ଚଣ୍ଡିଖୋଲରେ ହେବ ଭୂତଳ ତେଲ ଭଣ୍ଡାର : ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରି, ୪ ନିୟୁତ ଟନ୍‌ ତେଲ ରହିବ

ନୂଆଦିଲ୍ଲୀ : ଚଣ୍ଡିଖୋଲରେ ଭୂତଳ ସୁଡ଼ଙ୍ଗରେ ଅଶୋଧିତ ତୈଳ ଗଚ୍ଛିତ ରଖାଯିବ। ଏହି ପ୍ରକଳ୍ପକୁ ଆଜି କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରି ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଓଡ଼ିଶାର ଚଣ୍ଡିଖୋଲ ଓ କର୍ଣ୍ଣାଟକର ପାଦୁରଠାରେ ମୋଟ ୬.୫ ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ ତୈଳ ଭଣ୍ଡାର ପ୍ରତିଷ୍ଠା କରାଯିବ। ଚଣ୍ଡିଖୋଲ ପ୍ରକଳ୍ପର କ୍ଷମତା ୪ ନିୟୁତ ଟନ୍‌ ଓ ପାଦୁରର ୨.୫ ନିୟୁତ ଟନ୍‌ ରହିବ। ଏହି ଦୁଇ ତୈଳ ଭଣ୍ଡାର ନିର୍ମାଣ କରିବା ପାଇଁ କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଥିଲା। ଏହା ସହିତ ସମର୍ପିତ ସିଙ୍ଗଲ୍‌ ପଏଣ୍ଟ୍‌ ମୁରିଂ ମଧ୍ୟ ନିର୍ମାଣ କରାଯିବ। ଚଣ୍ଡିଖୋଲ ଓ ପାଦୁର ପ୍ରକଳ୍ପରେ ଯେତିକି ତେଲ ଗଚ୍ଛିତ ରହିବ ତାହା ଦେଶର ୧୨ ଦିନର ତୈଳ ଆବଶ୍ୟକତାକୁ ପୂରଣ କରିପାରିବ। ଏହି ପ୍ରକଳ୍ପ ନିମନ୍ତେ ନିବେଶକମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ସ୍ଥାନରେ ରୋଡ୍‌ ସୋ’ ଓ ପ୍ରଦର୍ଶନୀ ଆୟୋଜନ କରାଯିବ। ଏହା ପରେ ଅର୍ଥ ମନ୍ତ୍ରଣାଳୟର ପରାମର୍ଶ କ୍ରମେ ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରଣାଳୟ ପକ୍ଷରୁ ପ୍ରକଳ୍ପ ଭାଗିଦାରୀର ସର୍ତ୍ତାବଳୀ ଓ ନିୟମାବଳୀ ନିର୍ଦ୍ଧାରଣ କରାଯିବ। କେନ୍ଦ୍ର ସରକାରଙ୍କ ବଜେଟ୍‌ ସହଯୋଗ ପରିମାଣ ହ୍ରାସ କରିବା ପାଇଁ ଏହି ପ୍ରକଳ୍ପକୁ ଘରୋଇ ସରକାରୀ ସହଭାଗିତା (ପିପିପି) ମୋଡ୍‌ରେ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଦୁଇଟି ତୈଳ ଭଣ୍ଡାର ପ୍ରତିଷ୍ଠା କରିବାକୁ ୨୦୧୭-୧୮ ବଜେଟ୍‌ରେ ଅର୍ଥ ବରାଦ କରାଯାଇଥିଲା।

ପୂର୍ବରୁ, ଅଶୋଧିତ ତୈଳ ସଂରକ୍ଷଣ କରିବା ନିମନ୍ତେ ବିଶାଖାପାଟଣା (୧.୩୩ ନିୟୁତ ଟନ୍‌), ମାଙ୍ଗାଲୋର (୧.୫ ନିୟୁତ ଟନ୍‌) ଓ ପାଦୁରରେ (୨.୫ ନିୟୁତ ଟନ୍‌) ଭୂତଳ ସୁଡ଼ଙ୍ଗ ନିର୍ମାଣ କରାଯାଇଛି। ଏହି ତିନି ତୈଳ ଭଣ୍ଡାରରେ ଯେତିକି ତେଲ ରହିବ ତାହା ଦେଶର ୧୦ ଦିନର ତୈଳ ଆବଶ୍ୟକତାକୁ ପୂରଣ କରିପାରିବ।

ଚଣ୍ଡିଖୋଲ ଓ ପାଦୁରରେ ତୈଳ ଭଣ୍ଡାର ନିର୍ମାଣ ବେଳେ ଉଭୟ ଓଡ଼ିଶା ଓ କର୍ଣ୍ଣାଟକରେ ଅନେକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର