ବ୍ରିଟେନ୍‌କୁ ଯୁଦ୍ଧ ଧମକ ଦେଲା ରୁଷ୍‌

ମସ୍କୋ: ବ୍ରିଟେନ୍‌ର ପୂର୍ବତନ ଗୁଇନ୍ଦା ସର୍ଗେଇ ସ୍କ୍ରିପାଲ ଓ ତାଙ୍କ ଝିଅଙ୍କୁ ବିଷ ପ୍ରୟୋଗ କରି ହତ୍ୟା ଉଦ୍ୟମ କରାଯିବା ମାମଲା ଏବେ ଉଗ୍ର ରୂପ ଧାରଣ କରିଛି। ବ୍ରିଟେନ୍‌ ନିଆଁ ସହ ଖେଳିବାକୁ ପ୍ରୟାସ କରୁଛି ଏବଂ ଏହି ରାଷ୍ଟ୍ର ନ ସୁଧୁରିଲେ ଏହା ପ୍ରକୃତ ଯୁଦ୍ଧର ରୂପ ନେବ ବୋଲି ଆଜି ରୁଷିଆ କୂଟନୀତିଜ୍ଞ ଓ୍ଵସିଲି ନେମ୍ବେଜିଆ ବ୍ରିଟେନ୍‌କୁ ଧମକ ଦେଇଛନ୍ତି। ନେମ୍ବେଜିଆ କହିଛନ୍ତି ବିନା ଦୋଷରେ ବ୍ରିଟେନ୍‌ ରୁଷ୍‌କୁ ବିଶ୍ୱ ଦରବାରରେ ନିନ୍ଦିତ କରିବାର ପ୍ରୟାସ କରୁଛି। ମନଗଢା କାହାଣୀ କହି ଅନ୍ୟ ଦେଶଙ୍କୁ ଭ୍ରମିତ କରିବା ସହ ରୁଷ୍‌ ବିପକ୍ଷରେ ଯିବା ପାଇଁ ଚାପ ପ୍ରୟୋଗ କରୁଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ରୁଷ୍‌ ଏଥିପାଇଁ ଆଜି ମସ୍କୋରେ ଏକ ସ୍ୱତନ୍ତ୍ର ପ୍ରତିରକ୍ଷା ବୈଠକ ମଧ୍ୟ ଆୟୋଜନ କରିଛି। ବ୍ରିଟେନ୍‌ ଜାଣିଶୁଣି ରୁଷ୍‌ ବିରୋଧରେ ଛାୟା ଯୁଦ୍ଧ ଆରମ୍ଭ କରିବାକୁ ଚାହୁଁଥିବାରୁ ଆବଶ୍ୟକ ପଡ଼ିଲେ ରୁଷ୍‌ ପ୍ରକୃତ ଯୁଦ୍ଧରେ ଏହାର ଜବାବ ଦେବ ବୋଲି ନେମ୍ବେଜିଆ କହିଛନ୍ତି। ନେମ୍ବେଜିଆ କହିଛନ୍ତି, ଯେଉଁ ବିଷାକ୍ତ ଗ୍ୟାସ୍‌ ପ୍ରୟୋଗ କରି ବ୍ରିଟେନ୍‌ ଗୁଇନ୍ଦା କର୍ମୀଙ୍କୁ ହତ୍ୟା କରାଯିବାର ପ୍ରୟାସ କରାଯାଇଛି, ତାହା କେବଳ ରୁଷିଆରେ ନୁହେଁ ବରଂ ବିଶ୍ୱର ଅନେକ ରାଷ୍ଟ୍ରରେ ତିଆରି କରାଯାଉଛି। ସେପଟେ ଜାତିସଂଘର ଆଦେଶକୁ ପ୍ରତ୍ୟାଖ୍ୟାନ କରି ରୁଷିଆ ଏହି ମାମଲାର ତଦନ୍ତରେ ସହଯୋଗ କରୁନଥିବା ବ୍ରିଟେନ୍‌ କୂଟନୀତିଜ୍ଞ କେରେନ୍‌ ପିୟର୍ସ କହିଛନ୍ତି। ବ୍ରିଟେନ୍‌ ଓ ରୁଷ୍‌ ମଧ୍ୟରେ ଆରମ୍ଭ ହୋଇଥିବା ଏହି ବିବାଦରେ ଆମେରିକା ଏହାର ମିତ୍ର ରାଷ୍ଟ୍ର ବ୍ରିଟେନ୍‌ ପକ୍ଷଭୁକ୍ତ ହୋଇଥିବାରୁ ଯୁଦ୍ଧ ହେଲେ ରୁଷ୍‌କୁ ଅଧିକ କ୍ଷତି ସହିବାକୁ ପଡ଼ିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର