କାହା ଅଫିସ୍‌ କି, ଘର ବାହାରେ ହରତାଳ କରି ପାରିବ ନାହିଁ: ଆପ୍‌କୁ କହିଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଲେଫ୍‌ଟ୍‌ନାଣ୍ଟ୍‌ ଭଗର୍ଣ୍ଣର୍‌ ଅନୀଲ ବୈଜାଲ୍‌ଙ୍କ ଅଫିସ୍‌ ବାହାରେ ଧାରଣା ଦେଇଥିବା ଯୋଗୁଁ ସୋମବାର ଦିନ ଦିଲ୍ଲୀ ହାଇକୋର୍ଟ ଆମ୍‌ ଆଦ୍‌ମି ପାର୍ଟିକୁ ତୀବ୍ର ସମାଲୋଚନା କରି ଧର୍ମଘଟର ବୈଧତା ଉପରେ ପ୍ରଶ୍ନ ଉଠାଇଛନ୍ତି।

ଦିଲ୍ଲୀ ହାଇକୋର୍ଟ ପ୍ରଶ୍ନ ଉଠାଇଛନ୍ତି: କଥା ହେଲା ଆପଣମାନେ ଧାରଣା ଦେଇଛନ୍ତି। ଏମିତି ଧାରଣା ଦେବାକୁ କିଏ ତାଙ୍କୁ ଆନୁଷ୍ଠାନିକ ଭାବେ ଅନୁମତି ଦେଲା?

ଏଇଟାକୁ ଧାରଣା କୁହାଯାଇ ପାରିବ ନାହିଁ। ଆପଣ କାହା ଅଫିସ୍‌ କି, ଘରକୁ ପଶିଯାଇ ସେଠାରେ ହରତାଳ କରି ପାରିବେ ନାହିଁ ବୋଲି ଅଦାଲତ କହିଛନ୍ତି।

ଆଜି ବିଜେପି ବିଧାୟକ ବିଜେନ୍ଦର୍‌ ଗୁପ୍ତ ଦିଲ୍ଲୀ ହାଇକୋର୍ଟରେ ପହଞ୍ଚି ଅଷ୍ଟମ ଦିନରେ ପହଞ୍ଚି ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ ଏବଂ ତାଙ୍କ କ୍ୟାବିନେଟ୍‌ ସହଯୋଗୀମାନଙ୍କ ଧର୍ମଘଟର ଅବସାନ ଘଟାଇବାକୁ ଆଦେଶ ପାଇଁ ଆବେଦନ କରିଥିଲେ।

କେଜ୍ରିଓ୍ଵାଲ୍‌ଙ୍କ ସହ ତାଙ୍କ ଡେପୁଟି ମନୀଷ ସିସୋଦିଆ, ମନ୍ତ୍ରୀ ସତ୍ୟେନ୍ଦର୍‌ ଜୈନ୍‌ ଏବଂ ଗୋପାଳ ରାୟ ଗତ ସୋମବାର ଠାରୁ ବୈଜାଲ୍‌ଙ୍କ ଆବାସିକ କାର୍ଯ୍ୟାଳୟ ବାହାରେ ଧାରଣା ଦେଇଛନ୍ତି। ତାଙ୍କର ଦାବି ଆଇଏଏସ୍‌ ଅଧିକାରୀମାନେ ଧର୍ମଘଟ ବନ୍ଦ କରନ୍ତୁ ଏବଂ ତାଙ୍କ ସରକାରଙ୍କର ଡୋର୍‌ଷ୍ଟେପ୍‌ ଡେଲିଭରି ସ୍କିମ୍‌କୁ ଅନୁମୋଦନ କରନ୍ତୁ।

କିନ୍ତୁ, ରବିବାର ଦିନ ଆଇଏଏସ୍‌ ଅଧିକାରୀମାନେ କହିଛନ୍ତି କି, ସେମାନେ ଧର୍ମଘଟ କରି ନାହାନ୍ତି ଓଲଟି ସେମାନଙ୍କୁ ରାଜନୈତିକ ସ୍ୱାର୍ଥରେ ଉପଯୋଗ କରାଯାଉଛି। ଅଯଥାରେ ସେମାନଙ୍କୁ ବଳି ପକାଯାଉଛି।

ଆଜିର ଶୁଣାଣି ସମୟରେ ଦିଲ୍ଲୀ ସରକାରଙ୍କ ଓକିଲ କହିଥିଲେ କି, ମନ୍ତ୍ରୀମାନେ ଡକାଉଥିବା ବୈଠକକୁ ଯାଉ ନାହାନ୍ତି ବୋଲି ଗତକାଲି ଆଇଏଏସ୍‌ ଅଧିକାରୀମାନେ ସ୍ୱୀକାର କରିଥିଲେ।

ସମ୍ବନ୍ଧିତ ଖବର