କୋଲକାତା ପୁଲିସ ମୁଖ୍ୟଙ୍କୁ ସିବିଆଇ ଜେରା

ସିଲଂ: କୋଲକାତା ପୁଲିସ କମିସନର ରାଜୀବ କୁମାରଙ୍କୁ ଆଜି କଡ଼ା ସୁରକ୍ଷା ବଳୟରେ ସିଲଂ ସ୍ଥିତ ସିବିଆଇ କାର୍ଯ୍ୟାଳୟରେ ଚିଟ୍‌ ଫଣ୍ଡ ଦୁର୍ନୀତି ନେଇ ଜେରା ହୋଇଛି। କୋଲକାତା ପୁଲିସ କମିସନରଙ୍କ ସମେତ ତାଙ୍କ ପରାମର୍ଶଦାତା ବିଶ୍ବଜିତ୍‌ ଦେବ ଏବଂ ବରିଷ୍ଠ ଆଇପିଏସ୍‌ ଅଫିସର ଜାଭେଦ ସାମିମ ଏବଂ ମୂରଲୀଧର ଶର୍ମା ଆଜି ପୂର୍ବାହ୍ନ ୧୧ଟା ବେଳେ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ତେବେ କୁମାରଙ୍କ ବ୍ୟତୀତ ତାଙ୍କର ଅନ୍ୟ ସହଯୋଗୀ ଅଫିସର ଏବଂ ଓକିଲଙ୍କୁ ୩୦ ମିନିଟ୍‌ ମଧ୍ୟରେ ସିବିଆଇ କାର୍ଯ୍ୟାଳୟ ପରିସର ବାହାରକୁ ଚାଲିଯିବାକୁ କୁହାଯାଇଥିଲା। ଏହାକୁ ନେଇ ପୁଲିସ ଏବଂ ସିବିଆଇ ଅଧିକାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ତେବେ ଅନାବଶ୍ୟକ ଉପସ୍ଥିତିକୁ କୌଣସି ସ୍ଥିତିରେ ବି ଗ୍ରହଣ କରାଯିବ ନାହିଁ ବୋଲି ସିବିଆଇ ସ୍ପଷ୍ଟ କରିଥିଲା। ମେଘାଳୟର ରାଜଧାନୀରେ ହୋଇଥିବା ଏହି ମାରାଥନ୍‌ ଜେରା ପାଇଁ ଦିଲ୍ଲୀରୁ ସିବିଆଇ ଅଫିସରମାନେ ଗତକାଲିଠାରୁ ସିଲଂ ପହଞ୍ଚି ଯାଇଥିଲେ। ସାଢ଼େ ୧୧ଟାରୁ ଆରମ୍ଭ ହୋଇଥିବା ଜେରା ୮ ଘଣ୍ଟା ଧରି ଚାଲିଥିଲା। ଚିଟ୍‌ ଫଣ୍ଡ ଦୁର୍ନୀତିରେ ପୁଲିସ କମିସନରଙ୍କୁ ଜେରା ପାଇଁ ସିବିଆଇ ଅଫିସରଙ୍କ ଉଦ୍ୟମକୁ ପୁଲିସ ବାହିନୀ ଯେଭଳି ବିରୋଧ କରିଥିଲେ ଏବଂ ସିବିଆଇ ଅଫିସରଙ୍କୁ ହାଜତରେ ଅଟକ ରଖିଥିଲେ ତାହା ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଥିଲା। ଏହି ମାମଲାରେ ସୁପ୍ରିମ୍‌ କୋର୍ଟ ମଙ୍ଗଳବାର ରାୟରେ କହିଥିଲେ ଯେ ସିବିଆଇ ଜେରାର ସମ୍ମୁଖୀନ ହେବାକୁ ରାଜୀବ କୁମାର ବାଧ୍ୟ। ତଦନ୍ତ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବା ପରିବର୍ତ୍ତେ ତଦନ୍ତକାରୀ ସିବିଆଇ ଅଧିକାରୀଙ୍କୁ ପୂର୍ଣ୍ଣ ସହଯୋଗ କରିବାକୁ କୋର୍ଟ ନିର୍ଦ୍ଦେଶ ଦେବାପରେ ଆଜିଠାରୁ ସିଲଂରେ ଜେରା ଆରମ୍ଭ ହୋଇଛି । ତେବେ ଏହି ମାମଲାରେ ରାଜୀବ କୁମାରଙ୍କୁ ତତ୍କାଳ ଗିରଫ କରାଯାଇ ପାରିବ ନାହିଁ ବୋଲି କୋର୍ଟ କହିଥିଲେ। ଶାରଦା ଚିଟ୍‌ ଫଣ୍ଡ ମାମଲାର ତଦନ୍ତ କରୁଥିବା ଏସ୍‌ଆଇଟିର ମୁଖ୍ୟ ଥିବା ରାଜୀବ କୁମାର ପ୍ରମାଣ ନଷ୍ଟ କରିଥିବା ସିବିଆଇ ଅଭିଯୋଗ କରିଛି।

ସମ୍ବନ୍ଧିତ ଖବର