ତଳେ ଆଣ୍ଠେଇ ପଡ଼ି ମଧ୍ୟପ୍ରଦେଶ କଂଗ୍ରେସ ସଭାପତି କମଲନାଥଙ୍କ ଜୋତା ଫିତା ବାନ୍ଧୁଥିଲେ ଦଳୀୟ ବିଧାୟକ; ଫଟୋ, ଭିଡିଓ ହେଲା ଭାଇରାଲ!

ସିଓନି (ମଧ୍ୟପ୍ରଦେଶ): ମଧ୍ୟପ୍ରଦେଶ କଂଗ୍ରେସ ସଭାପତି କମଲନାଥଙ୍କ ଜୋତାର ଫିତାକୁ ଦଳୀୟ ବିଧାୟକ ରଜନୀଶ ସିଂହ ବାନ୍ଧି ଦେଉଥିବା ସମୟର ଏକ ଫଟୋ ଓ ଭିଡିଓ ଆଜି (ସୋମବାର) ଭାଇରାଲ ହେବା ପରେ ଏହି ଘଟଣାକୁ ନେଇ ଦେଶବ୍ୟାପି ଚର୍ଚ୍ଚା ସୃଷ୍ଟି ହୋଇଛି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଆଜି କଂଗ୍ରେସ ନେତା କମଲନାଥଙ୍କର ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଦେଖିବାକୁ ମିଳୁଛି ଯେ ହିମାଚଳ ପ୍ରଦେଶର ପୂର୍ବତନ ରାଜ୍ୟପାଳ ଓ କଂଗ୍ରେସ ନେତା ଉର୍ମିଳା ସିଂହଙ୍କୁ ସିଓନିରେ ଶ୍ରଦ୍ଧାଞ୍ଜଳି ଜଣାଇ ଫେରୁଥିବା ବେଳେ କଂଗ୍ରେସ ବିଧାୟକ ରଜନୀଶ ସିଂହ ତଳେ ଆଣ୍ଠେଇ ପଡ଼ି କମଲନାଥଙ୍କ ଜୋତାର ଫିତାକୁ ବାନ୍ଧି ଦେଉଛନ୍ତି। ଏହି ଭିଡିଓ ଭାଇରାଲ ହେବାପରେ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ଦେଶର ଅନ୍ୟ ରାଜନୈତିକ ଦଳମାନେ। ଏପରି ଘଟଣା ବରିଷ୍ଠ କଂଗ୍ରେସ ନେତାମାନଙ୍କର ସାମନ୍ତବାଦୀ ଆଚରଣର ନଗ୍ନ ପ୍ରଦର୍ଶନ ବୋଲି ସେମାନେ ଅଭିଯୋଗ କରି କହିଛନ୍ତି।

ଅପରପକ୍ଷରେ କଂଗ୍ରେସ ବିଧାୟକ ରଜନୀଶ ସିଂହ କହିଛନ୍ତି ଯେ କମଲନାଥ ହେଉଛନ୍ତି ମୋ ପିତା ସଦୃଶ। ତାଙ୍କ ସହିତ ଆମର ପାରିବାରିକ ସଂପର୍କ ରହିଛି। ମୁଁ ଯେତେବେଳେ ବି ତାଙ୍କୁ ଭେଟିଥାଏ, ତାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥାଏ। ଆଜି ଯେତେବେଳେ ଗୋଟିଏ ଛୋଟ କଠୋରି ମଧ୍ୟରେ ହିମାଚଳ ପ୍ରଦେଶର ପୂର୍ବତନ ରାଜ୍ୟପାଳ ଓ କଂଗ୍ରେସ ନେତା ଉର୍ମିଳା ସିଂହଙ୍କୁ ସିଓନିରେ ଶ୍ରଦ୍ଧାଞ୍ଜଳି ଜଣାଇ ଫେରୁଥିଲେ ସେତେବେଳେ ଭିଡ଼ ମଧ୍ୟରେ ତାଙ୍କୁ ତଳକୁ ନଇଁ ଜୋତା ଫିତା ବାନ୍ଧିବାରେ ଅସୁବିଧା ହୋଇଥାନ୍ତା। ଏହି ଅସୁବିଧାକୁ ହୃଦୟଙ୍ଗମ କରି ମୁଁ ତାଙ୍କର ଜୋତାର ଫିତାକୁ ବାନ୍ଧି ଦେଇଥିଲି। ଏହାକୁ ଅନ୍ୟ ଦୃଷ୍ଟିରେ ଦେଖିବା ବା ଏହାକୁ ନେଇ ରାଜନୀତି କରିବା ଉଚିତ ନୁହେଁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଶ୍ରୀ ସିଂହ।

ସମ୍ବନ୍ଧିତ ଖବର