ସଂସଦରେ ବି କାଷ୍ଟିଂ କାଉଚ୍‌!

ରେଣୁକାଙ୍କ ବୟାନକୁ ନେଇ ବିବାଦ : କାଷ୍ଟିଂ କାଉଚ୍‌ ସପକ୍ଷରେ ସରୋଜ ଖାନ୍‌ଙ୍କ ଯୁକ୍ତି

ଚଳଚ୍ଚିତ୍ର ଜଗତର ମତାମତ
ନୂଆଦିଲ୍ଳୀ: କାଷ୍ଟିଂ କାଉଚ୍‌କୁ ନେଇ ଆଜି ବଡ଼ ଧରଣର ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଚଳଚ୍ଚିତ୍ର ଜଗତରେ ଏଭଳି ଅପସଂସ୍କୃତି ସପକ୍ଷରେ ବରିଷ୍ଠ ନୃତ୍ୟ ନିର୍ଦ୍ଦେଶିକା (କୋରିଓଗ୍ରାଫର) ସରୋଜ୍‌ ଖାନ୍‌ ଯୁକ୍ତି ଦର୍ଶାଇଥିବା ବେଳେ ଏହାକୁ ନେଇ କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ସଂସଦ ମଧ୍ୟ କାଷ୍ଟିଂ କାଉଚ୍‌ରୁ ବାଦ୍‌ ପଡିନାହିଁ। ସେ ଅଭିଯୋଗ କରିଛନ୍ତି ଯେ କେବଳ ଚଳଚ୍ଚିତ୍ର ଜଗତ ନୁହେଁ, ସବୁଠି କାଷ୍ଟିଂ କାଉଚ୍‌ ଚାଲିଛି। ସଂସଦ ମଧ୍ୟ ଏଥିରୁ ବର୍ତ୍ତିପାରିନି। ଏହା ହିଁ ଅପ୍ରିୟ ସତ। ଏବେ ସମସ୍ତେ ଏହା ବିରୋଧରେ ଏକତ୍ର ସ୍ୱର ଉତ୍ତୋଳନ କରି ‘ମି ଠୁ’ କହିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ‘ମି ଠୁ’ ହେଉଛି ଯୌନ ନିର୍ଯାତନା ବିରୋଧରେ ଲଢେଇ କରୁଥିବା ଏକ ଅଭିଯାନ। ଏହାସହିତ ରେଣୁକା ପରୋକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି।

ସେ କହିଛନ୍ତି, ଗତ କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ମୋଦି ସଂସଦରେ ମୋ ବିରୋଧରେ ଯେଉଁଭଳି ଅପମାନସୂଚକ ମନ୍ତବ୍ୟ ଦେଇଥିଲେ ସେ ସମୟରେ ଜଣେ ମହିଳା ଭାବେ ମୋର ମଧ୍ୟ ସମ୍ମାନହାନୀ ହୋଇଥିଲା। ପ୍ରଧାନମନ୍ତ୍ରୀ ସଂସଦରେ ମହିଳାଙ୍କୁ ଅସମ୍ମାନ କରିବା ଏବଂ କେନ୍ଦ୍ରମନ୍ତ୍ରୀ କିରନ୍‌ ରିିଜୁ ଆପତ୍ତିଜନକ ଭିଡିଓ ଅପଲୋଡ୍‌ କରିବା ମୋ ପାଇଁ ମଧ୍ୟ ଅପମାନସୂଚକ ଥିଲା ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, କିଛି ମାସ ପୂର୍ବେ ସଂସଦରେ ରେଣୁକାଙ୍କ ହସକୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ରାମାୟଣ ସିରିୟଲ୍‌ ପରେ ପ୍ରଥମ ଥର ପାଇଁ ସେ ଏମିତି ହସ ଦେଖିବାକୁ ପାଇଛନ୍ତି। ଏହା ସହିତ ତାଙ୍କୁ ସୁପର୍ଣଖାଙ୍କ ସହ ତୁଳନା କରାଯିବା ଘଟଣାକୁ ରେଣୁକା ଆଜି କାଷ୍ଟିଂ କାଉଚ୍‌ ସହ ଯୋଡ଼ିଛନ୍ତି।

ମୁମ୍ବାଇ: ଦେଶବ୍ୟାପୀ କାଷ୍ଟିଂ କାଉଚ୍‌କୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ବଲିଉଡ୍‌ର ବରିଷ୍ଠ ନୃତ୍ୟ ନିର୍ଦ୍ଦେଶିକା (କୋରିଓଗ୍ରାଫର) ସରୋଜ ଖାନ୍‌ ଏହାକୁ ସମର୍ଥନ କରି ଏବେ ଅଡ଼ୁଆରେ ପଡ଼ିଯାଇଛନ୍ତି। ଖାନ୍‌ କହିଛନ୍ତି କାଷ୍ଟିଂ କାଉଚ୍‌ କୌଣସି ନୂଆ ଘଟଣା ନୁହେଁ, ପ୍ରତ୍ୟେକ ସ୍ଥାନରେ, ପ୍ରତ୍ୟେକଟି କ୍ଷେତ୍ରରେ ଏପରିକିି ସରକାରୀ କ୍ଷେତ୍ରରେ ମଧ୍ୟ ଲୋକମାନେ କାଷ୍ଟିଂ କାଉଚ୍‌ରେ ସଂଶ୍ଳିଷ୍ଟ ରହୁଛନ୍ତି। କାଷ୍ଟିଂ କାଉଚ୍‌କୁ ସମର୍ଥନ ଜଣାଇ ସେ କହିଛନ୍ତି ଫିଲ୍ମ ଇଣ୍ଡଷ୍ଟ୍ରି ନିଯୁକ୍ତି ଦେଇଛି, ଖାଇବାକୁ ଦେଉଛି, ଦୁଷ୍କର୍ମ ପରେ ମହିଳାଙ୍କୁ ଫୋପାଡ଼ି ଦେଇନି। ତେବେ ଏହା ଗୋଟିଏ ଝିଅ ଉପରେ ନିର୍ଭର କରୁଛି ସେ କ’ଣ ଚାହୁଛି। ଯଦି ସେ କାଷ୍ଟିଂ କାଉଚ୍‌ର ଶିକାର ହେବାକୁ ଚାହୁନି ତେବେ ସେ ହୋଇପାରିବନି। ସେ ପୁଣିଥରେ କହିଛନ୍ତି ଯଦି ତୁମ ପାଖରେ ସୃଜନଶୀଳତା ଅଛି, କଳାତ୍ମକ ଗୁଣ ଅଛି ତେବେ ତୁମେ ନିଜକୁ ବିକୁଛ କାହିଁକି? ଚଳଚ୍ଚିତ୍ର ଜଗତ ଆମର ମା’-ବାପା ବୋଲି ସରୋଜ କହିଛନ୍ତି। ତେବେ ଏଭଳି ବୟାନ ପାଇଁ ବିଭିନ୍ନ ମହଲରୁ କଡ଼ା ସମାଲୋଚନାର ଶିକାର ହେବାପରେ ଏବେ ସରୋଜ ତାଙ୍କ ଭୁଲ୍‌ ପାଇଁ କ୍ଷମା ମାଗିଛନ୍ତି।

ଆଜି ସାଙ୍ଗ୍‌ଲିରେ ଜଣେ ସାମ୍ବାଦିକ ପଚାରିଥିବା କାଷ୍ଟିଂ କାଉଚ୍‌ ସମ୍ପର୍କିତ ପ୍ରଶ୍ନରେ ସରୋଜ ଏଭଳି ବିବାଦୀୟ ବୟାନ ଦେଇଛନ୍ତି। ତାଙ୍କ ବୟାନର ଏକ ଭିଡିଓ ମଧ୍ୟ ଏବେ ସୋସିଆଲ ମିଡିଆ ଏବଂ ଟିଭିରେ ପ୍ରସାରିତ ହୋଇଛି। ଉଲ୍ଲେଖଯୋଗ୍ୟ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିରେ କାଷ୍ଟିଂ କାଉଚ୍‌କୁ ବିରୋଧ କରି ତେଲୁଗୁ ଅଭିନେତା ଶ୍ରୀ ରେଡ୍ଡୀ ଏବେ ଆନ୍ଦୋଳନ କରିଥିବାବେଳେ ଏହି ମର୍ମରେ ଜଣେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖି ଆଜି ସରୋଜ୍‌ ଖାନ୍‌ କାଷ୍ଟିଂ କାଉଚ୍‌କୁ ସମର୍ଥନ କରିଛନ୍ତି। ତେଲୁଗୁ ଚଳଚ୍ଚିତ୍ର ଜଗତରେ ସ୍ଥାନୀୟ ଅଭିନେତ୍ରୀଙ୍କୁ ଅଭିନୟ ପାଇଁ ସୁଯୋଗ ଦିଆଯାଉ ନଥିବା ଏବଂ ଅଭିନେତ୍ରୀଙ୍କୁ ସୁଯୋଗ ପାଇଁ ସେମାନଙ୍କର ସର୍ବସ୍ୱ ଦେବାକୁ ପଡ଼ୁଥିବା ଅଭିଯୋଗ କରି ଶ୍ରୀ ରେଡ୍ଡୀ କିଛିଦିନ ତଳେ ତେଲୁଗୁ ଚାମ୍ବର ଅଫ ଫିଲ୍ମସ ସମ୍ମୁଖରେ ଉଲଗ୍ନ ହୋଇ ଧାରଣା ଦେଇଥିଲେ।
କମଲ ହାସନ: ବରିଷ୍ଠ ଅଭିନେତା କମଲ ହାସନ କହିଛନ୍ତି ଯେ, ପ୍ରତ୍ୟେକ ନାରୀ ଏଭଳି ପ୍ରସ୍ତାବକୁ ପାଦରେ ଏଡ଼ାଇ ଦେବା ଆବଶ୍ୟକ। ଏହା ନିହାତି ଭାବେ ଏକ ଘୃଣ୍ୟପ୍ରଥା।
ସୁରବୀନ ଚାଓ୍ଵଲା: ହିନ୍ଦୀ ଚଳଚ୍ଚିତ୍ର ଜଗତରେ କାଷ୍ଟିଂ କାଉଚ୍‌ର ଶିକାର ହୋଇଥିବା ଅଭିନେତ୍ରୀ ସୁରବୀନ ଚାଓ୍ଵଲା ସରୋଜଙ୍କ ମନ୍ତବ୍ୟକୁ ସମର୍ଥନ କରିଛନ୍ତି। ପ୍ରଥମେ ଏହା ଭାରି ଖରାପ ଲାଗୁଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ଏସବୁ ଅଭ୍ୟାସରେ ପରିଣତ ହୋଇଗଲା ବୋଲି ସେ କହିଛନ୍ତି।
ରିଚା ଚଢ଼ା: କିଛି ଦିନ ପୂର୍ବରୁ କାଷ୍ଟିଂ କାଉଚ୍‌କୁ ବିରୋଧ କରୁଥିବା ବଲିଉଡ ଅଭିନେତ୍ରୀ ରିଚା ଚଢା ଆଜି ତାଙ୍କ ମତ ପରିବର୍ତ୍ତନ କରିଛନ୍ତି। କୋରିଓଗ୍ରାଫର ସରୋଜ ଖାନ୍‌ଙ୍କୁ ସମର୍ଥନ କରି ସେ କହିଛନ୍ତି, ଲୋକେ ଭାବୁଛନ୍ତି,କେବଳ ଚଳଚ୍ଚିତ୍ର ଜଗତରେ ଏହା ହେଉଛି। କିନ୍ତୁ ସବୁ କ୍ଷେତ୍ରରେ ସମାନ ସ୍ଥିତି ରହିଛି।
ଶ୍ରୀ ରେଡ୍ଡୀ: ନିକଟରେ କାଷ୍ଟିଂ କାଉଚ୍‌ର ଶିକାର ହାଇଥିବା ତେଲୁଗୁ ଅଭିନେତ୍ରୀ ଶ୍ରୀ ରେଡ୍ଡୀ କିନ୍ତୁ କୋରିଓଗ୍ରାଫର ସରୋଜ ଖାନ୍‌ଙ୍କ ଏଭଳି ମନ୍ତବ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସରୋଜ ଖାନ୍‌ ଏଭଳି ମନ୍ତବ୍ୟ ଦେଇ ନିଜେ ନିଜର ସମ୍ମାନ ହାନି କରିଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର