ମୋଦିଙ୍କ ଗର୍ବ ସନ୍ତୁଷ୍ଟ କରିବା ଲାଗି ତାଙ୍କୁ ‘ସାର୍‌’ ବୋଲି ଡାକିଛି: ଚନ୍ଦ୍ରବାବୁ ନାଇଡୁ

ଅମରାବତୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଦ୍ଦେଶ୍ୟ କରି ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ବୁଧବାର ଦିନ କହିଛନ୍ତି ରାଜ୍ୟର ସ୍ୱାର୍ଥ ଲାଗି ତାଙ୍କ ଗର୍ବ ସନ୍ତୁଷ୍ଟ କରିବାକୁ ସେ ତାଙ୍କୁ ‘ସାର୍‌’ ବୋଲି ସମ୍ବୋଧନ କରିଛନ୍ତି।

ଏକ ସର୍ବଦଳୀୟ ବୈଠକରେ ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ମୁଖ୍ୟ କହିଲେ କି, ଅବିଚାର ଭାବେ ବିଭକ୍ତ କରାଯାଇଥିବା ରାଜ୍ୟ ପ୍ରତି ନ୍ୟାୟ ପାଇବା ଆଶାରେ ସ୍ୱତନ୍ତ୍ର ବର୍ଗ ମାନ୍ୟତା ଦାବି ଲାଗି ସେ ଯଥା ସମ୍ଭବ କାର୍ଯ୍ୟ କରିଛନ୍ତି।

ନାଇଡୁ କହିଲେ: ତତ୍‌କାଳୀନ ଆମେରିକୀୟ ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନ୍‌ଙ୍କୁ ମୁଁ ‘ସାର୍‌’ ନୁହେଁ ‘ମିଷ୍ଟର୍‌ କ୍ଲିଣ୍ଟନ୍‌’ ବୋଲି ସମ୍ବୋଧନ କରିଥିଲି। ରାଜନୀତିରେ ମୋଦି ମୋ ଠାରୁ କନିଷ୍ଠ। କିନ୍ତୁ, ସେ କ୍ଷମତାକୁ ଆସିବା ପରେ ମୁଁ ତାଙ୍କୁ ୧୦ ଥର ସାର୍‌ ବୋଲି ସମ୍ବୋଧନ କରିଛି। ରାଜ୍ୟକୁ ନ୍ୟାୟ ମିଳିବା ଆଶାରେ ରାଜ୍ୟର ସ୍ୱାର୍ଥ ଏବଂ ତାଙ୍କ ଗର୍ବକୁ ସନ୍ତୁଷ୍ଟ କରିବାକୁ ମୁଁ ଏମିତି କରିଛି।

ରାଜ୍ୟର ସ୍ୱାର୍ଥ ନିମନ୍ତେ ହିଁ ୨୦୧୪ରେ ଭାରତୀୟ ଜନତା ପାର୍ଟି ସହ ନିର୍ବାଚନୀ ମେଣ୍ଟ ହୋଇଥିବା କଥା ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ କହିଛନ୍ତି। ବିଜେପି ସହ ମେଣ୍ଟ ନ କରିଥିଲେ ମୁଁ ଅଧିକ ୧୦ ଟି ଆସନ ପାଇ ଥାଆନ୍ତି।

ସେ ଆହୁରି କହିଲେ ଯେ ସବିଆଇ, ଇଡି ଏବଂ ଅନ୍ୟାନ୍ୟ ଏଜେନ୍‌ସିଙ୍କ ଦ୍ୱାରା ମାମଲା କରାଇ ମୋଦି ସରକାର ତାଙ୍କର ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ଆକ୍ରମଣ କରୁଛନ୍ତି। ମୋଦିଙ୍କ ସହ ସାଲିସ କରିବାରୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ବିରୋଧରେ ଥିବା ମାମଲା ପ୍ରତ୍ୟାହୃତ ହୋଇଛି।

ଓ୍ଵାଇଏସ୍‌ଆର୍‌ କଂଗ୍ରେସ, କଂଗ୍ରେସ, ଭାରତୀୟ ଜନତା ପାର୍ଟି, ଜନ ସେନା ଏବଂ ବାମପନ୍ଥୀ ଦଳ ସବୁ ଏହି ସର୍ବଦଳୀୟ ବୈଠକରେ ଯୋଗ ଦେଇ ନ ଥିଲେ। ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଲାଗି କେନ୍ଦ୍ର ଉପରେ ଚାପ ପକାଇବାକୁ ନାଇଡୁ ସର୍ବଦଳୀୟ ବୈଠକ ଡାକିଥିଲେ।

ସମ୍ବନ୍ଧିତ ଖବର