ଭଗବାନଙ୍କୁ ପାଇବା ପାଇଁ ମା’ ତାଙ୍କ ୩ ସନ୍ତାନଙ୍କ ସହ ଗାଡ଼ିରେ ବସି ନିଆଁ ଲଗାଇଦେଲେ

ହ୍ୟୁଷ୍ଟନ : ଆମେରିକାର ହ୍ୟୁଷ୍ଟନଠାରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ଘଟଣା। ଜଣେ ମହିଳା ଭଗବାନଙ୍କ ସହ ସାକ୍ଷାତ କରିବା ଆଶାରେ ନିଜର ତିନି ସନ୍ତାନଙ୍କ ସମେତ ନିଜେ ଗାଡ଼ିରେ ବସି ନିଆଁ ଲଗାଇ ଦେଇଛନ୍ତି । ବର୍ତ୍ତମାନ ସମସ୍ତେ ସୁରକ୍ଷିତ ଥିବା ସୂଚନା ମିଳିଥିବା ବେଳେ ମହିଳା ଜଣଙ୍କୁ ପୁଲିସ ଗିରଫ କରିଥିବାର ଜଣାପଡ଼ିଛି।

ସୂଚନା ମୁତାବକ, ମହିଳା ଜଣକ ରବିବାର ସନ୍ଧ୍ୟା ସମୟରେ ଗାଡ଼ି ସଫା କରିବା ପାଇଁ ବାହାରକୁ ଆସିଥିଲେ । କିନ୍ତୁ ସେହି ସମୟରେ ହଠାତ୍‌ ସେ ଗାଡ଼ିର ଇଞ୍ଜିନକୁ ବାରମ୍ବାର ଷ୍ଟାର୍ଟ କରିବା ଆରମ୍ଭ କରିଦେଇଥିଲେ। ସେ ଏପରି ଭାବେ ଇଞ୍ଜିନକୁ ଉତ୍ତପ୍ତ କରିଥିଲେ କି ତାଙ୍କ ଗାଡ଼ିରେ ନିଆଁ ଲାଗିଯାଇଥିଲା। ଗାଡ଼ିରେ ମଧ୍ୟ ମହିଳାଙ୍କ ସହ ତାଙ୍କ ୯ ,୧୧ ଏବଂ ୧୩ ବର୍ଷର ତିନୋଟି ସନ୍ତାନ ମଧ୍ୟ ରହିଥିଲେ । ନିଆଁ ଲଗିବା ପରେ ମହିଳା ଜଣକ ଆମେ ଭଗବାନଙ୍କ ପାଖକୁ ଯାଉଛୁ ବୋଲି କହିବା ଆରମ୍ଭ କରିଦେଇଥିଲେ । କିଛି ସମୟ ପରେ ମହିଳା ନିଜେ ସେହି ଗାଡ଼ିରୁ ବାହାରି ଆସିଥିଲେ । ସେଠାରେ ଉପସ୍ଥିତ ଥିବା ପ୍ରତ୍ୟକ୍ଷଦର୍ଶୀ ଘଟଣା ସମ୍ବନ୍ଧରେ ପୁଲିସକୁ ଜଣାଇବା ପରେ ପୁଲିସ ମହିଳା ଜଣଙ୍କୁ ଗିରଫ କରିବା ସହ ଛୁଆମାନଙ୍କୁ ତାଙ୍କ ପରିବାର ସଦସ୍ୟଙ୍କ ପାଖକୁ ପଠାଯାଇଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମହିଳାଙ୍କ ଏପରି ବ୍ୟବହାରର କାରଣ କିଛି ଜଣାପଡ଼ିନାହିଁ।

ସମ୍ବନ୍ଧିତ ଖବର