ରାଫେଲ୍‌ ଚୁକ୍ତି ସିଏଜି ରିପୋର୍ଟ: ନୂଆ ଚୁକ୍ତିରେ ବଡ଼ ଫରକ ନାହିଁ

୯% ନୁହେଁ, ୨.୮୬% ଶସ୍ତା

ନୂଆଦିଲ୍ଲୀ: ରାଫେଲ ଚୁକ୍ତିକୁ ନେଇ ଦେଶରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିବା ବେଳେ ଆଜି ମହା ନିୟନ୍ତ୍ରକ ତଥା ମହାଲେଖା ସମୀକ୍ଷକ (ସିଏଜି)ଙ୍କ ଏ ବାବଦ ରିପୋର୍ଟ ସାର୍ବଜନୀନ ହୋଇଛି। ନରେନ୍ଦ୍ର ମୋଦୀ ସରକାର ୨୦୧୬ରେ ୩୬ଟି ରାଫେଲ ଯୁଦ୍ଧ ବିମାନ କ୍ରୟ ଚୁକ୍ତି ସଂପନ୍ନ କରିଥିଲେ। ସିଏଜି ରିପୋର୍ଟରେ ରାଫେଲର ମୂଲ୍ୟ ସଂପର୍କରେ ଉଲ୍ଲେଖ କରାଯାଇ ନଥିଲେ ମଧ୍ୟ ପୂର୍ବରୁ ୟୁପିଏ ସରକାର ଅମଳରେ ହୋଇଥିବା ଚୁକ୍ତି ତୁଳନାରେ ଏନ୍‌ଡିଏ ସରକାରଙ୍କ ନୂତନ ଚୁକ୍ତିରେ ଅପେକ୍ଷାକୃତ ଶସ୍ତା ଦରରେ ରାଫେଲ ଉପଲବ୍ଧ ହୋଇଥିବା କୁହାଯାଇଛି। ତେବେ ମୋଟାମୋଟି ଭାବେ ଏନ୍‌ଡିଏ ସରକାରଙ୍କ ଚୁକ୍ତି ୟୁପିଏ ଅପେକ୍ଷା ବିଶେଷ ଅଧିକ ଫାଇଦା ଆଣିନଥିବା ରିପୋର୍ଟରୁ ଜଣାପଡ଼ିଛି। ଆଜି ରାଜ୍ୟସଭାରେ ରାଫେଲ ଚୁକ୍ତିକୁ ନେଇ ୧୪୧ ପୃଷ୍ଠାର ରିପୋର୍ଟ ଉପସ୍ଥାପନ କରାଯାଇଥିବା ବେଳେ କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳ ଏହି ରିପୋର୍ଟରେ ଉପସ୍ଥାପିତ ତଥ୍ୟ ବିଭ୍ରାନ୍ତିକର ବୋଲି ଦର୍ଶାଇ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଉପସ୍ଥାପିତ ରିପୋର୍ଟରେ ରାଫେଲ ଚୁକ୍ତି ସମେତ ଭାରତୀୟ ବାୟୁସେନାର ୧୧ଟି ଅନ୍ୟ ଚୁକ୍ତିର ମଧ୍ୟ ଅଡିଟ୍‌ କରାଯାଇଛି। କଂଗ୍ରେସ ଅଭିଯୋଗ କରିଛି ଯେ ସିଏଜି ରାଜୀବ ମହର୍ଷି ରାଫେଲ ଚୁକ୍ତି ସମୟରେ ସରକାରରେ ଅର୍ଥ ସଚିବ ରହିଥିଲେ ଏବଂ ଏହି ରିପୋର୍ଟରେ ସେ ସରକାରଙ୍କୁ ସୁରକ୍ଷା ଦେବାକୁ ପ୍ରୟାସ କରିଛନ୍ତି।

ସିଏଜି ରିପୋର୍ଟର ମୁଖ୍ୟାଂଶ
ସିଏଜି ରିପୋର୍ଟରେ କୁହାଯାଇଛି- ପୂର୍ବ ସରକାର ଯେଉଁ ଦରରେ ରାଫେଲ ଯୁଦ୍ଧ ବିମାନ କ୍ରୟ କରିବା ପାଇଁ ଚୁକ୍ତି କରିଥିଲେ ବର୍ତ୍ତମାନର ସରକାର ତାହାଠାରୁ ୨.୮୬ ପ୍ରତିଶତ କମ୍‌ ଦରରେ ଚୁକ୍ତି ସଂପାଦନ କରିଛନ୍ତି।
ତତ୍କାଳ ଉଡ଼ାଣ ପାଇଁ ତୟାର ବିମାନର ମୂଲ୍ୟ ପୂର୍ବ ସରକାର ଅମଳରେ ଯାହା ଥିଲା ନୂତନ ଚୁକ୍ତିରେ ମଧ୍ୟ ସମାନ ରହିଛି।
ନୂତନ ଚୁକ୍ତିରେ ୩୬ଟି ବିମାନ କ୍ରୟ ପାଇଁ ଯେଉଁ ଚୁକ୍ତି ହୋଇଛି ତାହା ପୂର୍ବ ସରକାର ସମୟର ୧୨୬ଟି ବିମାନ କ୍ରୟ ଚୁକ୍ତି ତୁଳନାରେ ପ୍ରାୟ ୧୭.୦୮ ପ୍ରତିଶତ ଅର୍ଥ ସଂଚୟ ହୋଇପାରିଛି।
ପ୍ରତିରକ୍ଷା ମନ୍ତ୍ରୀ ଅନେକ କ୍ଷେତ୍ରରେ କଷ୍ଟସାଧ୍ୟ ପ୍ରକ୍ରିୟା ଦେଇ ଏହି ଚୁକ୍ତି ସଂପାଦନ କରିବାକୁ ସକ୍ଷମ ହୋଇଛନ୍ତି।
ଏନ୍‌ଡିଏ ସରକାରଙ୍କ ଯୁଦ୍ଧ ବିମାନ ଚୁକ୍ତିରେ ବିମାନ ହସ୍ତାନ୍ତର ସମୟ ସୀମା ୭୧ ମାସ ରହିଛି, ଯାହାକି ପୂର୍ବ ସରକାରଙ୍କ ଚୁକ୍ତିରେ ୭୨ ମାସ ରହିଥିଲା।
ପୂର୍ବ ସରକାର ଯେଉଁ ଚୁକ୍ତି କରିଥିଲେ ସେଥିରେ ପ୍ରଥମ ୧୮ଟି ବିମାନ ଯେଉଁ ସମୟରେ ମିଳିଥାନ୍ତା, ବର୍ତ୍ତମାନର ନୂତନ ଚୁକ୍ତିରେ ତାହା ୫ ମାସ ଆଗରୁ ମିଳିବ।
ପୂର୍ବ ସରକାର ଯେଉଁ ମୂଲ୍ୟରେ ରାଫେଲ ଚୁକ୍ତି କରିଥିଲେ ତାହାଠାରୁ ୯ ପ୍ରତିଶତ କମ୍‌ ଦରରେ ଚୁକ୍ତି ସଂପନ୍ନ ହୋଇଥିବା ନେଇ ସରକାର ଯେଉଁ ତଥ୍ୟ ଦେଇଥିଲେ ତାହା ଭୁଲ୍‌। ବାସ୍ତବରେ ଏହା ୨.୮୬ ପ୍ରତିଶତ କମ୍‌ ଦରରେ ସଂପନ୍ନ ହୋଇଛି।
ଆଇନ ମନ୍ତ୍ରାଳୟର ପରାମର୍ଶକ୍ରମେ ପ୍ରତିରକ୍ଷା ମନ୍ତ୍ରାଳୟ ଫ୍ରାନ୍ସ ସରକାରଙ୍କ ଗ୍ୟାରେଣ୍ଟି ମାଗିଥିଲେ। କିନ୍ତୁ ଫ୍ରାନ୍‌ସ ସରକାର ଗ୍ୟାରେଣ୍ଟି ନଦେଇ ‘ଲେଟର୍‌ ଅଫ୍‌ କମ୍‌ଫର୍ଟ’ ପ୍ରଦାନ କରିଛନ୍ତି। ଏହା ଗ୍ୟାରେଣ୍ଟି ସହ ତୁଳନୀୟ ନୁହେଁ।
ଭାରତୀୟ ବାୟୁସେନା ତାର ଚାହିଦା ମୁତାବକ ଆବଶ୍ୟକ ଗୁଣବତ୍ତାର ସଠିକ୍‌ ବିବରଣୀ ଅବଗତ କରାଇ ପାରିନଥିବାରୁ କୌଣସି ଭେଣ୍ଡର ପ୍ରକୃତ ଆବଶ୍ୟକତା ସହ ତାଳମେଳ ରଖି ନିଜକୁ ପ୍ରସ୍ତୁତ କରିପାରିନଥିଲେ।
ସର୍ବାଧୁନିକ ବୈଷୟିକ ଉତ୍ପାଦ ପାଇଁ ଯେଉଁ ମୂଲ୍ୟ ନିର୍ଦ୍ଧାରଣ ହେବ ସେହି ଆଧାରରେ ଉତ୍ପାଦର ଗୁଣବତ୍ତା ସୁନିଶ୍ଚିତ କରିବା ପାଇଁ ପ୍ରକ୍ରିୟାକୁ ଅଧିକ ପାରଦର୍ଶୀ କରିବାକୁ ହେବ। ତେବେ ଏହି ପ୍ରକ୍ରିୟା ଚୂଡ଼ାନ୍ତ ହେବାରେ ବିଳମ୍ବ ହୋଇଥିଲା ଏବଂ ରାଫେଲ ଖରିଦ୍‌ ପ୍ରକ୍ରିୟା‌ ଉପରେ ଏହାର ପ୍ରଭାବ ପଡ଼ିଥିଲା। ବିମାନ ମିଳିବାରେ ବିଳମ୍ବ ହେବା ପଛରେ ଏହା ଏକ ମୁଖ୍ୟ କାରଣ।

ସମ୍ବନ୍ଧିତ ଖବର