ନଦୀରେ ଖସିପଡିଲା ବରଯାତ୍ରୀଙ୍କୁ ନେଇ ଯାଉଥିବା ବସ, ୨୫ ଜଣଙ୍କର ମୃତ୍ୟୁ

ଜୟପୁର: ବରଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ନଦୀରେ ଖସିପଡିଲା ବସ | ଏହି ଦୁର୍ଘଟଣାରେ ୨୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି | ରାଜସ୍ଥାନର ବୁନଦି ଜିଲ୍ଲାରେ ଆଜି ସକାଳେ ଏଭଳି ଏକ ମର୍ମନ୍ତୁଦ ସଡକ ଦୁଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ କୋଟାରୁ ମାଧୋପୁର ବରଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ ଭାରସାମ୍ୟ ହରାଇ ମେଜ ନଦୀରେ ଖସିପଡିଥିଲା | ଦୁର୍ଘଟଣାରେ ଏତେ ଭୟଙ୍କର ଶବ୍ଦ ହୋଇଥିଲା ଯେ ଗ୍ରାମବାସୀ ଆସି ଘଟଣାସ୍ଥଳରେ ପହଂଚି ନଦୀରେ ଖସିପଡିଥିବା ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ |

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ବସଟି ଦ୍ରୁତ ଗତିରେ ଯାଉଥିବାବେଳେ ଭାରସାମ୍ୟ ହରାଇ ବ୍ରିଜର ବାଡ଼ ଭାଙ୍ଗି ନଦୀ ଗର୍ଭକୁ ଖସିପଡିଥିଲା | ଅଧିକାଂଶ ଯାତ୍ରୀଙ୍କ ମୃତ୍ୟୁ ନଦୀରେ ବୁଡିବ ଯୋଗୁଁ ହୋଇଥିବାର ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି | ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ପିଛା ସରକାରଙ୍କ ପକ୍ଷରୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରାଯାଇଛି | ତେବେ ବର୍ତ୍ତମାନ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି | ତେଣୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି | ଏନଡିଆରଏଫ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଚାଲିଥିବାବେଳେ ଆହତ ମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି |

ସମ୍ବନ୍ଧିତ ଖବର