୍ରିଟ୍‌ସ୍ଥିତ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ଗୋଟାଏ ଓଲଟଗଣନ ଘଣ୍ଟା ସ୍ଥାପନ କରାଯାଇଥିଲା।
ଇଉରୋପୀୟ ସଂଘରୁ ଔପଚାରିକ ବିଦାୟ ନେବାର ଅଳ୍ପ ସମୟ ପୂର୍ବରୁ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବ୍ରିସ୍‌ ଜନ୍‌ସନ୍‌ ଏକ ଭାଷଣରେ କହିଥିଲେ: ଏହା ଶେଷ ନୁହେଁ ଆରମ୍ଭ। ଏବେ ସିନ୍ଦୂରା ଫାଟୁଛି ଏବଂ ଗୋଟାଏ ନୂତନ ଅଙ୍କ ଲାଗି ପରଦା ଉଠୁଛି।

‘ଇଉରୋପୀୟ ସଂଘ’ ବା ‘ୟୁରୋପୀୟ ୟୁନିୟନ୍‌’ ହେଉଛି ୟୁରୋପ୍‌ ମହାଦେଶର ୨୭ଟି ଦେଶର ଏକ ଆର୍ଥିକ ଓ ରାଜନୈତିକ ସଙ୍ଗଠନ। ଲୋକମାନଙ୍କ ଲାଗି ସବୁପ୍ରକାର ସୁବିଧା ସହଯୋଗ ଲାଗି ଏହି ଦେଶମାନେ ଏକତ୍ର ହୋଇଥିଲେ। ପରସ୍ପରଙ୍କୁ ସହଯୋଗ କରିବେ ବୋଲି ସେମାନେ ରାଜି ହୋଇଥିଲେ।

Image Courtesy of India Today

ଇଉରୋପରେ ଦୁଇଟି ବିଶ୍ୱଯୁଦ୍ଧ ଘଟିବା ପରେ ‘ଇଉରୋପୀୟ ସଂଘ’ ଗଠନ କରିବାକୁ ବିଚାର କରାଯାଇଥିଲା। ପରସ୍ପର ବିରୋଧରେ ଲଢ଼ିବା ଠାରୁ ଜନତାଙ୍କ ଉନ୍ନତି ଲାଗି ମିଳିତ ଭାବେ କାମ କରିବାକୁ ସେମାନେ ଶ୍ରେୟ ମଣିଥିଲେ। ପ୍ରାରମ୍ଭର ଏଥିରେ ମାତ୍ର ୬ଟି ଦେଶ ସାମିଲ ହୋଇଥିଲେ। ସେଗୁଡ଼ିକ ହେଲା- ବେଲ୍‌ଜିୟମ୍‌, ଜର୍ମାନି, ଫ୍ରାନ୍‌ସ୍‌, ଇଟାଲି, ଲକ୍ସମ୍‌ବର ଓ ନେଦର୍‌ଲାଣ୍ଡ୍‌ସ୍‌। ପରେ ପରେ ଅନ୍ୟ ଇଊରୋପୀୟ ଦେଶମାନେ ଯୋଗ ଦେବାରୁ ଏଥିରେ ସଦସ୍ୟ ଦେଶଙ୍କ ସଂଖ୍ୟା ୨୭ରେ ପହଞ୍ଚିଲା।

୧୯୭୩ ମସିହାରେ ବ୍ରିଟେନ୍‌ ଏଥିରେ ଯୋଗ ଦେଇଥିଲା। ଏହାର ସଦସ୍ୟତାରୁ ଓହରି ଯିବାକୁ ୨୦୧୬ ମସିହା ଜୁନ୍‌ ମାସରେ ବ୍ରିଟେନ୍‌ ନିଷ୍ପତ୍ତି ନେଇଥିଲା।

ଏହାକୁ ସଂକ୍ଷିପ୍ତରେ ‘ବ୍ରେକ୍ସିଟ୍‌’ କୁହାଯାଏ। ଏହାର ପୂର୍ଣ୍ଣ ରୂପ ହେଉଛି- ‘ବ୍ରିଟିସ୍‌ ଏକ୍‌ଜିଟ୍‌’ ବା ‘ବ୍ରିଟେନ୍‌ ବିଦାୟ’। ଅର୍ଥାତ୍‌ ବ୍ରିଟେନ୍‌ ଇଉରୋପୀୟ ସଂଘରୁ ବିଦାୟ ନେଉଛି।

ଏଥିପାଇଁ ଜୁନ୍‌ ୨୦୧୬ରେ ଏକ ସର୍ବସାଧାରଣ ମତଦାନ (ଯାହାକୁ ରେଫରେଣ୍ଡମ୍‌ କୁହାଯାଏ) ଅନୁଷ୍ଠିତ ହୋଇଥିଲା। ‘ବ୍ରେକ୍ସିଟ୍‌’ ସପକ୍ଷରେ ୫୨% (୧୭. ୪ ନିୟୁତ) ଭୋଟ୍‌ ମିଳିଥିଲା।

ସମ୍ବନ୍ଧିତ ଖବର