ହଠାତ୍‌ ଭୁଶୁଡି ପଡ଼ିଲା କୋଠା, ଅନେକ ଲୋକ ଚାପି ହୋଇ ରହିଥିବା ସନ୍ଦେହ

ଯୋଧପୁର: ରାଜସ୍ଥାନର ଯୋଧପୁର ଜିଲ୍ଲାର ସରଦାରପୁରାସ୍ଥିତ ଏକ ବ୍ୟସ୍ତବହୁଳ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଏକ କୋଠା ହଠାତ୍‌ ଭୁଶୁଡି ପଡ଼ିଥିବା ଖବର ମିଳିଛି। ସ୍ଥାନୀୟଲୋକଙ୍କ କହିବାନୁସାରେ, କୋଠା ଯେଉଁସ୍ଥାନରେ ଭୁଶୁଡି ପଡ଼ିଛି ସେହି ରାସ୍ତାଟି ସର୍ବଦା ବ୍ୟସ୍ତବହୁଳ ରହିଥାଏ। ତେଣୁ କୋଠା ଭୁଶୁଡି ପଡ଼ିବା ହେତୁ ଏହା ତଳେ ଅନେକ ଲୋକ ଚାପି ହୋଇଯାଇଥିବା ସନ୍ଦେହ କରାଯାଉଛି।

କୁହାଯାଉଛି କି, ଏହି କୋଠା ନିକଟରେ ଅନ୍ୟ ଏକ କୋଠାର ଆଜି ନିଅ ଖୋଳା ଚାଲିଥିଲା। ଏହି ସମୟରେ କୋଠାଟି ହଠାତ୍‌ ଭୁଶୁଡି ପଡ଼ିଥିଲା। ତେଣୁ ଏଠାରେ କାମ କରୁଥିବା କେତେକ ଶ୍ରମିକ ଓ ଏହି ରାସ୍ତା ଦେଇ ଯିବା ଆସିବା କରୁଥିବା ଲୋକମାନେ କୋଠା ତଳେ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି। ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ଉଦ୍ଧାରକାରୀ ଦଳ ଓ ଏନ୍‌ଡିଆର୍‌ଏଫ୍‌ ଟିମ ବି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି। ଘଟଣାସ୍ଥଳରେ ଆମ୍ବୁଲାନ୍ସ ବି ପହଞ୍ଚି ଯାଇଛି, କାରଣ ଗୁରୁତର ଆହତଙ୍କୁ ତୁରନ୍ତ ହସ୍‌ପିଟାଲ ପର୍ଯ୍ୟନ୍ତ ନିଆଯାଇପାରିବ। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ କେତେଜଣ ମୃତାହତ ତାହା ଜଣାପଡ଼ି ନଥିଲା।

ସମ୍ବନ୍ଧିତ ଖବର