ଏବେ ଭାରତୀୟ ବଜାରରେ ମିଳିବ ଆହୁରି ଅନେକ ବିଦେଶୀ ବ୍ରାଣ୍ଡ

ସିଙ୍ଗଲ୍‌ବ୍ରାଣ୍ଡ ରିଟେଲରେ ୧୦୦% ଏଫଡିଆଇକୁ ମଂଜୁରୀ

ନୂଆଦିଲ୍ଲୀ:କେନ୍ଦ୍ର ସରକାର ବୁଧବାରଦିନ ସିଙ୍ଗଲ ବ୍ରାଣ୍ଡ ରିଟେଲରେ ୧୦୦ ପ୍ରତିଶତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ (ଏଫଡିଆଇ) କୁ ମଂଜୁରୀ ଦେଇଛନ୍ତି । ଅଟୋମ୍ୟାଟିକ୍‌ ରୁଟ୍‌ରେ ଏହି ଏଫଡିଆଇକୁ କେନ୍ଦ୍ର କ୍ୟାବିନେଟ୍‌ ପକ୍ଷରୁ ମଂଜୁରୀ ପ୍ରଦାନ କରାଯାଇଛି ।

ଏବେ ସୁଦ୍ଧା ଅଟୋମ୍ୟାଟିକ ରୁଟ୍‌ରେ ୪୯ ପ୍ରତିଶତ ପର୍ଯ୍ୟନ୍ତ ଏଫଡିଆଇ ଲାଗି ଅନୁମତି ମିଳୁଥିଲା । ଅର୍ଥାତ୍‌ ୪୯ ପ୍ରତିଶତ ପର୍ଯ୍ୟନ୍ତ ବିଦେଶୀ ପୁଞ୍ଜି ନିବେଶ ପାଇଁ ସରକାରଙ୍କ ଅନୁମତି ଆବଶ୍ୟକ ନାହିଁ ଓ ଏହାଠାରୁ ଅଧିକ ହେଲେ ସରକାରଙ୍କ ଅନୁମତି ଆବଶ୍ୟକ ପଡୁଥିଲା । ସରକାରଙ୍କ ଆଜିର ନିଷ୍ପତ୍ତି ପରେ ଶତ ପ୍ରତିଶତ ଏଫ୍‌ଡିଆଇ ପାଇଁ ସରକାରଙ୍କ ଅନୁମତି ଆବଶ୍ୟକ ପଡ଼ିବ ନାହିଁ । ସରକାର ପୂର୍ବରୁ ହିଁ ମଲଟିବ୍ରାଣ୍ଡ ରିଟେଲକୁ ଏଫଡିଆଇ ପାଇଁ ଖୋଲିସାରିଛନ୍ତି ।

କେନ୍ଦ୍ର କ୍ୟାବିନେଟ୍‌ ମଧ୍ୟ ଏଫଆଇଆଇ/ଏଫପିଆଇ ମାନଙ୍କୁ ପ୍ରାଇମେରୀ ମାର୍କେଟ୍‌ ମାଧ୍ୟମରେ ପାଓ୍ଵାର ଏକ୍ସଚେଞ୍ଜ ଗୁଡ଼ିକରେ ନିବେଶ କରିବା ପାଇଁ ଅନୁମତି ଦେଇଛି । ଏହାଛଡ଼ା ଏୟାର ଇଣ୍ଡିଆରେ ୪୯ ପ୍ରତିଶତ ପର୍ଯ୍ୟନ୍ତ ଅଂଶଧନ କିଣିବାକୁ ବିଦେଶୀ ଏୟାରଲାଇନ୍ସ ମାନଙ୍କୁ ଅନୁମତି ଦେବାକୁ ସରକାର ମଂଜୁରୀ ଦେଇଛନ୍ତି । ତେବେ ଏଥିପାଇଁ ସରକାରଙ୍କ ଅନୁମତି ନେବାକୁ ହେବ ।

ଏସବୁ ନିଷ୍ପତ୍ତି ଦ୍ୱାରା ଦେଶର ବ୍ୟବସାୟିକ ବାତାବରଣରେ ଉନ୍ନତି ଆସିବ ବୋଲି ସରକାର କହିଛନ୍ତି । ତେବେ ସିଙ୍ଗଲବ୍ରାଣ୍ଡ ରିଟେଲ୍‌ରେ ୧୦୦ ପ୍ରତିଶତ ଏଫଡିଆଇ ଲାଗି ଖୋଲିବା ନିଷ୍ପତ୍ତିକୁ ବିରୋଧ କରିଛି କଫେଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ । ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଭାରତୀୟ ବଜାରରେ ବହୁରାଷ୍ଟ୍ରୀୟ କମ୍ପାନିମାନେ ପ୍ରବେଶ କରିବେ ଓ ଦେଶୀ କମ୍ପାନି ପ୍ରଭାବିତ ହେବେ ବୋଲି ସଂଘ କହିଛି ।

ସମ୍ବନ୍ଧିତ ଖବର