ଧକ୍କା ପରେ ଡ୍ରାଇଭିଙ୍ଗ୍‌ ଲାଇସେନ୍‌ସ୍‌ ଫେରାଇ ଦେଲେ ବ୍ରିଟେନ୍‌ର ପ୍ରିନ୍‌ସ୍‌ ଫିଲିପ୍‌

ଲଣ୍ଡନ: ଗତ ମାସରେ କାର୍‌ ଧକ୍କା କରିଥିବା କାରଣରୁ ରାଣୀ ଏଲିଜାବେଥ୍‌ଙ୍କ ୯୭ ବର୍ଷିୟ ସ୍ୱାମୀ ପ୍ରିନ୍‌ସ୍‌ ଫିଲିପ୍‌ ସ୍ୱେଚ୍ଛାକୃତ ଭାବେ ନିଜର ଡ୍ରାଇଭିଙ୍ଗ୍‌ ଲାଇସେନ୍‌ସ୍‌ ଫେରାଇ ଦେଇଥିବା କଥା ଶନିବାର ଦିନ ବକିଙ୍ଗ୍‌ହାମ୍‌ ପାଲେସ୍‌ ତରଫରୁ କୁହାଯାଇଛି।

ଜାନୁଆରି ୧୭ ତାରିଖ ଦିନ ପୂର୍ବ ଇଂଲଣ୍ଡ୍‌ର ସାଣ୍ଡ୍ରିଙ୍ଗ୍‌ହାମ୍‌ ବାସଭବନ ପାଖରେ ଏକ ଲ୍ୟାଣ୍ଡ୍‌ ରୋଭର୍‌ କାର୍‌ ଚଳାଇ ଯାଉଥିବା ବେଳେ ଅନ୍ୟ ଏକ କାର୍‌ ସହ ଧକ୍କା ଖାଇ ଓଲଟି ପଡ଼ିଥିଲା, କିନ୍ତୁ ତାଙ୍କର କିଛି କ୍ଷତି ହୋଇ ନ ଥିଲା।

ରାଜ ପ୍ରାସାଦ ବିବୃତ୍ତିରେ କୁହାଯାଇଛି: ସସତର୍କ ବିଚାର କରି ଡ୍ୟୁକ୍‌ ଅଫ୍‌ ଏଡିନ୍‌ବରୋ ତାଙ୍କର ଡ୍ରାଇଭିଙ୍ଗ୍‌ ଲାଇସେନ୍‌ସ୍‌ ସ୍ୱେଚ୍ଛାକୃତ ଭାବେ ଫେରାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ସେ ଧକ୍କା ଦେଇଥିବା କାର୍‌ର ଚାଳିକା ୨୮ ବର୍ଷୀୟ ମହିଳାଜଣକ ଆଣ୍ଠୁରେ ଖଣ୍ଡିଆ ହୋଇଛି ଏବଂ ତାଙ୍କ କାର୍‌ରେ ୯ ମାସର ଶିଶୁ ଧରି ବସିଥିବା ଜଣେ ୪୫ ବର୍ଷୀୟ ମହିଳା ଯାତ୍ରୀଙ୍କର ମଣିବନ୍ଧ ଭାଙ୍ଗିଯାଇଛି।

ଫିଲିପ୍‌ ଶନିବାର ଦିନ ସ୍ୱେଚ୍ଛାକୃତ ଭାବେ ତାଙ୍କ ଡ୍ରାଇଭିଙ୍ଗ୍‌ ଲାଇସେନ୍‌ସ୍‌ ଅଧିକାରୀମାନଙ୍କୁ ଫେରାଇ ଦେଇଥିବା କଥା ନର୍‌ଫୋକ୍‌ ପୁଲିସ କହିଛି।
ଜାନୁଆରି ୧୭ ତାରିଖ ଧକ୍କା ଘଟନାର ତଦନ୍ତ ଫାଇଲ୍‌ ବିଚାର ନିମନ୍ତେ କ୍ରାଉନ୍‌ ପ୍ରୋଜେକ୍ୟୁସନ୍‌ ସର୍ଭିସ୍‌କୁ ପଠାଇ ଦିଆଯାଇଥିଲା।

ସେମାନେ ବ୍ରିଟେନ୍‌ର ଲାଇସେନ୍‌ସ୍‌ ଅଥରିଟି ‘ଡିଭିଏଲ୍‌ଏ’ଙ୍କୁ ତାଙ୍କ ଲାଇସେନ୍‌ସ୍‌ଟିକୁ ହସ୍ତାନ୍ତର କରିବେ।

ଡ୍ରାଇଭିଙ୍ଗ୍‌ ବନ୍ଦ କରିବାକୁ ବ୍ରିଟେନ୍‌ରେ କୌଣସି ଆଇନ୍‌ସମ୍ମତ ବୟସ ନାହିଁ, କିନ୍ତୁ ଡ୍ରାଇଭର୍‌ମାନେ ୭୦ ବର୍ଷ ପରେ ପ୍ରତି ତିନି ବର୍ଷରେ ଥରେ ସେମାନଙ୍କ ଲାଇସେନ୍‌ସ୍‌ ରିନ୍ୟୁ କରିବାକୁ ପଡ଼େ।

ସମ୍ବନ୍ଧିତ ଖବର