ଟ୍ରାଫିକ୍‌ ପୋଲିସ, ଆରଟିଓ କର୍ମଚାରୀଙ୍କ ପୋଷାକରେ ଲାଗିବ କ୍ୟାମେରା, ରେକର୍ଡ ହେବ ସବୁ କାର୍ଯ୍ୟକଳାପ !

ନୂଆଦିଲ୍ଲୀ : ଆମ ଦେଶରେ ଗାଡ଼ି ମୋଟର ଚଳାଉଥିବା ବ୍ୟକ୍ତିମାନଙ୍କର ରାସ୍ତାରେ ଟ୍ରାଫିକ ପୋଲିସଭାଇମାନଙ୍କର ସହ ଭେଟାଭେଟିର ଅଭିଜ୍ଞତା ଥିବ । ପୁଣି ରାସ୍ତାରେ ଚେକିଂ କରୁଥିବା ଆରଟିଓ ଅଧିକାରୀଙ୍କ ହାବୁଡ଼ରେ ମଧ୍ୟ ପଡିଥିବେ । ଆପଣଙ୍କର ଏହି ଅଭିଜ୍ଞତା ଭଲ ଥାଇପାରେ, ଖରାପ ବି ଥାଇପାରେ । କିନ୍ତୁ ଏହି ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ ଓ ଶୃଙ୍ଖଳିତ କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି । ଏହି ବ୍ୟବସ୍ଥା ଲାଗୁହେଲେ ଟ୍ରାଫିକ ପୋଲିସ୍‌ ବା ରାସ୍ତାରେ ଗାଡ଼ି ଚେକିଂ କରୁଥିବା ଆରଟିଓ ଅଧିକାରୀଙ୍କ ପୋଷାକରେ ଏକ କ୍ୟାମେରା ଲଗାଯିବ ଓ ତାଙ୍କ କାର୍ଯ୍ୟକଳାପ ରେକର୍ଡ କରାଯିବ, ଯେପରିକି ସେ ମନଇଚ୍ଛା ଜୋରିମାନା ଆଦାୟ କରି ପାରିବେ ନାହିଁ ବା ଆଇନର ପରିସରରେ ରହି କାର୍ଯ୍ୟ କରିବେ ।

କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ମୋଟର ଭେହିକ୍ଲ ବିଲ୍‌କୁ ଏବେ ରାଜ୍ୟସଭାର ସିଲେକ୍ଟ କମିଟି ନିକଟକୁ ପଠାଇଦିଆଯାଇଛି । ୨୪ ଜଣିଆ ଏହି କମିଟି ନିଜ ସୁପାରିଶରେ ଉପରୋକ୍ତ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ କହିଛି । କମିଟିର ଆଉ ଏକ ସୁପାରିଶ ଅନୁସାରେ ଦୂର ସ୍ଥାନକୁ ଯାତ୍ରା କରୁଥିବା ପ୍ରତି ବସରେ ଶୌଚାଳୟ ବ୍ୟବସ୍ଥା କରିବାକୁ କହିଛି ।

ଆହୁରି ମଧ୍ୟ ନିଜ ସୁପାରିଶରେ ଏହି କମିଟି ଦେଶରେ ଏକ ଓପନ ରୋଡ ପଲିସୀ ଆଣିବା ପାଇଁ କହିଛି । ଅର୍ଥାତ ଗୋଟିଏ ଦେଶ-ଗୋଟିଏ ଟାକ୍ସ ଓ ଗୋଟିଏ ପରମିଟ୍‌ । ରାଜ୍ୟମାନେ ଯଦି ଏହି ପ୍ରସ୍ତାବରେ ରାଜି ହୁଅନ୍ତି ତାହା ପରିବହନ କ୍ଷେତ୍ରକୁ ଅଧିକ ସୁଗମ କରିବା ସହ ରାଜ୍ୟମାନଙ୍କର ରାଜସ୍ୱ ବଢାଇବ । ଏବେ ଯଦି ଗୋଟିଏ ବସ ଦକ୍ଷିଣ ଭାରତର ୪ଟି ରାଜ୍ୟରେ ଚଳାଚଳ ପାଇଁ ପରମିଟ୍‌ ଆଣେ ତାକୁ ବର୍ଷକୁ ପ୍ରାୟ ୪୨ ଲକ୍ଷ ଟଙ୍କା ଫରମିଟ୍‌ ଫି ଦେବାକୁ ପଡୁଛି । କିନ୍ତୁ ନୂଆ ବ୍ୟବସ୍ଥା ଲାଗୁ ହେଲେ ତାହା ବସ ମାଲିକଙ୍କ ଟିକସ ବୋଝକୁ ମଧ୍ୟ ହାଲକା କରିବ । କମିଟି ଦେଇଥିବା ଆଉ ଏକ ପ୍ରସ୍ତାବ ଅନୁସାରେ ଦୂର ସ୍ଥାନକୁ ଯାତ୍ରା କରୁଥିବା ବସ ଗୁଡିକରେ ଶୌଚାଳୟ ଲଗାଇବା ବାଧ୍ୟତାମୂଳକ କରାଯାଉ । ସଂପୃକ୍ତ ବିଭାଗଗୁଡ଼ିକ ଏଥିଲାଗି ଆବଶ୍ୟକ ପଦକ୍ଷେପ ନେବା ଉଚିତ ବୋଲି କମିଟି କହିଛି ।

ସମ୍ବନ୍ଧିତ ଖବର