ବୁରାଡ଼ି ଗଣ ଆତ୍ମହତ୍ୟା: କେବଳ ଜଣେ ସଦସ୍ୟ ଶେଷ ମୁହୂର୍ତ୍ତରେ ବଞ୍ଚିବା ଲାଗି ଉଦ୍ୟମ କରିଥିଲେ
ନୂଆଦିଲ୍ଲୀ: ବୁରାଡ଼ି ଗଣ-ଆତ୍ମହତ୍ୟାର ତଦନ୍ତ ଯେତିକି ଯେତିକି ଆଗକୁ ବଢୁଛିି, ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଜୁଲାଇ ୧ ତାରିଖରେ ଗୋଟିଏ ପରିବାରର ୧୧ ଜଣ ସଦସ୍ୟ ଆତ୍ମହତ୍ୟା କରିବା ଘଟଣା ଏବେ ବି ରହସ୍ୟାବୃତ୍ତ ହୋଇରହିଛି । ଏହି ମାମଲାରେ ଚାଲିଥିବା ତଦନ୍ତରୁ ମିଳିଥିବା ସଦ୍ୟତମ ତଥ୍ୟ ହେଉଛି ୧୧ ଜଣଙ୍କ ମଧ୍ୟରୁ କେବଳ ଜଣେ ସଦସ୍ୟ ନିଜକୁ ଫାଶୀ ଦେବା ପରେ ବଂଚିବା ଲାଗି ପ୍ରୟାସ କରିଥିଲେ। ଜନୈକ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଘରର ଛାତକୁ ଲାଗି ଥିବା ଏକ ଲୁହା ଗ୍ରିଲ୍ରେ ପରିବାରର ୮ ଜଣ ନିଜକୁ ଫାଶୀ ଦେଇଥିଲେ। ସେମାନଙ୍କ ମଧ୍ୟରୁ କେବଳ ୫୦ ବର୍ଷୀୟ ଭବନେଶ୍ ଭାଟିଆ ହିଁ ନିଜକୁ ଦଉଡିରେ ଝୁଲାଇବା ପରେ ବଂଚିବା ଲାଗି ଉଦ୍ୟମ କରିଥିଲେ, ଯାହା କିନ୍ତୁ ବିଫଳ ହୋଇଥିଲା। ତାଙ୍କ ମୃତଦେହର ଫୋରେନ୍ସିକ୍ ଯାଞ୍ଚ ପରେ ଏହି ତଥ୍ୟ ସାମ୍ନାକୁ ଆସିଛି। ଭବନେଶ୍ଙ୍କ ମୃତଦେହ ଜବତ୍ ହେବା ବେଳେ ତାଙ୍କର ଗୋଟିଏ ହାତ ତଣ୍ଟି ପାଖରେ ଥିଲା। ଏହା ସ୍ପଷ୍ଟ କରୁଛି ଯେ, ଅଣନିଶ୍ୱାସୀ ହୋଇ ଉଠିବା ପରେ ସେ ବେକରେ ଦଉଡ଼ିକୁ ହଟାଇବାକୁ ଚେଷ୍ଟା କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଯଦିଓ ବାହ୍ୟ ପ୍ରଭାବ ହେତୁ ଭାଟିଆ ପରିବାରର ୧୧ ସଦସ୍ୟ ଏକାଠି ଆତ୍ମହତ୍ୟା କରିଥିଲେ, କିନ୍ତୁ ନିର୍ଦ୍ଦିଷ୍ଟ କାରଣ ଏଯାବତ୍ ଜଣାପଡ଼ି ନାହିଁ। ଇତିମଧ୍ୟରେ ତଦନ୍ତକାରୀମାନେ ଘଟଣାକୁ ନେଇ ୧୩୦ଜଣଙ୍କୁ ପଚରାଉଚୁରା କରିସାରିଲେଣି। ଦିଲ୍ଲୀ କ୍ରାଇମ୍ବ୍ରାଞ୍ଚ କେବଳ ଏତିକି ସ୍ପଷ୍ଟ କରିଛି କି, ବାହ୍ୟ ପ୍ରଭାବର ବଶବର୍ତ୍ତୀ ହୋଇ ୧୧ ଜଣ ମୃତ୍ୟୁକୁ ଆଦରି ନେଇଥିଲେ।