ବୁରାଡ଼ି କାଣ୍ଡ: ୧୧ ମୃତ୍ୟୁର ରହସ୍ୟ ଖୋଲିବ

ମହିଳା ତାନ୍ତ୍ରିକ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀର ବୁରାଡ଼ିରେ ୧୧ ଜଣଙ୍କ ସାମୂହିକ ଆତ୍ମହତ୍ୟା ଦେଶବ୍ୟାପୀ ହଇଚଇ ସୃଷ୍ଟି କରିଥିବା ବେଳେ ଆଜି ଭାଟିଆ ପରିବାର ସହିତ ସଂପୃକ୍ତ ଜଣେ ମହିଳା ତାନ୍ତ୍ରିକକୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି। ସମୂହ ଆତ୍ମହତ୍ୟା କରିଥିବା ଭାଟିଆ ପରିବାର ରହୁଥିବା ଘରକୁ ଯେଉଁ ଠିକାଦାର ନିର୍ମାଣ କରିଥିଲେ, ଉକ୍ତ ମହିଳା ତାନ୍ତ୍ରିକ ତାଙ୍କ ଭଉଣୀ ବୋଲି ଜଣାପଡ଼ିଛି। ଆତ୍ମହତ୍ୟା ପାଇଁ ପରିବାରର ସମସ୍ତ ସଦସ୍ୟଙ୍କୁ ପ୍ରବର୍ତ୍ତାଇଥିବା ଘରର ସାନ ପୁଅ ଲଲିତ ମୃତ୍ୟୁ ପୂର୍ବରୁ ତାଙ୍କ ଫୋନ୍‌ରୁ ଉକ୍ତ ଠିକାଦାରଙ୍କୁ ଫୋନ୍‌ କରିଥିଲେ। ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ ଭାଟିଆ ପରିବାର ଗୀତା ମା’ ନାମ୍ନୀ ଏହି ମହିଳା ତାନ୍ତ୍ରିକ ସହ ଘନିଷ୍ଠ ସଂପର୍କରେ ଥିଲେ। ଭୂତ-ପ୍ରେତ ଘଉଡ଼ାଇ ପାରୁଥିବା ନେଇ ଦାବି କରୁଥିବା ଏହି ମହିଳା ତାନ୍ତ୍ରିକ ଉପରେ ଲଲିତ ଭାଟିଆଙ୍କ ଅଧିକ ଆସ୍ଥା ରହିଥିଲା। ପୁଲିସ ଏବେ ଏହି ମହିଳାଙ୍କୁ ଗିରଫ କରିଥିବାରୁ ୧୧ ମୃତ୍ୟୁର ରହସ୍ୟ ଖୋଲିବ ବୋଲି ଆଶା କରାଯାଉଛି। ଭାଟିଆ ପରିବାର ଆତ୍ମହତ୍ୟା କରିବାକୁ ଯେଉଁ ନିଷ୍ପତ୍ତି ନେଇଥିଲେ ସେ ସଂପର୍କରେ ଏହି ମହିଳା ତାନ୍ତ୍ରିକ ଅବଗତ ଥିଲେ କି ନାହିଁ ସେ ସଂପର୍କରେ ପୁଲିସ ତାଙ୍କୁ ଜେରା ଚଳାଇଛି। ତନ୍ତ୍ର ବିଦ୍ୟାରେ ଗୀତା ମା’ ନିଜର ବିଶେଷ ଦଖଲ ଥିବା ତାଙ୍କର ଅନେକ ଅନୁଗାମୀଙ୍କୁ କହିଥିବା ଜଣାପଡ଼ିଛି। ମହିଳା ତାନ୍ତ୍ରିକ ତାଙ୍କର ଭାଇ ମାଧ୍ୟମରେ ଭାଟିଆ ପରିବାର ଉପରେ ପ୍ରଭାବ ବିସ୍ତାର କରିଥିଲେ ବୋଲି କୁହାଯାଉଛି।

ମୃତ୍ୟୁର ରିହର୍ସାଲକୁ ନେଇ ନୂଆ ତଥ୍ୟ
ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଯାଞ୍ଚରୁ ଏହି ସାମୂହିକ ଆତ୍ମହତ୍ୟା ପଛରେ ଧାର୍ମିକ ଅନ୍ଧବିଶ୍ୱାସ, ତନ୍ତ୍ରମନ୍ତ୍ର ଏବଂ ମୋକ୍ଷ ମୁଖ୍ୟ କାରଣ ରହିଥିବା ଜଣାପଡ଼ିଛି। ଆତ୍ମହତ୍ୟା କରିବା ପୂର୍ବରୁ ସମସ୍ତ ସଦସ୍ୟ ମୃତ୍ୟୁର ରହିର୍ସାଲ କରୁଥିବାନେଇ କେତେକ ନୂଆ ପ୍ରମାଣ ମିଳିଛି। ପୁଲିସ ଜବତ କରିଥିବା ଡାଏରୀ ଛାନ୍‌ଭିନ୍‌ରୁ ଏ ସଂପର୍କିତ ତଥ୍ୟ ମିଳିଛି। ୩୦ ଜୁନ୍‌ ପୂର୍ବରୁ ଭାଟିଆ ପରିବାର ଲଗାତାର ୬ ଦିନ ଧରି ଫାଶୀରେ ଝୁଲିବା ଅଭ୍ୟାସ କରୁଥିଲେ ବୋଲି ଜଣାପଡ଼ିଛି। ସମସ୍ତେ ସମୂହ ଭାବେ କିଭଳି ଏହି ଅଭ୍ୟାସ କରିବେ ସେ ସଂପର୍କରେ ମଧ୍ୟ ତଥ୍ୟ ଉଲ୍ଲେଖ ରହିଛି।

ସିସିଟିଭିରୁ ମିଳିଲା ଅଧିକ ପ୍ରମାଣ
୨୮ ଜୁନ୍‌ ସନ୍ଧ୍ୟା ସାଢ଼େ ୭ଟାରେ ରେକର୍ଡ ହୋଇଥିବା ସିସିଟିଭି ଫୁଟେଜରୁ ଲଳିତଙ୍କ ପତ୍ନୀ ଟିନା, ଭୂପିଙ୍କ ପୁଅ ଧ୍ରୁବ ଘର ନିକଟରେ ଥିବା ଏକ ଫର୍ନିଚର ଦୋକାନରୁ ୪ଟି ଷ୍ଟୁଲ୍‌ କିଣି ନେଉଥିବା ଦେଖିବାକୁ ମିଳିଛି। ଦୁଇଟି ଷ୍ଟୁଲ୍‌ ଟିନାଙ୍କ ହାତରେ ଥିବା ବେଳେ ପଛରେ ଯାଉଥିବା ଧ୍ରୁବଙ୍କ ହାତରେ ୨ଟି ଷ୍ଟୁଲ୍‌ ଥିଲା। ଫାଶୀ ଲଗାଇବା ପାଇଁ ଏହି ଷ୍ଟୁଲ୍‌କୁ ବ୍ୟବହାର କରାଯାଇଥିଲା। ଏହାପୂର୍ବରୁ ମିଳିଥିବା ଅନ୍ୟ ଏକ ସିସିଟିଭି ଫୁଟେଜରେ ଘରର ବଡ଼ ପୁଅ ଭୂପିଙ୍କ ପତ୍ନୀ ସ୍ୱାତୀ ଏବଂ ତାଙ୍କ ଝିଅ ନୀତି ଘଟଣା ଘଟିଥିବା ରାତିରେ ୨ଟି ଷ୍ଟୁଲ୍‌ ଘରକୁ ନେଉଥିବା ଦେଖାଯାଇଛି।

୧୧ ମୃତ୍ୟୁ, ୯ ଷ୍ଟୁଲ୍‌
କ୍ରାଇମ୍‌ ବ୍ରାଞ୍ଚ ଟିମ୍‌ ଆତ୍ମହତ୍ୟା ସ୍ଥଳରୁ ୯ଟି ଷ୍ଟୁଲ୍‌ ଜବତ କରିଛନ୍ତି। ଏଥିରେ ୮ଟି ବଡ଼ ଷ୍ଟୁଲ ଥିବା ବେଳେ ଗୋଟିଏ ଛୋଟ ଷ୍ଟୁଲ୍‌ ରହିଥିଲା। ଏହା ବ୍ୟତୀତ ଫାଶୀ ଲଗାଇବା ପାଇଁ ବ୍ୟବହାର ହୋଇଥିବା ତାରକୁ ମଧ୍ୟ ଯାଞ୍ଚ କରାଯାଉଛି। ପୁଲିସ କହିବା ମୁତାବକ ପରିବାରର ୯ ଜଣ ସଦସ୍ୟ ଆତ୍ମହତ୍ୟା ପାଇଁ ୫ଟି ଷ୍ଟୁଲ ବ୍ୟବହାର କରିଥିବା ବେଳେ ଆଉ ଏକ ଷ୍ଟୁଲ ଲଳିତ ଓ ଭୂପିଙ୍କ ମା’ ବ୍ୟବହାର କରିଥାନ୍ତେ। ଏହି ଆତ୍ମହତ୍ୟା ପଛରେ ଲଳିତଙ୍କ ପତ୍ନୀଙ୍କ ଭୂମିକା ଅଧିକ ରହିଥିବା ଏବଂ ଲଲିତଙ୍କ ନିଷ୍ପତ୍ତି କାର୍ଯ୍ୟକାରୀ କରିବା ପାଇଁ ସେ ସମସ୍ତଙ୍କ ଉପରେ ଚାପ ସୃଷ୍ଟି କରିଥିବା ଡାଏରୀ ଅନୁଧ୍ୟାନରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର