ଖାଇକୁ ଖସିଲା ବସ୍‌, ୧୬ ମୃତ

ଡେରାଡ଼ୁନ୍‌: ଉତ୍ତରାଖଣ୍ଡରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ଉତ୍ତରାଖଣ୍ଡ ପରିବହନ ନିଗମର ଏକ ବସ୍‌ ଆଜି ରାଜ୍ୟ ରାଜଧାନୀ ଡେରାଡୁନ୍‌ ଠାରୁ ୯୦ କିମି ଦୂର ତେହରି ଜିଲ୍ଲା ସ୍ଥିତ ଚାମ୍ବା ସହରରେ ଏକ ୨୫୦ ମିଟର ଗଭୀର ଖାଇ ଗର୍ଭକୁ ଖସି ପଡ଼ିବା ଫଳରେ ୧୬ ଜଣ ପ୍ରାଣ ହରାଇଛନ୍ତି। ଦୁର୍ଘଟଣାରେ ୧୭ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଆହତ ୧୭ ଜଣଙ୍କ ମଧ୍ୟରେ ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବ ବୋଲି ଆଶଙ୍କା କରାଯାଉଛି। ଜଣାଯାଇଛି ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ଧରି ବସ୍‌ଟି ଉତ୍ତରକାଶୀର ବାଦକୋଟ୍‌ରୁ ଯାତ୍ରା କରୁଥିବା ବେଳେ ଆଜି ସକାଳ ପ୍ରାୟ ୮ଟା ସମୟରେ ସୂର୍ଯ୍ୟଧାର ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇ ଖାଇକୁ ଖସି ପଡ଼ିଥିଲା। ୬ ଜଣ ଗୁରୁତର ଆହତଙ୍କୁ ରୁଷିକେଶର ଏମ୍ସରେ ଚିକିତ୍ସା କରାଯାଉଥିବାବେଳେ ବାକି ସମସ୍ତେ ଚାମ୍ବାର ତେହରି ଜିଲ୍ଲା ହସ୍ପିଟାଲ୍‌ ଏବଂ ମସିହା ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ଵତ ଏହି ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରି ମୃତକଙ୍କ ପରିବାର ସଦସ୍ୟଙ୍କୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି ଏବଂ ଆହତଙ୍କ ପରିବାର ସଦସ୍ୟଙ୍କୁ ୫୦ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି। ଉଲ୍ଲେଖଯୋଗ୍ୟ ଏହିଭଳି ଏକ ସମାନ ଦୁର୍ଘଟଣାରେ ଗତ ଜୁଲାଇ ୧ ତାରିଖରେ ପୌରି ଗଡ଼ଓ୍ଵାଲ୍‌ରେ ୪୯ ଜଣଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର