ଚିଦମ୍ବରମଙ୍କ ଘରେ ସିବିଆଇ, ଇଡି

ଆଇଏନଏକ୍ସ୍‌ ମିଡିଆ ମାମଲା, ଯେକୌଣସି ମୁହୂର୍ତ୍ତରେ ଗିରଫ ହେବେ

‘୨ଘଣ୍ଟା ଭିତରେ ହାଜର ହୁଅ’ ସୁପ୍ରିମ୍‌ କୋର୍ଟରେ ଶୁଣାଣି ଆଜି
ନୂଆଦିଲ୍ଲୀ: ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲା ନେଇ ଅଡ଼ୁଆରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦମ୍ବଦମ। ସେ ଯେକୌଣସି ମୁହୂର୍ତରେ ଗିରଫ ‌େହାଇପା‌ରନ୍ତି। ଆଗୁଆ ଜାମିନ ‌ଆବେଦନ ଦିଲ୍ଲୀ ହାଇକୋର୍ଟରେ ଖାରଜ ହେବାପରେ ଆଜି ସନ୍ଧ୍ୟାରେ ତାଙ୍କ ବାସଭବନରେ ପହଂଚିଥିଲେ ସିବିଆଇ ଏବଂ ଇଡି (ପ୍ରବର୍ତନ ନିର୍ଦେଶାଳୟ)ର ଅଧିକା‌ରୀମାନେ। କିନ୍ତୁ ଚିଦମ୍ବରମଙ୍କୁ ନପାଇ ଖାଲି ହାତରେ ଫେରିଥିଲେ। ତେବେ ତାଙ୍କ ଘର ସାମନାରେ ଏକ ନୋଟିସ ଲଗାଇଛି ସିବିଆଇ। ଏହି ନୋଟିସ ପାଇବାର ୨ ଘଣ୍ଟା ଭିତରେ ହାଜର ‌େହବା ଲାଗି ଏଥିରେ ଚିଦମ୍ବାରମଙ୍କୁ କୁହାଯାଇଛି। ଖବର ମିଳିଛି ଯେ ହାଇକୋର୍ଟରୁ ନିରାଶ ହେବା ପରେ ଆଗୁଆ ଜାମିନ ପାଇଁ ସୁପ୍ରିମ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି ଚିଦମ୍ବରମ। ଆସନ୍ତାକାଲି ଏହି ମାମଲାର ଶୁଣାଣି ହେବ।
ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଉଭୟ ସିବିଆଇ ଏବଂ ଇଡି ତଦନ୍ତ ଜାରି ରଖିଥିବା ବେଳେ ଚିଦମ୍ବରମ ଗିରଫରୁ ବର୍ତ୍ତିବାପାଇଁ ପୃଥକ୍‌ ଭାବେ ଦିଲ୍ଲୀ ହାଇକୋର୍ଟ‌ରେ ଦୁଇଟି ଆଗୁଆ ଜାମିନ ଆବେଦନ କରିଥିଲେ। କିନ୍ତୁ ଚିଦମ୍ବରମଙ୍କର ଦୁଇଟି ଯାକ ଆବେଦନ ଖାରଜ ହୋଇଯାଇଛି ବୋଲି ଦିଲ୍ଲୀ ହାଇକୋର୍ଟ ବିଚାରପତି ସୁନୀଲ ଗୌର କହିଛନ୍ତି। ତେବେ କୋର୍ଟ ଚିଦମ୍ବରମଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିବାପ‌ରେ ତାଙ୍କ ଆଇନଜୀବୀ ଦୟାନ କ୍ରୀଷ୍ଣନ୍‌ କୋର୍ଟଙ୍କୁ କହିଥିଲେ, ଏହି ରାୟ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଉପରେ ୩ ଦିନ ପର୍ଯ୍ୟନ୍ତ ରହିତାଦେଶ ଲଗାଯାଉ। କିନ୍ତୁ କୋର୍ଟ ଏନେଇ ବିଚାର କରିବେ ବୋଲି କହିଛନ୍ତି। ଚିଦମ୍ବରମଙ୍କ ଜାମିନ ଆବେଦନର ଶୁଣାଣି ସମୟରେ ଉଭୟ ସିବିଆଇ ଏବଂ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଚିଦମ୍ବରମଙ୍କ ଆବେଦନକୁ ବିରୋଧ କରିଥିଲେ। ତଦନ୍ତ ପ୍ରକ୍ରିୟାରେ ଚିଦମ୍ବରମ୍‌ ସହଯୋଗ କରୁନଥିବାରୁ ତାଙ୍କୁ ହାଜତ ଜେରା କରିବା ଆବଶ୍ୟକ ବୋଲି ସିବିଆଇ ଏବଂ ଇଡି ଦ୍ବାରା ଦାବି କରାଯାଇଥିଲା।
ପିଟିସନ ଖାରଜ କରିବା ସମୟରେ ବିଚାରପତି କହିଥିଲେ ଯେ ଯାହା ଜଣାପଡ଼ୁଛି ଏହି ମାମଲାରେ ଚିଦମ୍ବରମ ହେଉଛନ୍ତି ମୁଖ୍ୟ ଷଡ଼ଯନ୍ତ୍ରକାରୀ। ତାଙ୍କ ବିରୋଧରେ ପ୍ରମାଣଯୋଗ୍ୟ ତଥ୍ୟ ରହିଛି। ତେଣୁ ତାଙ୍କୁ ଆଗୁଆ ଜାମିନ ଦିଆଯାଇପାରିବ ନାହିଁ।

ଉଲ୍ଲେଖଯୋଗ୍ୟ ଯେ ଏହି ମାମଲାରେ ଚିଦମ୍ବରମଙ୍କୁ ଏହାପୂର୍ବରୁ ସିବିଆଇ ଏବଂ ଇଡି ପକ୍ଷରୁ ଅନେକ ଥର ଜେରା କରାଯାଇଥିଲା। ୨୦୦୭ ମସିହାରେ ସେ ‌କେନ୍ଦ୍ର ଅର୍ଥମନ୍ତ୍ରୀ ଥିବା ସମୟରେ ଆଇଏନ୍‌ଏକ୍ସ ମିଡିଆକୁ ପ୍ରାୟ ୩୦୫ କୋଟି ଟଙ୍କା ବିଦେଶ ପାଣ୍ଠି ଗ୍ରହଣ କରିବା ଦିଗରେ ବେଆଇନ ଭାବେ ଏଫ୍‌ଆଇପିବି ମଂଜୁରି ପ୍ରଦାନ କରିଥିବା ଅଭି‌‌ଯୋଗ ରହିଛି। ଏଥିପାଇଁ ତାଙ୍କ ପୁଅ କାର୍ତି ଚିଦମ୍ବରମ ଲାଞ୍ଚ ନେଇଥିଲେ। ଏହି ମାମଲାରେ କାର୍ତିଙ୍କୁ ଗିରଫ ମଧ୍ୟ କରାଯାଇଥିଲା। ଏହି ମାମଲାରେ ପ୍ରଥମେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ୨୦୧୭ ମେ’ ୧୫ ତାରିଖରେ ଏଫ୍‌ଆଇଆର ରୁଜୁ କରିଥିଲା। ପରେ ୨୦୧୮ରେ ଏନେଇ ଏକ ମନି ଲଣ୍ଡ୍ରିଂ ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧିତ ଖବର