ବୁସ୍‌ରା ବିବିଙ୍କ ନିୟନ୍ତ୍ରଣରେ ଜିନ୍‌!

ତୃତୀୟ ପତ୍ନୀଙ୍କୁ ନେଇ ଚର୍ଚ୍ଚାରେ ଇମ୍ରାନ

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ତୃତୀୟ ପତ୍ନୀ ବୁସ୍‌ରା ବିବି ତନ୍ତ୍ରମନ୍ତ୍ର ଉପରେ ପ୍ରବଳ ବିଶ୍ୱାସ ରଖୁଥିବା ସମସ୍ତେ ଜାଣନ୍ତି। କିନ୍ତୁ ସେ ଜିନ୍‌ମାନଙ୍କୁ ନିଜ ନିୟନ୍ତ୍ରଣରେ ରଖିପାରୁଥିବା ଏବଂ ସେମାନଙ୍କୁ ଖାଇବାକୁ ଦେଉଥିବା ଖବର ପାକିସ୍ତାନରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବୁସାରା ଧର୍ମପରାୟଣା ଏବଂ ସେ ଏଥିପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ଇମ୍ରାନ ଡିଣ୍ଡିମ ପିଟୁଥିବା ବେଳେ ଅସଲରେ ବୁସ୍‌ରାଙ୍କ ସଂପର୍କରେ ଅନେକ ବିବାଦୀୟ ତଥ୍ୟ ଏବେ ସାମ୍ନାକୁ ଆସୁଛି। ଇମ୍ରାନଙ୍କ ପାକିସ୍ତାନ ତେହେରିକ ଏ ଇନ୍‌୍‌ସାଫ୍‌ ପାର୍ଟିର ବିଜୟ ପାଇଁ ମଧ୍ୟ ବୁସାରା ନିଜ ତନ୍ତ୍ର ବିଦ୍ୟାକୁ ଶ୍ରେୟ ଦେଉଥିବା ଦେଖିବାକୁ ମିଳିଛି। ବୁସ୍‌ରା ତାଙ୍କ ପୂର୍ବ ସ୍ୱାମୀ ଖାଓ୍ଵର ମାନେକାଙ୍କ ସହ ଖାଲି ପାଦରେ ଆଧ୍ୟାତ୍ମ ଯାତ୍ରାରେ ଯାଉଥିବା ନଜିର ରହିଥିବା ବେଳେ ଗତ ମାସ ଶେଷ ସପ୍ତାହରେ ମଧ୍ୟ ସେ ଖାଲି ପାଦରେ ଆଧ୍ୟାତ୍ମ ଯାତ୍ରାରେ ବାହାରିବାକୁ ଘୋଷଣା କରିଥିଲେ। ବୁସାରାଙ୍କ ସଂପର୍କରେ ଏକ ରୋଚକ ଘଟଣା ଏବେ ସାମ୍ନାକୁ ଆସିଛି। ପାକ୍‌ପାଟ୍ଟନ ପୁଲିସ ରାସ୍ତା ଅବରୋଧ କରି ଚାଲୁଥିବା ବୁସ୍‌ରାଙ୍କ ପିଲାମାନଙ୍କୁ ଚିହ୍ନି ନପାରି ସେମାନଙ୍କୁ ଅଟକାଇଥିବା ବେଳେ ବୁସ୍‌ରାଙ୍କ ପୂର୍ବ ସ୍ୱାମୀଙ୍କୁ ମଧ୍ୟ ବେଆଇନ ପାର୍କିଂ ପାଇଁ ଅଟକ ରଖିଥିଲେ। ତେବେ ଅଚାନକ ବୁସାରା ଘଟଣାସ୍ଥଳରେ ପହଞ୍ଚି ପୁଲିସ ସହ ଯୁକ୍ତି କରିଥିଲେ। ସଂପୃକ୍ତ ପୁଲିସ ଅଫିସରଙ୍କୁ ବୁସାରା ଅପମାନିତ କରିଥିବା ପରବର୍ତ୍ତୀ ସମୟରେ ଜଣାପଡ଼ିଥଲା। ଏହା ବ୍ୟତୀତ ବୁସ୍‌ରାଙ୍କ ଅନେକ ବିବାଦୀୟ କାର୍ଯ୍ୟ ମଧ୍ୟ ଇମ୍ରାନଙ୍କ ସମସ୍ୟା ବଢ଼ାଉଛି। ଇମ୍ରାନଙ୍କ ଇସାଲମାବାଦ ବାସଭବନ ଛାତ ଉପରେ ବୁସ୍‌ରା ଜିନ୍‌ଙ୍କ ପାଇଁ ମାଂସ ଭୋଜି କରୁଥିବା ନେଇ ପାକ୍‌ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର