ସ୍ମାର୍ଟଫୋନ ବ୍ୟବହାର କମାନ୍ତୁ, ସ୍ୱାସ୍ଥ୍ୟପ୍ରତି ହୋଇପାରେ ବିପଦ

ଆମେରିକା ସ୍ୱାସ୍ଥ୍ୟ ବିଭାଗର ଚେତାବନୀ

ଆଜିକାଲି ସ୍ମାର୍ଟଫୋନ ଓ ଅନ୍ୟାନ୍ୟ ଅତ୍ୟାଧୁନିକ ଯୋଗାଯୋଗ ଡିଭାଇସ୍‌ ବା ଉପକରଣ ଗୁଡିକର ବ୍ୟବହାର ଆଶାତୀତ ଭାବେ ବଢିଯାଇଛି । ସ୍ମାର୍ଟଫୋନ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି । ଦିନର ୨୪ ଘଣ୍ଟା ମଧ୍ୟରୁ ପ୍ରାୟ ୨୨/୨୩ ଘଣ୍ଟା ସ୍ମାର୍ଟଫୋନ କିମ୍ବା ମୋବାଇଲ ଫୋନ ଆମ ପାଖେପାଖେ ଅର୍ଥାତ୍‌ ଆମ ହାତରେ, ପକେଟରେ ବା ତକିଆ ପାଖରେ ରହୁଛି । କିନ୍ତୁ ସ୍ମାର୍ଟଫୋନଗୁଡିକର ଏତେ ବ୍ୟବହାର ଆମ ଶରୀର ଉପରେ କିଛି କୁପ୍ରଭାବ ପକାଉଛି କି?

ଏହାକୁ ନେଇ ଅତୀତରେ ଅନେକ ପ୍ରକାରର ଗବେଷଣା ରିପୋର୍ଟ ବାହାରିଛି । କେତେକ କହୁଛନ୍ତି ଏହା ଆମ ଶରୀର ପାଇଁ କ୍ଷତିକାରକ ଓ ଆଉ କେତେକ ଏହା ନିରାପଦ ବୋଲି କହୁଛନ୍ତି । କିନ୍ତୁ ନିକଟରେ ଆମେରିକା ସରକାରଙ୍କ ପକ୍ଷରୁ ଜାରି ଏକ ରିପୋର୍ଟରେ କିଛି ଚିନ୍ତାଜନକ କଥା କୁହାଯାଇଛି ।

ଆମେରିକାର କାଲିଫର୍ଣ୍ଣିଆ ଡିପାର୍ଟମେଣ୍ଟ ଅଫ ପବ୍ଲିକ୍‌ ହେଲ୍‌ଥ ପକ୍ଷରୁ କୁହାଯାଇଛି ଯେ ମୋବାଇଲ ଫୋନ ଗୁଡିକ ଦିନକୁ ଦିନ ଯେତିକି ହାଇଟେକ୍‌ ହେଉଛି ସେଥିରୁ ବିଦ୍ୟୁତ ଚୁମ୍ବକୀୟ ବିକିରଣ ପରିମାଣ ସେତିକି ବଢିଯାଉଛି । ଏହି ବିକିରଣ ଆମ ଶରୀର ପାଇଁ ବେଶ କ୍ଷତିକାରକ । ସବୁବେଳେ ମୋବାଇଲ ଫୋନ ବ୍ୟବହାର କରାଯିବା ଦ୍ୱାରା ସାଧାରଣ ମୁଣ୍ଡବ୍ୟଥା, ସ୍ମରଣଶକ୍ତି ହ୍ରାସ, ଶୁକ୍ରାଣୁ ହ୍ରାସ ଠାରୁ ଆରମ୍ଭ କରି କ୍ୟାନସର, ଟ୍ୟୁମର ପରି ରୋଗ ହୋଇପାରେ । ଏପରିକି ଆମେ କାର ବା ବସରେ ଗଲାବେଳେ ମୋବାଇଲରୁ ସର୍ବାଧିକ ପରିମାଣରେ ବିକିରଣ ହୋଇଥାଏ । ଏଣୁ ମୋବାଇଲ ଫୋନର ବ୍ୟବହାର ଯଥାସମ୍ଭବ ହ୍ରାସ କରିବା, ହେଡ଼ଫୋନର ବ୍ୟବହାର, ରାତିରେ ଶୋଇବାବେଳେ ମୋବାଇଲ ଫୋନକୁ ଶରୀରଠାରୁ ଦୂରେଇ ରଖିବା ଲାଗି ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

୨୦୦୯ରୁ ଏହି ଗବେଷଣା କରାଯାଇଥିବା ବେଳେ କୌଣସି ଅଜ୍ଞାତ ଚାପ କିମ୍ବା ଲବି କାରଣରୁ ଏହା ପ୍ରକାଶ ପାଇ ପାରିନ ଥିଲା । କିନ୍ତୁ ନିକଟରେ ଆମେରିକାର ଏକ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହି ରିପୋର୍ଟ ପ୍ରକାଶିତ ହୋଇଛି । ଏହି ରିପୋର୍ଟକୁ ସାଧାରଣରେ ପ୍ରକାଶ ପାଇଁ ୟୁସି ବର୍କଲେ ର ଜଣେ ପ୍ରଫେସର ଜଏଲ ମାସକୋଓ୍ଵିଚ୍‌ କୋର୍ଟରେ ଆବେଦନ କରିଥିଲେ ।

ସମ୍ବନ୍ଧିତ ଖବର