ପୂର୍ବ ଦିଲ୍ଲୀରେ ସଦ୍ୟ ହିଂସାକାଣ୍ଡ: ସେନାବାହିନୀ ଡକାଇବାକୁ କହିଲେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ୍‌

ନୂଆଦିଲ୍ଲୀ: ପୂର୍ବ ଦିଲ୍ଲୀର ଦୁଇଟି ସ୍ଥାନରେ ସଦ୍ୟ ହିଂସାକାଣ୍ଡ ଘଟିବାରୁ ସେନାବାହିନୀ ଡକାଇବାକୁ ବୁଧବାର ଦିନ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କହିଛନ୍ତି। କେଜ୍ରିଓ୍ଵାଲ୍‌ କହିଛନ୍ତି ଯେ ସବୁ ପ୍ରକାର ପ୍ରୟାସ ସତ୍ତ୍ୱେ ପୁଲିସ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଅସମର୍ଥ।

ବୁଧବାର ଦିନ ଟୁଇଟ୍‌ କରି କେଜ୍ରିଓ୍ଵାଲ୍‌ ଲେଖିଛନ୍ତି: ସେନାବାହିନୀ ଡକାଯିବା ସହ ହିଂସାକାଣ୍ଡ ପ୍ରଭାବିତ ବାକି ଅଞ୍ଚଳରେ ତୁରନ୍ତ କର୍ଫ୍ୟୁ ଜାରି ହେବା ଉଚିତ। ଏଥିପାଇଁ ସେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଅନୁରୋଧ କରି ପତ୍ର ଲେଖିବେ ବୋଲି କହିଛନ୍ତି।

Image Source: Hindustan Times

କୌଣସି ରାଜ୍ୟର ସିଭିଲ୍‌ ଆଡ୍‌ମିନିଷ୍ଟ୍ରେସନ୍‌ଙ୍କ ଅନୁରୋଧରେ ସେନାବାହିନୀ ଡକାଯାଇଥାଏ। କିନ୍ତୁ, ଦିଲ୍ଲୀ ବିଧାନସଭା ଥିବା ଏକ କେନ୍ଦ୍ରଶାସିତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ୍‌ ସେନାବାହିନୀ ଡକାଇପାରିବେ ନାହିଁ। ଏଠାକାର ପୁଲିସ ଓ ସାଧାରଣ ଶୃଙ୍ଖଳା ବ୍ୟବସ୍ଥା କେନ୍ଦ୍ର ସରକାରଙ୍କ ଦାୟିତ୍ୱରେ ରହିଛି।

ଆଜି ପାହାନ୍ତାରେ ଜାମିଆ ମିଲିଆ ଇସ୍‌ଲାମିଆର କେତେକ ଶିକ୍ଷାର୍ଥୀ କେଜ୍ରିଓ୍ଵାଲ୍‌ଙ୍କ ବାସଭବନ ଘେରାଉ କରିଥିଲେ। ଘଟଣାସ୍ଥଳରୁ ସେମାନଙ୍କୁ ଘଉଡ଼ାଇବାକୁ ପୁଲିସ ପାଣିମାଡ଼ କରିଥିଲା। ସେମାନଙ୍କ ମଧ୍ୟରୁ କେତେକଙ୍କୁ ପୁଲିସ ଥାନାରେ ଅଟକ ରଖିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର