ଶଶିଙ୍କ ସ୍ମରଣରେ ପାକିସ୍ତାନସ୍ଥିତ ତାଙ୍କ ପୂର୍ବଜଙ୍କ ଘର ସାମ୍ନାରେ ମହମବତି ପ୍ରଜ୍ଜ୍ୱଳନ

ପେଶାଓ୍ଵାର: ଐତିହାସିକ କିସାର୍‌ ଖ୍ଵାନି ବଜାର ନିକଟରେ ଥିବା ଅଭିନେତା ଶଶି କପୁରଙ୍କ ପୂର୍ବଜଙ୍କ ଘର ସାମ୍ନାରେ ବୁଧବାର ଦିନ ମହମବତି ପ୍ରଜ୍ଜ୍ୱଳନ କରାଯାଇଥିଲା।

ଖାଇବର-ପାଖତୁନ୍‌ଖ୍ଵା ପ୍ରଦେଶ ଅନ୍ତର୍ଗତ ଧାକି ନଳବନ୍ଦୀ ଅଞ୍ଚଳରେ କପୁର ହାବେଳି ଅବସ୍ଥିତ। ବିଂଶ ଶତାବ୍ଦୀ ପ୍ରାରମ୍ଭରେ ତାହାକୁ କପୁରମାନଙ୍କ ଜେଜେ ବାପା ଦିଓ୍ଵାନ ବାଶେଶ୍ୱରନାଥ ସିଂହ କପୁର ତୋଳାଇ ଥିଲେ। ସେ ସେହି ସହରରେ ରହୁଥିଲେ।

ଡିସେମ୍ବର ୪ ତାରିଖ ଦିନ ୭୯ ବର୍ଷ ବୟସରେ ପରଲୋକ ଗମନ କରିଥିବା ହିନ୍ଦୀ ଚଳଚ୍ଚିତ୍ର ଅଭିନେତାଙ୍କ ପ୍ରତି ଖାଇବର-ପଖତୁନ୍‌ଖ୍ଵା କଲ୍‌ଚୁରାଲ୍‌ ହେରିଟେଜ୍‌ କାଉନ୍‌ସିଲ୍‌ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲା।

ଚଳଚ୍ଚିତ୍ରପ୍ରେମୀଙ୍କ ସମତେ ବିଭିନ୍ନ ଶ୍ରେଣୀର ଲୋକେ ଏହି ବୈଠକରେ ଯୋଗ ଦେଇଥିଲେ। ଏହି ଅବସରରେ ସିଏଚ୍‌ସିର ସଚିବ ଶକୀଲ ଓ୍ଵାହୀଦୁଲ୍ଲା କହିଲେ ଯେ ନିଜ ପୂର୍ବଜଙ୍କ ଘର ପାଇଁ ବର୍ଷିଆନ୍‌ ଅଭିନେତା ସବୁବେଳେ ପେଶାଓ୍ଵାର୍‌କୁ ସ୍ମରଣ କରୁଥିଲେ।

ଆପଣା ବଂଶପ୍ରୀତି ଥିବାରୁ କପୁର ୨୦୦୦ ମସିହାରେ ସେ ସହରକୁ ଯାଇଥିଲେ।

ଶକୀଲ୍‌ ଆହୁରି କହିଥିଲେ ଯେ ଏ ପ୍ରାଚୀନ ସହରର ବାସିନ୍ଦା କପୁର ପରିବାର ତଥା ବଲିଉଡ୍‌ ଅଭିନେତାଙ୍କ ପ୍ରତି ପେଶଓ୍ଵାରବାସୀଙ୍କର ଗଭୀର ଶ୍ରଦ୍ଧା ରହିଛି।

କପୁର ପରିବାରଙ୍କ ଛଡ଼ା, ଅଭିନେତା ଦିଲୀପ କୁମାର, ଶାହାରୁଖ ଖାଁ, ବିନୋଦ ଖାନ୍ନା, ଅମଜାଦ ଖାଁ ଏବଂ ଅନୀଲ କପୁରଙ୍କ ପୂର୍ବଜ ମଧ୍ୟ ପେଶଓ୍ଵାରବାସୀ।

‘ପେଶ୍‌ଓ୍ଵାର୍‌ କେ ଫଙ୍କାର’ ପୁସ୍ତକରେ ଐତିହାସିକ ମହମ୍ମଦ ଇବ୍ରାହିମ୍‌ ଜିଆ କପୁର ବଂଶର ପେଶାଓ୍ଵାର ସହ ସମ୍ପର୍କ ଉପରେ ଆଲୋକପାତ କରିଥିଲେ। ଏହି ପୁସ୍ତକରେ ସେ ଖାଇବର ପାଖତୁନଖ୍ଵାରୁ ଯାଇଥିବା ବଲିଉଡ୍‌ ଅଭିନେତାଙ୍କ କଥା ଉଲ୍ଲେଖ କରିଛନ୍ତି।

ସେ ଲେଖିଛନ୍ତି, ରାଜ କପୁର, ସମ୍ମି କପୁର ଏବଂ ଶଶି କପୁରଙ୍କ ପିତା ପୃଥ୍ଵୀରାଜ କପୁର ଚଳଚ୍ଚିତ୍ରରେ କାମ କରିବାକୁ ପେଶଓ୍ଵାରରୁ ବମ୍ବେ ଯାଇଥିଲେ।

୧୯୪୨ରେ କପୁର ପରିବାରର ମୁଖ୍ୟ ଘରଟିକୁ ବିକ୍ରୟ କରି ଦେଇ ମୁମ୍ବଇ ଉଠି ଯାଇଥିଲେ।

ପେଶଓ୍ଵାର ଛାଡ଼ି ଚାଲି ଯାଇଥିଲେ ମଧ୍ୟ କପୁରମାନେ ସବୁବେଳେ ଶ୍ରଦ୍ଧାର ସହ ସେ ସହରକୁ ସ୍ମରଣ କରୁଥିଲେ। ମୃତ୍ୟୁ ପୂର୍ବରୁ ନିଜ ପିଲାଦିନର ଘର ଦେଖିବାକୁ ଇଚ୍ଛା ପ୍ରକାଶ କରିଥିଲେ।

୨୦୧୪ରେ ଜିଆ ଭାରତ ଯାଇ ଶଶିଙ୍କୁ ସାକ୍ଷାତ୍‌ କରିଥିଲେ।

ଖୁବ୍‌ ଶୀଘ୍ର ସିଏଚ୍‌ସିର ଏକ ପ୍ରତିନିଧି ଦଳ ଭାରତ ଗସ୍ତରେ ଯାଇ ଶୋକସନ୍ତପ୍ତ କପୁର ପରିବାରଙ୍କୁ ଭେଟି ସେମାନଙ୍କୁ ପେଶାଓ୍ଵାରବାସୀଙ୍କ ଶୋକବାର୍ତ୍ତା ଜଣାଇବେ।

ସମ୍ବନ୍ଧିତ ଖବର