ଫୋନ୍‌ରେ ବ୍ୟସ୍ତ ଥିବା ଇଞ୍ଜିନିୟର୍‌ଙ୍କ ଉପରେ ତାଙ୍କ ବାହାଘର ଦିନ ଚଢ଼ି ଗଲା ଟ୍ରେନ୍‌

ବରେଲି: ରବିବାର ସକାଳେ ଜଣେ ୩୦ ବର୍ଷିୟ ବ୍ୟକ୍ତି ଗୋଟିଏ ଫୋନ୍‌ରେ କଥା ହେବା ସହ ଅନ୍ୟ ଏକ ଫୋନ୍‌ର ମେସେଜ୍‌ ଟାଇପ୍‌ କରି କରି ଗାଁ ପାଖ ଦେଇ ଯାଇଥିବା ଏକ ରେଳଧାରଣା ପାର ହେଉଥିବା ବେଳେ ତାଙ୍କ ଉପରେ ଟ୍ରେନ୍‌ ଚଢ଼ି ଯାଇଛି।

ନୋଇଡ଼ାର ଏକ ଘରୋଇ ସଂସ୍ଥାନରେ କାମ କରୁଥିବା ସେ ଲୋକଟି ଜଣେ ଇଞ୍ଜିନୟର୍‌। ସେ ଦିନରେ ସନ୍ଧ୍ୟାରେ ଥିଲା ତାଙ୍କର ବାହାଘର।
ଦେଖଣାହାରିଙ୍କ କହିବାନୁସାରେ, ନରେଶ ପାଲ୍‌ ଗଙ୍ଗ୍‌ଓ୍ଵର ଗୋଟିଏ ଫୋନ୍‌ରେ କଥା କହୁଥିଲେ ଏବଂ ଅନ୍ୟ ଏକ ଫୋନ୍‌ରେ ଟେକ୍‌ଷ୍ଟିଙ୍ଗ୍‌ କରୁଥିବାରୁ ରାଜ୍ୟ ରାଣୀ ଏକ୍ସ୍‍ପ୍ରେସ୍‌ ଆସୁଥିବା କଥା ଜାଣି ପାରି ନ ଥିଲେ। ନରେଶ ପାଲ୍‌ଙ୍କ ପରିବାର ବସବାସ କରୁଥିବା ନନ୍ଦୋସି ଗାଁ’ରେ ଘଟଣାଟି ଘଟିଛି। ନିର୍ମାଣ ସଂସ୍ଥାନ ସୁଜୁକି ବିଲ୍‌ଡର୍ସରେ ସେ ଜଣେ ସିଭିଲ୍‌ ଇଞ୍ଜିନିୟର୍‌ ଭାବେ କାମ କରୁଥିଲେ।

ଶାହାଜାହନପୁ ଠାରେ ରବିବାର ସନ୍ଧ୍ୟାରେ ଉମା ଗଙ୍ଗ୍‌ଓ୍ଵର୍‌ଙ୍କ ସହ ନରେଶ ପାଲ୍‌ଙ୍କ ବାହାଘର ହୋଇ ଥାଆନ୍ତା। ତାଙ୍କ ପରିବାର ଶେଷ ମୁହୂର୍ତ୍ତିଆ ପ୍ରସ୍ତୁତିରେ ଲାଗିଥିବା ବେଳେ ଖବର ପାଇଲେ କି, ସକାଳ ୯ଟା ବେଳେ ସେ ଟ୍ରେନ୍‌ ଧକ୍କାରେ ଚାଲି ଯାଇଛନ୍ତି।

ନରେଶଙ୍କର ଜଣେ ଆତ୍ମୀୟ କହନ୍ତି: ଆମ ଘର ପାଖରୁ ରେଳ ଧାରଣା ମାତ୍ର ୫୦ ମିଟର୍‌ ଦୂରରେ। ନିଜ ସହକର୍ମୀଙ୍କ ଠାରୁ ଫୋନ୍‌ କଲ୍‌ ପାଇ ସେ ଟିକିଏ ବୁଲାବୁଲି କରିବାକୁ ଯାଇଥିଲା। ଦୁଇଟି ଫୋନ୍‌ରେ ମଗ୍ନ ଥିବାରୁ ସେ ଟ୍ରେନ୍‌ର ହର୍ଣ୍ଣ କିଂବା ପହଞ୍ଚିବା ଶବ୍ଦ ଶୁଣି ପାରି ନ ଥିଲା।
ଏଭଳି ବିୟୋଗାନ୍ତ ଘଟନାରେ ସମଗ୍ର ପରିବାର ସ୍ତବ୍ଧ ହୋଇ ଯାଇଛନ୍ତି। ଜଣଙ୍କ ଜୀବନର ସବୁଠୁ ସୁଖକର ଦିନ କୁହାଯାଉଥିବା ଦିନରେ ଏମିତି ଭୟାବହ ଘଟନା ଘଟିବ ବୋଲି କେହି କଳ୍ପନା କରି ନ ଥିଲେ।

ଏହା ଦୁର୍ଘଟଣା, ଆତ୍ମହତ୍ୟା ନୁହେଁ। ତଥାପି ଆମେ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛୁ ବୋଲି କହନ୍ତି ବରେଲି ସିଟିର ଏସ୍‌ପି।

ସମ୍ବନ୍ଧିତ ଖବର