ଓଡ଼ିଶା ସମେତ ୧୦ ମାଓ ପ୍ରବଣ ରାଜ୍ୟରେ ଲାଗିବ ୪୦୭୨ ମୋବାଇଲ ଟାଓ୍ଵାର

ନୂଆଦିଲ୍ଲୀ : ଓଡ଼ିଶା ସମେତ ୧୦ଟି ମାଓ ପ୍ରବଣ ରାଜ୍ୟରେ ମୋବାଇଲ ସେବା ସଂଯୋଗୀକରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ୟୁନିଭର୍ସାଲ ସର୍ଭିସ ଅବଲିଗେସନ ଫଣ୍ଡ(ୟୁଏସ୍‌ଓଏଫ) ଯୋଜନାକୁ ଆଜି କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ପ୍ରଦାନ କରିଛନ୍ତି। ଏହି ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଅନ୍ତର୍ଗତ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଦ୍ୱାରା ଚିହ୍ନଟ କରାଯାଇଥିବା ୪୦୭୨ଟି ସ୍ଥାନରେ ମୋବାଇଲ ଟାଓ୍ଵାର ସଂଯୋଗୀକରଣ କାର୍ଯ୍ୟ ତ୍ୱରାନ୍ଵିତ କରାଯିବ। ଏହି ତାଲିକାରେ ଓଡିଶା ସହ ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ଼, ଝାଡଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର,ତେଲେଙ୍ଗାନା,ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ମଧ୍ୟ ରହିଛନ୍ତି। ଏହି ଯୋଜନାରେ ୪ଜି ଓ ବ୍ରଡବ୍ୟାଣ୍ଡ ମଧ୍ୟ ଉପଲବ୍ଧ ହେବ। ପ୍ରଥମ ପର୍ଯ୍ୟାୟ ଅପେକ୍ଷା ଏହି ପର୍ଯ୍ୟାୟରେ ଟାଓ୍ଵାର ଗୁଡ଼ିକର ଉନ୍ନୀତକରଣ କରାଯିବ। ଉଲ୍ଲେଖଯୋଗ୍ୟ, ପ୍ରଥମ ପର୍ଯ୍ୟାୟରେ ୨ଜି ଟେକନୋଲୋଜି ଅନ୍ତର୍ଗତ ୨୩୫୫ ଟାଓ୍ଵାରରୁ ୨୩୩୫ ଟାଓ୍ଵାର ପ୍ରତିଷ୍ଠା ହୋଇସାରିଛି।

୧୦ଟି ରାଜ୍ୟର ୯୬ଟି ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ମୋବାଇଲ ଟାଓ୍ଵାର ସଂଯୋଗୀକରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ସମୁଦାୟ ୭,୩୩୦କୋଟି ଟଙ୍କାର ଅର୍ଥରାଶି ବ୍ୟୟ କରାଯିବ। ମାଓପ୍ରବଣ ଅଞ୍ଚଳରେ ମୋବାଇଲ ଟାଓ୍ଵାର ସ୍ଥାପନା କରାଗଲେ ସେଠାରେ ମୁତୟନ ହୋଇଥିବା ସୁରକ୍ଷାକର୍ମୀଙ୍କ ଯୋଗାଯୋଗରେ ସୁବିଧା ହେବା ସହ, ଏହି ସୁବିଧା ସାଧରଣ ଲୋକମାନେ ବି ପାଇପାରିବେ। ମୋବାଇଲ ଟାଓ୍ଵାର ପ୍ରତିଷ୍ଠା ଯୋଗୁଁ ଇ-ଗଭର୍ଣ୍ଣାନ୍ସରେ ମଧ୍ୟ ଉନ୍ନତି ହୋଇପାରିବ। ଏହି ପର୍ଯ୍ୟାୟରେ ଓଡ଼ିଶାର ୧୮ଟି ଜିଲ୍ଲାର ୪୮୩ଟି,ଆନ୍ଧ୍ରପ୍ରଦେଶର ୮ଟି ଜିଲ୍ଲାର ୪୨୯ଟି, ବିହାରର ୮ଟି ଜିଲ୍ଲାର ୪୧୨ଟି, ଛତିଶଗଡ଼ର ୧୬ଟି ଜିଲ୍ଲାରେ ୧୦୨୮ଟି,ଝାଡଖଣ୍ଡର ୨୧ଟି ଜିଲ୍ଲାରେ ୧୦୫୪ଟି, ମଧ୍ୟପ୍ରଦେଶର ଗୋଟିଏ ଜିଲ୍ଲାରେ ୨୬ଟି,ମହାରାଷ୍ଟ୍ରର ୨ଟି ଜିଲ୍ଲାରେ ୧୩୬ଟି, ତେଲେଙ୍ଗାନାର ୧୪ଟି ଜିଲ୍ଲାରେ ୧୧୮ଟି,ୟୁପିର ୩ଟି ଜିଲ୍ଲାରେ ୧୭୯ଟି ଓ ପଶ୍ଚିମବଙ୍ଗର ୫ଟି ଜିଲ୍ଲାରେ ୨୦୭ଟି ମୋବାଇଲ ଟାଓ୍ଵାର ପ୍ରତିଷ୍ଠା କରାଯିବ।

ସମ୍ବନ୍ଧିତ ଖବର