ଏମ୍‌ସିଆଇର ସ୍ଥାନ ନେବ ମେଡିକାଲ୍ କମିସନ

ଜାତୀୟ ମେଡିକାଲ କମିସନ ବିଲ୍‌ରେ କ୍ୟାବିନେଟ୍ ମୋହର, ଘରୋଇ କଲେଜ ଓ ଏକକ ବିଶ୍ବବିଦ୍ୟାଳୟ ଫି’ ନିୟନ୍ତ୍ରଣ କରିବେ କମିସନ, ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ନେକ୍ସଟ୍ ପରୀକ୍ଷା ଜରୁରୀ ହେବ

ନୂଆଦିଲ୍ଲୀ : ମେଡିକାଲ୍ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ଏମ୍‌ସିଆଇ) ସ୍ଥାନରେ ଜାତୀୟ ମେଡିକାଲ୍ କମିସନ ପ୍ରତିଷ୍ଠା କରାଯିବ। ଏ ସଂକ୍ରାନ୍ତୀୟ ବିଲ୍‌କୁ ଆଜି କେନ୍ଦ୍ର କ୍ୟାବିନେଟ୍ କମିଟି ବୈଠକରେ ଅନୁମୋଦନ ପ୍ରଦାନ କରାଯାଇଛି। ଏହି ବିଲ୍‌ର ବିଶେଷତ୍ୱ ହେଉଛି ଡାକ୍ତରୀ ସ୍ନାତକ (ଏମ୍‌ବିବିଏସ) ପାଠ୍ୟକ୍ରମର ଅନ୍ତିମ ବର୍ଷର ପରୀକ୍ଷା ଜାତୀୟ ପ୍ରସ୍ଥାନ ପରୀକ୍ଷା (ନେକ୍ସଟ) ଭାବେ ପରିଚିତ ହେବ। ଏହା ସ୍ନାତକୋତ୍ତର ଡାକ୍ତରୀ ପାଠ୍ୟକ୍ରମ ପ୍ରବେଶିକା ପରୀକ୍ଷା ତଥା ବିଦେଶୀ ଡାକ୍ତରୀ ସ୍ନାତକମାନଙ୍କ ପାଇଁ ସ୍କ୍ରିନିଂ ଟେଷ୍ଟ୍‌ ଭାବେ ବିବେଚିତ ହେବ। ଘରୋଇ ମେଡିକାଲ କଲେଜ ଓ ଏକକ ବିଶ୍ୱବିଦ୍ୟାଳୟର ୫୦% ସିଟ୍‌ରେ ଫି’ ଏବଂ ଅନ୍ୟାନ୍ୟ ଖର୍ଚ୍ଚକୁ କମିସନ ନିୟନ୍ତ୍ରଣ କରିବେ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ଜାତୀୟ ମେଡିକାଲ୍ କମିସନ ବିଲ୍-୨୦୧୯କୁ ଅନୁମୋଦନ ପ୍ରଦାନ କରାଯାଇଛି। ବର୍ତ୍ତମାନ ପ୍ରଚଳନରେ ଥିବା ଇଣ୍ଡିଆନ୍ ମେଡିକାଲ୍ କାଉନ୍‌ସିଲ୍ ଆଇନ-୧୯୫୬ ସ୍ଥାନରେ ଏହି ବିଲ୍‌ କାର୍ଯ୍ୟକାରୀ କରାଯିବ।

ଜାତୀୟ ମେଡିକାଲ କମିସନରେ ୪ଟି ବୋର୍ଡ ରହିବ। ସେଗୁଡ଼ିକ ହେଉଛି ସ୍ନାତକ ଡାକ୍ତରୀ ଶିକ୍ଷା ବୋର୍ଡ, ସ୍ନାତକୋତ୍ତର ଡାକ୍ତରୀ ଶିକ୍ଷା ବୋର୍ଡ, ମେଡିକାଲ ଆସେସମେଣ୍ଟ୍‌ ଆଣ୍ଡ୍‌ ରେଟିଂ ବୋର୍ଡ ଏବଂ ନୀତି ଓ ମେଡିକାଲ୍‌ ପଞ୍ଜୀକରଣ ବୋର୍ଡ। ମେଡିକାଲ ଆସେସ୍‌ମେଣ୍ଟ୍‌ ଓ ରେଟିଂ ବୋର୍ଡ (ଏମଏଆର୍‌ବି) ମେଡିକାଲ କଲେଜଗୁଡ଼ିକର ଅନୁଧ୍ୟାନ କରିବ ଏବଂ ମେଡିକାଲ କଲେଜଗୁଡ଼ିକୁ ରୢାଙ୍କ ପ୍ରଦାନ କରିବା ଲାଗି ଏକ ବ୍ୟବସ୍ଥା ବିକଶିତ କରିବ। ଫଳରେ ଡାକ୍ତରୀ ଛାତ୍ରଛାତ୍ରୀମାନେ ନାମଲେଖା ନିମେନ୍ତ ସଠିକ୍ ମେଡିକାଲ୍ କଲେଜ ଚୟନ କରିପାରିବେ। ଏହାଦ୍ବାରା ନାମଲେଖା ପ୍ରକ୍ରିୟାରେ ସ୍ବଚ୍ଛତା ଆସିବ ଏବଂ ନାମଲେଖା ଫି’ ହ୍ରାସ ପାଇବ ବୋଲି ଆଶା କରାଯାଉଛି। ଦେଶରେ ଗୋଟିଏ ସାଧାରଣ ମାନକ ଲାଗି ନିଟ୍‌, କମନ୍‌ କାଉନସେଲିଂ ଏବଂ ନେକ୍ସଟ୍‌ ଆଦି ଜାତୀୟ ପ୍ରବେଶିକା ପରୀକ୍ଷା ଏମ୍ସ ଭଳି ଜାତୀୟ ଗୁରୁତ୍ୱ ବହନ କରୁଥିବା ସଂସ୍ଥା ପାଇଁ ଉପଯୋଗୀ ହେବ।

ସ୍ନାତକ ଏବଂ ସ୍ନାତକୋତ୍ତର ବୋର୍ଡ ଦ୍ୱାରା ଧାର୍ଯ୍ୟ ମାନକ ଆଧାରରେ ନୂଆ ମେଡିକାଲ କଲେଜ ଖୋଲିବା, ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ କରିବା, ଡାକ୍ତରୀ ସିଟ ବଢ଼ାଇବା ଲାଗି ମେଡିକାଲ ଅନୁଧ୍ୟାନ ଏବଂ ରେଟିଂ ବୋର୍ଡ ଅନୁମତି ପ୍ରଦାନ କରିବ। ନୂଆ ମେଡିକାଲ କଲେଜ ପାଇଁ ଅନୁମତି ନବୀକରଣକୁ ଅନୁମୋଦନ ପୂର୍ବରୁ ବିବେଚନା କରାଯିବ। ଜାତୀୟ ମେଡିକାଲ କମିସନ ଏବଂ ଏହାର ବୋର୍ଡଗୁଡ଼ିକ ଆଧୁନିକ ଚିକିତ୍ସା ପରିବେଶକୁ ନିଶ୍ଚିତ କରିବା, ବିଶ୍ବସ୍ତରୀୟ ମାନକ ସର୍ତ୍ତାବଳୀ ଓ ଏକ ପ୍ରଭାବଶାଳୀ ଅଭିଯୋଗ ସମାଧାନ ବ୍ୟବସ୍ଥା ବିକଶିତ କରିବା ଉପରେ କାର୍ଯ୍ୟ କରିବେ।

ଚିକିତ୍ସା ପରାମର୍ଶ ପରିଷଦ ଏବଂ ଆୟୋଗରେ ରାଜ୍ୟ ଚିକିତ୍ସା ପରିଷଦ ଜରିଆରେ ନିର୍ବାଚିତ ସଦସ୍ୟମାନଙ୍କୁ ବ୍ୟାପକ ପ୍ରତିନିଧିତ୍ୱ ପ୍ରଦାନ କରିବା ଲାଗି ବ୍ୟବସ୍ଥା କରାଯାଇଛି। ସ୍ବାୟତ୍ତ ବୋର୍ଡର କ୍ଷମତା ୩ରୁ ୫କୁ ବୃଦ୍ଧି କରାଯାଇଛି। ଏଥିରେ ଦୁଇ ଜଣ ଅସ୍ଥାୟୀ ସଦସ୍ୟଙ୍କୁ ସାମିଲ କରାଯାଇଛି। ଏମାନଙ୍କ ମଧ୍ୟରୁ ଜଣେ ସରକାରଙ୍କ ଦ୍ୱାରା ‌ମନୋନୀତ ଡାକ୍ତର ଏବଂ ଅନ୍ୟ ଜଣେ ରାଜ୍ୟ ଚିକିତ୍ସା ପରିଷଦରୁ ନିର୍ବାଚିତ ଡାକ୍ତର ରହିବେ।

ସମ୍ବନ୍ଧିତ ଖବର