ମହାଭିଯୋଗ ନୋଟିସ୍‌ ଖାରଜ ହେଲେ ସୁପ୍ରିମ୍‌ କୋର୍ଟ ଯିବ କଂଗ୍ରେସ

ଆଇନ ବିଶେଷଜ୍ଞଙ୍କ ସହ ଭେଙ୍କିୟାଙ୍କ ଆଲୋଚନା

ନୂଆଦିଲ୍ଲୀ: ସୁପ୍ରିମ୍‌ କୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ଦେଇଥିବା ମହାଭିଯୋଗ ପ୍ରସ୍ତାବ ସଂକ୍ରାନ୍ତରେ ରାଜ୍ୟସଭା ଅଧ୍ୟକ୍ଷ ଏମ୍‌ ଭେଙ୍କିୟା ନାଇଡ଼ୁ ଖୁବ୍‌ ଶୀଘ୍ର ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି। ପ୍ରସ୍ତାବ ଅଗ୍ରାହ୍ୟ ହେଲେ ସୁପ୍ରିମ୍‌କୋର୍ଟ ଯିବାକୁ କଂଗ୍ରେସ ଆଜି ଧମକ ଦେଇଛି। ମାମଲାର ଗମ୍ଭୀରତାକୁ ଦେଖି ଆଜି ଭେଙ୍କିୟା ତାଙ୍କର ହାଇଦ୍ରାବାଦ ଗସ୍ତ ବାତିଲ କରି ଦିଲ୍ଲୀ ଫେରି ଆସିଛନ୍ତି। ଏ ବାବଦରେ ସେ ବିଭିନ୍ନ ଆଇନ ଓ ସମ୍ବିଧାନ ବିଶେଷଜ୍ଞଙ୍କ ସହ ଆଲୋଚନା କରିଛନ୍ତି। ପୂର୍ବତନ ଲୋକସଭା ମହାସଚିବ ସୁଭାଷ କଶ୍ୟପ, ପୂର୍ବତନ ଆଇନ ସଚିବ ପି.କେ. ମାଲହୋତ୍ରା ଏବଂ ପୂର୍ବ ସଂସଦୀୟ ସଚିବ ସଂଜୟ ସିଂହଙ୍କ ସହ ସେ ବିଚାରବିମର୍ଶ କରିଛନ୍ତି। ପୂର୍ବତନ ସୁପ୍ରିମ୍‌ କୋର୍ଟ ବିଚାରପତି ସୁଦର୍ଶନ ରେଡ୍ଡିଙ୍କ ସହ ମଧ୍ୟ ସେ ଏହି ପ୍ରସଙ୍ଗରେ ଆଲୋଚନା କରିବା ସମ୍ଭାବନା ରହିଛି। ସୂଚନାଯୋଗ୍ୟ, ଗତ ୨୦ ତାରିଖ ଦିନ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ କଂଗ୍ରେସ ସମେତ ୭ଟି ବିରୋଧୀ ଦଳ ମହାଭିଯୋଗ ନୋଟିସ୍‌ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ପ୍ରଦାନ କରିଥିଲେ। ପ୍ରଧାନ ବିଚାରପତିଙ୍କ ଦ୍ୱାରା ପଦର ଦୁରୁପଯୋଗ ଅଭିଯୋଗରେ କଂଗ୍ରେସ ନେତା ଗୁଲାମନବୀ ଆଜାଦଙ୍କ ଆବାହକତ୍ୱରେ ବିଭିନ୍ନ ଦଳଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା। ଏହାପରେ ଆଜାଦଙ୍କ ନେତୃତ୍ୱରେ ୭ଟି ଦଳର ପ୍ରତିନିଧି ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷଙ୍କୁ ତାଙ୍କ ବାସଭବନରେ ଭେଟି ଏହି ପ୍ରସ୍ତାବ ଆଗତ ପାଇଁ ନୋଟିସ୍‌ ଦେଇଥିଲେ। ତେବେ ରାଜ୍ୟସଭା ଅଧ୍ୟକ୍ଷ ମହାଭିଯୋଗ ନୋଟିସ୍‌କୁ ପ୍ରତ୍ୟାଖ୍ୟାନ କଲେ କଂଗ୍ରେସ ସୁପ୍ରିମ୍‌ କୋର୍ଟର ଦ୍ୱାରସ୍ଥ ହେବ ବୋଲି ଦଳର ଜଣେ ବରିଷ୍ଠ ନେତା କହିଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ନୋଟିସ୍‌ ଖାରଜ କଲେ ଏହାକୁ ଅଦାଲତରେ ଚ୍ୟାଲେଂଜ କରାଯିବ ଏବଂ ଏହାର ନ୍ୟାୟିକ ସମୀକ୍ଷା ହେବ। ଏହି ପ୍ରକ୍ରିୟାରେ କଂଗ୍ରେସ ପ୍ରଧାନ ବିଚାରପତିଙ୍କ ବିରୋଧରେ ନୈତିକ ଚାପ ଜାରି ରଖିବ ବୋଲି ଦଳୀୟ ନେତା କହିଛନ୍ତି। ମହାଭିଯୋଗ ପ୍ରସ୍ତାବ ଆଗତ ହେଲେ ପ୍ରଧାନ ବିଚାରପତି ନିଜେ ନ୍ୟାୟିକ ଦାୟିତ୍ୱରୁ ହଟିଯିବେ ବୋଲି ଅନେକ କଂଗ୍ରେସ ନେତା ମନ୍ତବ୍ୟ ଦେଇଛନ୍ତି। ସେମାନେ କହିଛନ୍ତି ଯେ ପୂର୍ବରୁ ମଧ୍ୟ ମହାଭିଯୋଗ ସାମ୍ନା କରୁଥିବା ବିଚାରପତିମାନେ ସେମାନଙ୍କ କାର୍ଯ୍ୟରୁ ଦୂରେଇ ଯାଇଛନ୍ତି। ପ୍ରଧାନ ବିଚାରପତି ମଧ୍ୟ ସେଭଳି ପଦକ୍ଷେପ ନେବା ଉଚିତ ବୋଲି ସେମାନେ କହିଛନ୍ତି। ତେବେ ଏହା କେବଳ ଏକ ପ୍ରଚଳିତ ଧାରା ଏବଂ ଏ ବାବଦରେ କୌଣସି ଆଇନ କିମ୍ବା ସାମ୍ବିଧାନିକ ନିର୍ଦ୍ଦେଶ ନାହିଁ ବୋଲି

ପ୍ରସ୍ତାବ ସାର୍ବଜନୀନ କରିବା ନିୟମ ବିରୁଦ୍ଧ
ନୂଆଦିଲ୍ଲୀ: ପ୍ରଧାନ ବିଚାରପତିଙ୍କ ବିରୋଧରେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଗୁଡ଼ିକ ଦେଇଥିବା ମହାଭିଯୋଗ ନୋଟିସ୍‌କୁ ରାଜ୍ୟସଭା ଅଧ୍ୟକ୍ଷ ଗ୍ରହଣ କରିବା ପୂର୍ବରୁ ଏହାକୁ ସାର୍ବଜନୀନ କରାଯିବା ନିୟମ ବିରୁଦ୍ଧ ବୋଲି ସଂସଦର ବରିଷ୍ଠ ଅଧିକାରୀମାନେ କହିଛନ୍ତି। ସଂସଦୀୟ କାର୍ଯ୍ୟପ୍ରଣାଳୀର ଧାରା ୩୩୪(ଏ)ରେ ଏ ବାବଦ ନିୟମ ରହିଛି। ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ପ୍ରକ୍ରିୟା ଆରମ୍ଭ କରିବାକୁ ଯେଉଁ ନୋଟିସ୍‌ ଦିଆଯାଇଛି ତାହାକୁ ବିରୋଧୀ ଦଳଗୁଡ଼ିକ ତତ୍କାଳ ସାର୍ବଜନୀନ କରିଥିଲେ। ଏହାଦ୍ୱାରା ସଂସଦୀୟ ପରମ୍ପରା ଓ ନିୟମକୁ ଉଲ୍ଲଂଘନ ହୋଇଥିବାରୁ ରାଜ୍ୟସଭା ସଚିବାଳୟ ଅଧିକାରୀ ମାନେ ଏବେ ନୋଟିସ୍‌ ସଂକ୍ରାନ୍ତ ସ୍ଥିତି ଅନୁଧ୍ୟାନ କରୁଛନ୍ତି।

ସମ୍ବନ୍ଧିତ ଖବର