କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂହଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ : କୃଷକମାନଙ୍କ ୧୦ ଦିନିଆ ଦେଶବ୍ୟାପୀ ଆନ୍ଦୋଳନ ଉପରେ ବିବାଦୀୟ ବୟାନ ଦେଇ କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂ ଏବେ ଅଡ଼ୁଆରେ ପଡ଼ି ଯାଇଛନ୍ତି। ଗତ ଶନିବାର ଦିନ କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହ କହିଥିଲେ ଯେ କେବଳ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ ଏବଂ ପ୍ରଚାର ପାଇଁ କୃଷକମାନେ ଆନ୍ଦୋଳନ କରୁଛନ୍ତି। ତେବେ ମନ୍ତ୍ରୀଙ୍କର ଏଭଳି ବୟାନକୁ ବିଭିନ୍ନ ବିରୋଧୀ ଦଳ କଡ଼ା ସମାଲୋଚନା କରିଥିବାବେଳେ ସାମାଜିକ କର୍ମୀ ତମନ୍ନା ହାସ୍‌ମି ଏନେଇ ବିହାରର ମୁଜାଫରପୁର ସିଜେଏମ୍‌ କୋର୍ଟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ବିଭିନ୍ନ ବିରୋଧୀ ଦଳ ଗୁଡ଼ିକ ମଧ୍ୟ କୃଷିମନ୍ତ୍ରୀଙ୍କର ଏଭଳି ବୟାନ ପାଇଁ ତାଙ୍କ ଇସ୍ତଫା ଦାବି କରିଛନ୍ତି। ଉଲ୍ଲେଖଯୋଗ୍ୟ କେନ୍ଦ୍ରର କୃଷକ ବିରୋଧୀ ନୀତିକୁ ବିରୋଧ କରି ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ଥାନ, କର୍ଣ୍ଣାଟକ, ହରିଆଣା ଓ ଗୁଜରାଟର କୃଷକମାନେ ଏବେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଉତ୍ପାଦର ସର୍ବନିମ୍ନ ସହାୟକ ମୂଲ୍ୟ ଏବଂ ସମ୍ପୂର୍ଣ୍ଣ କୃଷିଋଣ ଛାଡ଼ ଦାବିରେ ରାଷ୍ଟ୍ରୀୟ କିଷାନ ମହାସଂଘ ନେତୃତ୍ୱରେ ଆରମ୍ଭ ହୋଇଥିବା ଏହି ୧୦ ଦିନିଆ ଆନ୍ଦୋଳନରେ ୧୦୦ରୁ ଊର୍ଦ୍ଧ୍ୱ କୃଷକ ସଂଗଠନ ସାମିଲ ହୋଇଛନ୍ତି।

ସମ୍ବନ୍ଧିତ ଖବର