କ୍ୟାବିନେଟ୍‌ ନିଷ୍ପତ୍ତି : ମେଡିକାଲ୍‌ ୟୁଜି, ପିଜି ସିଟ୍‌ ସଂଖ୍ୟା ବଢ଼ିବ

ନୂଆଦିଲ୍ଲୀ : ଦେଶର ମେଡିକାଲ୍‌ କଲେଜଗୁଡ଼ିକରେ ୧୮,୦୫୮ଟି ୟୁଜି ଏବଂ ପିଜି ସିଟ୍‌ ସଂଖ୍ୟା ବୃଦ୍ଧି କରାଯିବ। ୨୦୨୧ ସୁଦ୍ଧା ୧୦,୦୦୦ ୟୁଜି ସିଟ୍‌ ବଢ଼ିବ। ସେହି ସମୟରେ ୫୦୫୮ଟି ପିଜି ସିଟ୍‌ ବୃଦ୍ଧି ପାଇବ। ୨୦୧୯ ସୁଦ୍ଧା ୪୦୫୮ଟି ପିଜି ସିଟ୍‌ ବଢ଼ିବ। ୨୦୨୧ ସୁଦ୍ଧା ଏହି ସିଟ୍‌ ସଂଖ୍ୟା ଆଉ ଚାରି ହଜାର ବଢ଼ିବ। ୟୁଜି ସିଟ୍‌ ବୃଦ୍ଧି ପାଇଁ ୭୭୯୫ କୋଟି ଟଙ୍କା ଏବଂ ପିଜି ସିଟ୍‌ ପାଇଁ ୩୦୨୪ କୋଟି ଟଙ୍କା ଖର୍ଚ ହେବ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ କମିଟି ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।

ବୈଠକରେ ଏହା ମଧ୍ୟ ନିଷ୍ପତ୍ତି ହୋଇଛି ଯେ, ଦେଶର ଅଣସଂରକ୍ଷିତ ଅଞ୍ଚଳଗୁଡ଼ିକରେ ୨୪ଟି ନୂଆ ମେଡିକାଲ୍‌ କଲେଜ, ୨୪୮ଟି ନର୍ସିଂ ଏବଂ ମିଡ୍‌ଓ୍ଵାଇଫରି ସ୍କୁଲ୍‌ ପ୍ରତିଷ୍ଠା କରାଯିବ। ନୂଆ ମେଡିକାଲ୍‌ କଲେଜ ସ୍ଥାପନ କରିବା ପାଇଁ ୫୫୮୭ କୋଟି ଟଙ୍କାର ବ୍ୟୟବରାଦ ରହିଛି। ପ୍ରଥମ ପର୍ଯ୍ୟାୟରେ ୨୦୨୨ ସୁଦ୍ଧା ଏବାବଦରେ ୩୬୭୫ କୋଟି ଟଙ୍କା ଖର୍ଚ କରାଯିବ। ଆଜିର ବୈଠକରେ ଇନ୍‌ସଲ୍‌ଭେନ୍‌ସି ଆଣ୍ଡ ବ୍ୟାଙ୍କରପ୍‌ସି (ସଂଶୋଧନ) ବିଲ୍‌, ୨୦୧୭ ଏବଂ ପ୍ରମୁଖ ବନ୍ଦର କର୍ତୃପକ୍ଷ ବିଲ୍‌, ୨୦୧୬କୁ ଅନୁମୋଦନ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ଲକ୍ଷ୍ୟକୁ ୮ କୋଟି ପରିବାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ଯାହା ପୂର୍ବରୁ ୫ କୋଟି ପରିବାର ଥିଲା। ଶୁଷ୍କ ନଡ଼ିଆର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) କ୍ୱିଣ୍ଟାଲ୍‌ ପିଛା ୭୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ପ୍ରଧାନମନ୍ତ୍ରୀ ରିସର୍ଚ ଫେଲୋ ସ୍କିମ୍‌ କାର୍ଯ୍ୟକାରୀ କରିବା ଏବଂ ଏମ୍‌ଏସ୍‌ଏମ୍‌ଇ ବିକାଶ ନିୟମ, ୨୦୦୬ରେ ସଂଶୋଧନକୁ ମଞ୍ଜୁର କରାଯାଇଛି।

ସମ୍ବନ୍ଧିତ ଖବର